ନୂଆଦିଲ୍ଲୀ,୨।୮: ନିକଟରେ ଭାରତ ଉପରେ ୨୫% ଟାରିଫ୍ ସହ ଜରିମାନା ଲଗାଇଛନ୍ତି ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ଏହାପରେ ଟ୍ରମ୍ପ କହିଥିଲେ ଆମର ଟାରିଫ୍ ନୀତି ଲାଗୁ ହେବା ପରେ ରୁଷଠାରୁ ଭାରତ ତେଲ କିଣିବା ବନ୍ଦ କରିଦେଇଛି।  ଏଭଳି ଏକ ଦିନ ଆସିବ ଭାରତକୁ ପାକିସ୍ତାନ ପଖରୁ ତେଲ କିଣିବାକୁ ପଡ଼ିପାରେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନିଜର ପ୍ରତିକ୍ରିୟା ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ରୁଷଠାରୁ ତୈଳ ଆମଦାନୀ ବନ୍ଦ ହୋଇନି। ଏପରିକି ବନ୍ଦ ନେଇ ମଧ୍ୟ କୌଣସି ସୂଚନା ନାହିଁ। । ବାଣିଜ୍ୟ ପୂର୍ବ ପରି ଜାରି ରହିଛି। ଭାରତର ତେଲ ଆମଦାନୀ ନିଷ୍ପତ୍ତି ବଜାର ପରିସ୍ଥିତି ଏବଂ ଜାତୀୟ ସ୍ୱାର୍ଥ ଉପରେ ଆଧାରିତ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ।

୧ ଅଗଷ୍ଟରୁ ଟ୍ରମ୍ପ ଭାରତୀୟ ଆମଦାନି ଉପରେ ୨୫% ଟାରିଫ୍ ଲାଗୁ ହୋଇଛି।। ରୁଷରୁ ତୈଳ ଓ ପ୍ରତିରକ୍ଷା ଉପକରଣ ଯେପରି ଭାରତର କିଣି ନପାରୁ ତାହା  ଚାହୁଁଛି  ଆମେରିକା।  କେବଳ ସେତିକି ନୁହେଁ ଇରାନ ସହ ବାଣିଜ୍ୟ କରୁଥିବା ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଟ୍ରମ୍ପ ଚାହୁଁଛନ୍ତି ରୁଷ ବଦଳରେ ଆମେରିକାଠାରୁ ଭାରତ କୃଷି ଏବଂ ସାମରିକ ଉପକରଣ କିଣୁ। ତେବେ ଭାରତ ସ୍ପଷ୍ଟ କରିଛି ଯେ, ଚାପରେ କୌଣସି ଚୁକ୍ତି କରିବନି। ତା ପାଖରେ ସାଉଦି ଆରବ, ୟୁଏଇ ଏବଂ କତର ଭଳି ଅନ୍ୟ ଦେଶର ବିକଳ୍ପ ରହିଛି। ଏହି ଦେଶ ଗୁଡିକରୁ ଭାରତ ତୈଳ ଆଣିପାରିବ। 

ରୁଷର ଅଶୋଧିତ ତୈଲର ସବୁଠାରୁ ବଡ଼ କ୍ରେତା ହେଉଛି ଭାରତ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଟାରିଫ୍ ଓ ପେନାଲ୍ଟି ଲାଗୁ କରିବାର ଧମକ ଏବଂ ମୂଲ୍ୟ ମଧ୍ୟରେ ହ୍ରାସ ପାଉଥିବା ପାର୍ଥକ୍ୟ ଯୋଗୁଁ ଭାରତର ସରକାରୀ ତେଲ କମ୍ପାନୀଗୁଡ଼ିକ - IOC, HPCL, BPCL ଏବଂ MRPL - ଗତ ସପ୍ତାହରେ ରୁଷରୁ ଅଶୋଧିତ ତେଲ କିଣି ନାହାଁନ୍ତି। ଏହାପରେ ଆସିଥିଲା ଟ୍ରମ୍ପଙ୍କ ବୟାନ। ସେ କହିଥିଲେ, ମୁଁ ବୁଝିପାରୁଛି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ। ମୁଁ ଏହା ଶୁଣିଛି, ଜାଣିନି କେତେ ସତ ଆଉ କେତେ ମିଛ। ତେବେ ଏହା ଏକ ଭଲ ପଦକ୍ଷେପ। ଆମେ ଦେଖିବୁ ପରବର୍ତ୍ତୀ ସମୟରେ କ'ଣ ହେଉଛି।’ ଉଲ୍ଲେଖନୀୟ ଯେ, ରୁଷ ଦୁନିଆର ଦ୍ବିତୀୟ ବୃହତ ତୈଳ ଉତ୍ପାଦକ ଦେଶ। ଏଠାରେ ପ୍ରତିଦିନ ପ୍ରାୟ ୯୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ପ୍ରତିଦିନ ୪୫ ଲକ୍ଷ ବ୍ୟାରେଲ କ୍ରୁଡ ଅଏଲ ଓ ୨୩ ଲକ୍ଷ ବ୍ୟାରେଲ ରିଫାଇନଡ୍‌ ପ୍ରଡକ୍ଟ ଏକ୍ସପର୍ଟ କରିଥାଲ। ଭାରତ ମଧ୍ୟ ରୁଷର ତୃତୀୟ ବୃହତ ତୈଳ ଆମଦାନୀକାରୀ ଦେଶ। ରୁଷଠାରୁ ଭାର ୮୫% ତୈଳ ଆମଦାନୀ କରେ। କେବଳ ସେତିକି ନୁହେଁ ମସ୍କୋ ସହ ଦିଲ୍ଲୀର ଦଶବ୍ଦି ପୂର୍ବର ସୁସମ୍ପର୍କ ରହିଛି।