ଦୁବାଇ,୦୯/୦୯: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ଓ ହଂକଂ ହେବେ ସାମ୍ନା ସାମ୍ନି । ଭାରତୀୟ ସମୟ ରାତି ୮.୩୦ ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ । ସୋନି ସ୍ପୋର୍ଟ୍ସରେ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ । ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଆଫଗାନିସ୍ତାନ ଏସିଆର ଅନ୍ୟତମ ଶକ୍ତିଶାଳୀ ଦଳ । ତେଣୁ ଆଫଗାନିସ୍ତାନର ପଲା ଭାରି ରହିବ । ରସିଦ ଖାନ, ନୂର ଅହମ୍ମଦ, ମୁଜିବ ଉର ରେହମାନ ଓ ଆଲ୍ଲା ଗଜନଫରଙ୍କ ଭଳି ତାରକା ସ୍ପିନର ଦଳରେ ରହିଥିବାରୁ ଆଫଗାନିସ୍ତାନ ଆଧିପତ୍ୟ ବିସ୍ତାର କରିବା ଅନୁମାନ କରାଯାଉଛି ।
୧୭ତମ ସଂସ୍କରଣ: ୧୭ତମ ଏସିଆ କପ୍କୁ ଏସୀୟ କ୍ରିକେଟ୍ କାଉନସିଲ୍ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଏହା ପଛର ଅସଲ କାରଣ ହେଉଛି ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଆସନ୍ତା ବର୍ଷ ଆରମ୍ଭରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଥିବାରୁ ଏସିଆ କପ୍ ଜରିଆରେ ଏସୀୟ ଦଳ ଉନ୍ନତ ପ୍ରସ୍ତୁତି ସୁଯୋଗ ପାଇବେ । ୨୦୨୩ ସଂସ୍କରଣ ଦିନିକିଆ ଫର୍ମାଟ୍ରେ ଆୟେଜନ କରାଯାଇଥିଲା । ସେହିବର୍ଷ ଦିନିକିଆ ବିଶ୍ୱକପ୍ ରହିଥିଲା ।
ଭାରତ ଆୟୋଜକ, ୟୁଏଇରେ ମ୍ୟାଚ୍: ୨୦୨୩ରେ ଭାରତ ଚାମ୍ପିଅନ୍ ହୋଇଥିବାରୁ ଏଥର ଆୟୋଜନ ଅଧିକାର ପାଇଥିଲା । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ରାଜନୈତିକ ବିବାଦକୁ ନେଇ ଉଭୟ ଦଳ ପ୍ରତିପକ୍ଷ ଦେଶରେ ଖେଳିବାକୁ ରାଜି ନୁହନ୍ତି । ତେଣୁ ବିସିସିଆଇ ଏସିଆ କପ୍କୁ ୟୁଏଇରେ ଆୟୋଜନ କରୁଛି।
୮ ଦଳ, ଓମାନ ନୂଆ: ପ୍ରଥମ ଥର ପାଇଁ ୮ଟି ଦଳ ଏଥର ଭାଗ ନେଉଛନ୍ତି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ ବ୍ୟତୀତ, ୟୁଏଇ, ହଂକଂ ଓ ଓମାନ ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଏଥର ଖେଳିବାକୁ ସୁଯୋଗ ପାଇଛନ୍ତି । ଏସିସି ପ୍ରିମିୟର କପ୍ ଜରିଆରେ ଏହି ୩ଦଳ ଯୋଗ୍ୟତା ଅର୍ଜନ କରିଥିଲେ । ଅନ୍ୟ ଏକ ଚର୍ଚ୍ଚିତ ଏସୀୟ ଦଳ ନେପାଳ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲା । ସେମି ଫାଇନାଲ୍ରେ ଦଳ ୟୁଏଇ ଠାରୁ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ହଂକଂ ଠାରୁ ପରାଜିତ ହୋଇଥିଲା । ଦିନିକିଆ ବିଶ୍ୱକପ୍ ଠାରୁ ଏସିଆ କପ୍ ମାତ୍ର ୯ ବର୍ଷ ନୂଆ । ୧୯୮୪ରେ ଏସିଆ କପ୍ ପ୍ରଥମ କରି ଆୟୋଜନ କରାଯାଇଥିଲା । ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ସେବେଠୁ ନିୟମିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । କେବଳ ୨୦୨୦ରେ କୋଭିଡ୍ ଯୋଗୁଁ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସର୍ବାଧିକ ୮ଥର ଚାମ୍ପିଅନ୍ ହୋଇଛି । ଶ୍ରୀଲଙ୍କା ୬ଥର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ।
ଚର୍ଚ୍ଚିତ ଖେଳାଳି: ଏଠାରେ ଖେଳାଳିଙ୍କ ଅପେକ୍ଷା ଭାରତ-ପାକିସ୍ତାନ ମ୍ୟାଚ୍ ଅଧିକ ଚର୍ଚ୍ଚିତ । ମାତ୍ର କିଛି ଖେଳାଳିଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଶୁଭମନ ଗିଲ୍ ଆଲୋଚନାରେ ରହିଥିଲେ ହେଁ ଭାରତର ଅଭିଷେକ ଶର୍ମା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ । ଆଫଗାନିସ୍ତାନର ୧୯ବର୍ଷିୟ ସ୍ପିନର ଆଲ୍ଲା ଗଜନଫରଙ୍କ ସ୍ପିନ୍ ବୋଲିଂକୁ ନେଇ ସବୁ ଦଳ ସତର୍କ ରହିବେ । ପାକିସ୍ତାନର ୩୧ବର୍ଷିୟ ବାମ ହାତି ପେସ୍ ବୋଲର ସଲମାନ ମିର୍ଜା ମଧ୍ୟ ଘାତକ ସାବ୍ୟସ୍ତ ହେବା ଆଶା କରାଯାଉଛି । ୟୁଏଇ ଅଧିନାୟକ ମହମ୍ମସ ୱାସିମ ବିସ୍ଫୋରକ ବ୍ୟାଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିବାବେଳେ ହଂକଂ ଅଧିନାୟକ ୟସିମ ମୁର୍ତାଜା ଟି-ଟ୍ୱେଣ୍ଟି କ୍ରିକେଟ୍ରେ ୭୦ଟି ୱିକେଟ୍ ନେଇ ସାରିଛନ୍ତି ।