ଅସୁରକ୍ଷିତ ମାତୃତ୍ୱ ! ମେମୁ ଟ୍ରେନ୍ରେ ପ୍ରସବ କଲେ ମହିଳା, ଏମ୍କେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର,୦୪/୧୨: ଅସୁରକ୍ଷିତ ମାତୃତ୍ୱ । ବ୍ରହ୍ମପୁର ଶୌଚାଳୟ ପରେ ମେମୁ ଟ୍ରେନ୍ରେ ଜଣେ ମହିଳାଙ୍କ ପ୍ରସବ ହୋଇଛି । ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ମେମୁରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଷ୍ଟେସନ୍ ମ୍ୟାନେଜର ଓ ରେଳବାଇ ସ୍ୱାସ୍ଥ୍ୟ ଟିମ୍ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଟ୍ରେନ୍ ଭିତରେ ପ୍ରସବ କରିଥିବାରୁ ଟ୍ରେନ୍ ୫୫ମିନିଟ୍ ବିଳମ୍ବ ହୋଇଥିବା କହିଛନ୍ତି ଷ୍ଟେସନ୍ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା । ପ୍ରସୂତିଙ୍କ ପରିଚୟ ଜଣାପଡ଼ି ନାହିଁ । ତାଙ୍କ ପାଖରେ ଆଉ ଗୋଟିଏ ଶିଶୁ ଅଛି ଏବଂ ସେ ଟ୍ରେନ୍ରେ ଭିକ୍ଷାବୃତି କରୁଥିବା ସନ୍ଦେହ କରାଯାଉଛି ।
ଷ୍ଟେସନ୍ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ସୂଚନା ପ୍ରକାରେ ବ୍ରହ୍ମପୁର-ଭୁବନେଶ୍ୱର (୦୮୪୪୨) ମେମୁ ଟ୍ରେନ୍ ୩ ନମ୍ବର ପ୍ଲାଟ୍ଫର୍ମରେ ଲାଗିଥିଲା । ଶନିବାର ୩ଟା ୨୦ରେ ଜଣେ ପ୍ରସବ କରିଥିବା ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ଡାକ୍ତର ପହଞ୍ଚି ଚିକିତ୍ସା କରିଥିଲେ । ଷ୍ଟେସନ୍ ମ୍ୟାନେଜର ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଫୋନ୍ କରି ଡାକିଥିଲେ । ମାଆ ଓ ନବଜାତ କନ୍ୟାକୁ ଆମ୍ବୁଲାନ୍ସରେ ଏମ୍କେସିଜି ପଠାଯାଇଥିଲା । ପରେ ସେହି ବଗିକୁ ସଫା କରାଯାଇଥିଲା । ଏଥିପାଇଁ ଟ୍ରେନ୍ ଛାଡିବାରେ ୫୫ମିନିଟ୍ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଷ୍ଟେସନ୍ ମ୍ୟାନେଜର । ଏହି ପାସେଞ୍ଜର ଟ୍ରେନ୍ ୩ ନମ୍ବର ପ୍ଲାଟ୍ଫର୍ମରୁ ୩ଟା ୩୦ମିନିଟ୍ରେ ଛାଡିବାର ଥିଲା । କିନ୍ତୁ ୪ଟା ୨୫ରେ ଛାଡିଥିଲା । ମାଆ ଓ ଶିଶୁ ସହ ରେଳବାଇ ଚାଇଲ୍ଡଲାଇନ୍ ଓ ଆର୍ପିଏଫ୍ ଏମ୍କେସିଜିକୁ ଯାଇଥିଲେ ।