PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମେଡିକାଲରୁ ଦାମୀ ଔଷଧ ଚୋରି: ଜଣେ ଧରାପଡିଲା, ଅନେକଙ୍କ ସମ୍ପୃକ୍ତି ନେଇ ଖୋଳତାଡ

ବ୍ରହ୍ମପୁର,୧୮ା୧୧: ଚଳିତ ମାସ ୧୪ ତାରିଖରେ ସ୍ଥାନୀୟ ଏମକେସିଜି ମେଡିକାଲର ଏସଏସ ବିଲ୍ଡିଂର ସର୍ଜରୀ ବିଭାଗରୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମାଗଣା ଦାମି ଔଷଧ ଚୋରି କରି ନେଉଥିବା ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ଏମକେସିଜି ମେଡିକାଲର ଜଣେ ଆଟେଣ୍ଡେନ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ନିଜେ ଆଟେଣ୍ଡେନ୍ଟଙ୍କ ପିଛା କରି ତାଙ୍କୁ ଭୋର ୩ଟା ସମୟରେ ମେଡିସିନ୍ ଚୋରି କରି ନେଉଥିବା ଧରିଥିଲେ । ପରେ ଅଧୀକ୍ଷକଙ୍କ ଏତଲାକ୍ରମେ ପୁଲିସ ତାଙ୍କୁ ଗିରଫ କରିଥିଲା । ଘଟଣା ପରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର ଆଟେଣ୍ଡେନ୍ଟ ମିଟୁ ଦଳବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ମିଟୁ ବର୍ତମାନ ଜେଲରେ ଥିବା ବେଳେ ଏମକେସିଜି ମେଡିକାଲରୁ ଦାମି ମାଗଣା ଔଷଧ ଗୁଡିକ ଚୋରି ଘଟଣାରେ ଆଉ କିଏ କିଏ ରହିଛନ୍ତି ତାହା ଉପରେ ଖୋଳତାଡ ଆରମ୍ଭ ହୋଇଯାଇଛି । ମିଟୁଙ୍କ ଏହି ଚୋରି ପ୍ରଥମ ଥର ବୋଲି ପୁଲିସକୁ କହିଛି ।

ଉକ୍ତ ଦାମି ମେଡିସିନ୍‌କୁ ସେ କିଛି ଘରୋଇ ମେଡିକାଲ କ୍ଲିନିକ୍‌କୁ ଦେବା ପାଇଁ ଯୋଜନା କରିଥିବା ପୁଲିସ ସନ୍ଦେହ କରିଛି । ଏହି ଘଟଣା ପରେ ବର୍ତମାନ ଅଧୀକ୍ଷକ ଡାକ୍ତର ସନ୍ତୋଷ ମିଶ୍ରଙ୍କ ପକ୍ଷରୁ ବିଭିନ୍ନ ୱାର୍ଡରେ ଥିବା ଗଚ୍ଚିତ ଔଷଧ ଯାଂଚ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ତେବେ ମୁଖ୍ୟ କଥା ହେଲା ମିଟୁ କାହା ସାହାସରେ ସର୍ଜରୀ ୱାର୍ଡରୁ କିପରି ଏତେ ପରିମାଣର ଦାମି ଔଷଧ ଗୁଡିକ ଚୋରି କରି ବିକ୍ରୀ କରିବାକୁ ଆଣୁଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପକ୍ଷରେ ମିଟୁଙ୍କୁ ଏହି କାର୍ଯ୍ୟରେ କିଏ ସହଯୋଗ କରିଥିଲା ଏବଂ କେଉଁ କର୍ମଚାରୀ ଏଥିରେ ସମ୍ପୃକ୍ତି ଅଛନ୍ତି ତାହା ମଧ୍ୟ ପୁଲିସ ତଦନ୍ତର ପରିସର ଭୁକ୍ତ ରହିଛି ।

ଏମକେସିଜିର ବିଭିନ୍ନ ବିଭାଗରେ ସିମିତ ପରିମାଣର ଔଷଧ ରହିଥିବା ବେଳେ ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ବିଭାଗର ମୁଖ୍ୟ କିମ୍ବା ଦାୟିତ୍ୱରେ ଥିବା ନର୍ସିଂ ଅଫିସର ଅଧୀକ୍ଷକଙ୍କ ନିକଟରେ ଔଷଧ ଚୋରି ହୋଇଥିବା ନେଇ ଅଭିଯୋଗ କରିନାହାନ୍ତି । ମିଟୁ ପୁଲିସ ହାବୁଡରେ ଧରାପଡିବା ପରେ ଏମକେସିଜିରୁ ମେଡିସିନ୍ ଚୋରି ହେବା ଘଟଣାର ପର୍ଦ୍ଦାଫାସ ହୋଇଛି । ଦୀର୍ଘ ଦିନ ହେଲା ମିଟୁ ଏହି ଚୋରି କରୁଥିଲା ନା ମିଟୁ ଭଳି ଅନ୍ୟ କିଛି କର୍ମଚାରୀ ଏହି କାର୍ଯ୍ୟରେ ଲିପ୍ତ ରହି ଘରୋଇ କ୍ଲିନିକ୍‌କୁ ସରକାରୀ ଔଷଧ ବିକ୍ରୀ କରୁଥିଲେ ତାହାର ମଧ୍ୟ ଯାଂଚ ଆବଶ୍ୟକ ହୋଇପଡିଛି । ଏମକେସିଜି ମେଡିକାଲରେ ବର୍ତମାନ ନିଜ କର୍ମଚାରୀମାନେ ହିଁ ଏହିପରି ଚୋରି ଏବଂ ଦଲାଲ୍ ଘଟଣାରେ ସମ୍ପୃକ୍ତି ରହିବା ଏମକେସିଜିର କାର୍ଯ୍ୟଶୈଳି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଏହି ଘଟଣାରେ ମିଟୁକୁ ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରି ଅନ୍ୟମାନଙ୍କୁ ମଧ୍ୟ ଠାବ କରିବା ଆବଶ୍ୟକ ହୋଇପଡିଛି।