ପୁରୀ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ବନ୍ଦ

ପୁରୀ, ୨ ।୬(ବ୍ୟୁରୋ): ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଫୋନି ବାତ୍ୟା ସଂପୂର୍ଣ୍ଣ ଉଜାଡ଼ି ଦେଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ସଂକ୍ରମଣ ରୋଗ ନିରାକରଣ ଡାକ୍ତରଖାନା ବ୍ୟତୀତ ୪୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୬ଟି କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ବାତ୍ୟାରେ ଅଚଳ ହୋଇ ପଡିଥିଲା । ଏବେ ଜିଲ୍ଲା ଡାକ୍ତରଖାନା, ପୁରୀ ସଂକ୍ରମଣ ରୋଗ ନିରାକରଣ ଡାକ୍ତରଖାନାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି । ଏହି ଡାକ୍ତରଖାନାଗୁଡିକୁ ବିଜୁଳି ସଂଯୋଗ ହୋଇ ସାରିଛି । ଏହା ବ୍ୟତୀତ ସହର ତଳି ଅଞ୍ଚଳ ସ୍ଥିତ ୧୬ଟି କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ ସରିଛି । ଚାରି ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଜୁଳି ସଂଯୋଗ ହୋଇଛି । ବାକି ୪୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଜୁଳି ସଂଯୋଗ ହୋଇ ପାରିନାହିଁ । ଡିଜେଲ ପମ୍ପ ସେଟ୍ ଜରିଆରେ ଡାକ୍ତରଖାନାରେ ରୋଗୀ ସେବା ଦିଆଯାଉଛି । ବାତ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଜାରି ରହିଛି । କେବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ବିଜୁଳି ଆସିବ ତାହା କେହି କହି ପାରୁନାହାନ୍ତି ।
ବାତ୍ୟାରେ ସଦର ମୁଖ୍ୟ ଚିକିତ୍ସାଳୟର ବ୍ୟାପକ କ୍ଷୟକ୍ଷତି ଘଟିଛି । ଆସ୍ତେ ଆସ୍ତେ ସ୍ଥିତି ସୁଧୁରିଥିବାବେଳେ ଏକ ମାସ ଧରି ସୁଧୁରି ପାରିନି ଆଇସିୟୁ ବ୍ୟବସ୍ଥା । ଫଳରେ ଅଚଳ ହୋଇ ପଡିଛି ଏହି ୟୁନିଟ୍ । ଏଥିରେ ଥିବା ୬ଟି ସିଷ୍ଟମ୍ ନଷ୍ଟ ହୋଇଛି ।ଭେଣ୍ଟିଲେଟର୍ ଓ ମନିଟର୍ ଅଚଳ ହୋଇ ପଡିଥିବାବେଳେ ଏହା ଆଉ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ଜଣେ ଡାକ୍ତର କହିଛନ୍ତି । ଆଗକୁ ରଥଯାତ୍ରା ଆସୁଛି । ତେଣୁ ନୂଆ ସିଷ୍ଟମ୍ ଲଗାଯାଇ ତୁରନ୍ତ ଆଇସିୟୁ କାର୍ଯ୍ୟକ୍ଷମ କରାନଗଲେ ସମସ୍ୟା ଭୟଙ୍କର ମୋଡ଼ ନେବ ବୋଲି ଡାକ୍ତରଖାନା କର୍ମଚାରୀମାନେ କହିଛନ୍ତି ।
ଭୁଶୁଡ଼ିପଡ଼ିଛି ପାଣିଟାଙ୍କି
ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଥିବା ବଡ ପାଣିଟାଙ୍କି ଭୁଶୁଡି ପଡ଼ିଲା । ଏଥିଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଏଯାଏଁ ସୁଧୁରିନି । ଡାକ୍ତରଙ୍କ ଚ୍ୟାମ୍ବରକୁ ପାଣି ଆସୁନାହିଁ । ଫଳରେ ଆଉଟ ଡୋର୍ରେ ଡାକ୍ତର ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ଏହି ଟାଙ୍କି ନିର୍ମାଣରେ ବ୍ୟାପକ ଦୁର୍ନୀତି ଯୋଗୁଁ ତାହା ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି । ଆବଶ୍ୟକ ପାଣି ମିଳୁନଥିବା ଯୋଗୁଁ ଏକ ମାସ ଧରି ରୋଗୀ ଓ କର୍ମଚାରୀଙ୍କ ସହ ଡାକ୍ତର କଲବଲ ହେଉଛନ୍ତି ।
ଏସି ଓ ଲିପ୍ଟ ଅଚଳ, ଯୋଡ଼ା ହୋଇନି ଭଙ୍ଗା ସିଲିଂ
ମୁଖ୍ୟ ଚିକିତ୍ସାଳୟରେ ଫୋନି ମାଡରେ ଝରକା କବାଟ ଭାଙ୍ଗି ନଷ୍ଟ ହୋଇଛି । ସେଥିପାଇଁ ଏସି କାମ କରୁନାହିଁ । ରୋଗୀମାନେ ଗରମରେ ରହିବାକୁ ବାଧ୍ୟ ହେଉଛନ୍ତି । ସିଲିଂଗୁଡିକ ଭାଙ୍ଗି ଖସି ପଡିଛି । ଏସବୁ ଏପର୍ଯ୍ୟନ୍ତ ମରାମତି ହୋଇ ପାରି ନାହିଁ । ଏମ୍ସିଏଚ୍ ବିଲ୍ଡିଂରେ ଦୁଇଟି ଲିପ୍ଟ ମଧ୍ୟରୁ ସମ୍ମୁଖ ଲିପ୍ଟ ଅଚଳ ହୋଇ ପଡି ରହିଛି । କର୍ତ୍ତୃପକ୍ଷ ଏସବୁ ମରାମତି କାମ କରିବାରେ ବିଫଳ ହୋଇଛନ୍ତି ।
ଆଇଡିଏଚ୍ରେ ବିଜୁଳି ଅଛି , ବୁଲୁନି ପଙ୍ଖା, ଛଟପଟ ହେଉଛନ୍ତି ରୋଗୀ
ଜିଲ୍ଲା ଯକ୍ଷ୍ମା ଓ ସଂକ୍ରମଣ ରୋଗ ଚିକିତ୍ସାଳୟ (ଆଇଡିଏଚ୍)ରେ ଫୋନି ପର ଠାରୁ ପଙ୍ଖା ଅଚଳ ହୋଇଛି । ବିଜୁଳି ଅଛି । କିନ୍ତୁ ବୁଲୁନି ପଙ୍ଖା । ୱାର୍ଡରେ ଥିବା ୨୪ଟି ପଙ୍ଖାରୁ ୧୭ଟି ଅଚଳ ହୋଇଛି । ୭ଟି ପଙ୍ଖା ଆସ୍ତେ ଆସ୍ତେ ବୁଲୁଥିବାବେଳେ ସମ୍ପୂର୍ଣ୍ଣ ୱାର୍ଡ ଗରମ ଗୁଳୁଗୁଳିରେ ରୋଗୀ କଲବଲ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ହୋଇଛି । କିନ୍ତୁ ଏକ ମାସ ଧରି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି ।