ଆଜି ବିଶ୍ୱବ୍ୟାପୀ ପାଳନ  ହେଉଛି ଋତୁସ୍ରାବ ସ୍ୱଚ୍ଛତା  ଦିବସ । ମାସିକ ଧର୍ମକୁ ନେଇ  ନୀରବତା ଭାଙ୍ଗିବା, ମାସିକ ଋତୁସ୍ରାବ ଦୂରବସ୍ଥାର ଅନ୍ତ  ଏବଂ ଋତୁସ୍ରାବ ସ୍ୱାସ୍ଥ୍ୟକୁ  ଏକ ମୌଳିକ ମାନବାଧିକାର  ଭାବରେ ସ୍ୱୀକୃତି ପ୍ରଦାନ କରିବା ପାଇଁ ଆଜି ଦିବସ  ଏକ ଉତ୍ସର୍ଗୀକୃତ ଅଭିଯାନ  ଭାବେ ଗ୍ରହଣ କରାଯାଇଛି ।  ୨୦୨୬ ବର୍ଷର ବିଷୟବସ୍ତୁ ହେଉଛି ‘ଟୁଗେଦର୍‌ ଫର୍‌ ଏ  ପିରିୟଡ୍‌ ଫ୍ରେଣ୍ଡଲି ୱାର୍ଲଡ୍‌’ ।

ଭୁବନେଶ୍ୱର,୨୮/୦୫ (ପ୍ରଜ୍ଞା ଚୌଧୁରୀ):‘ସ୍ୱଚ୍ଛ  ନିରାପଦ ଋତୁସ୍ରାବ ଅଭ୍ୟାସ’ ରାଜ୍ୟରେ ଆଜି  ବି ଏକ ଆହ୍ୱାନ । ଏକ ଶାରୀରିକ ଧର୍ମକୁ ନେଇ ଖୋଲାଖୋଲି ଆଲୋଚନା କରିବାକୁ  ଲୋକେ ସଂକୋଚ କରୁଛନ୍ତି । ସହରାଞ୍ଚଳରେ  ମାନସିକତାରେ ଧୀରେ ଧୀରେ ପରିବର୍ତ୍ତନ ଦେଖାଦେଉଥିବା ବେଳେ ଗ୍ରାମାଞ୍ଚଳରେ ଋତୁସ୍ରାବ ସହ ଜଡ଼ିତ ଅଜ୍ଞାନତା ରହିଛି । ଗାଁ ଗହଳିରେ ମାସିକ ଧର୍ମ ବେଳେ ଆଜି ବି କପଡ଼ା କିମ୍ବା ସରକାରୀ ବ୍ୟବସ୍ଥାରେ ମିଳୁଥିବା ସାନିଟାରୀ ନାପକିନ୍‌ ବ୍ୟବହାର କରୁଛନ୍ତି । ପରିବେଶ ଉପଯୋଗୀ ସାନିଟାରୀ ବିକଳ୍ପ  ଯଥା- ମେନ୍‌ଷ୍ଟ୍ରୁଆଲ୍‌ କପ୍‌, ଟାମ୍ପୁନ୍‌ ଏବଂ  ଡିସକ୍‌ ବିଷୟରେ ରାଜ୍ୟର ଅଧିକାଂଶ ମହିଳା  ଜାଣିନାହାନ୍ତି । ଋତୁସ୍ରାବ ସ୍ୱଚ୍ଛତାକୁ ନେଇ  କରାଯାଇଥିବା ବିଭିନ୍ନ ସର୍ଭେରୁ ଏହା ଜଣାପଡ଼ିଛି ।  

ବିଏମସି ୱିମେନ୍ସ ହେଲ୍‌ଥ୍‌ରେ ପ୍ରକାଶିତ  ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ୩୧.୬%  ମହିଳା ଋତୁସ୍ରାବ ବେଳେ କପଡ଼ା ବ୍ୟବହାର  କରନ୍ତି । ୬୧% ମହିଳା ସ୍ୟାନିଟାରି ପ୍ୟାଡ୍‌ ଓ  ୭.୨ ଧ ମହିଳା ଉଭୟ କପଡ଼ା ଏବଂ ସାନିଟାରୀ  ପ୍ୟାଡ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି ।  ୪୬% ମହିଳା ମାସିକ ଋତୁ ଆରମ୍ଭ ହେବା  ପୂର୍ବରୁ ସେ ବିଷୟରେ ଅବଗତ ନ ଥିଲେ  ବୋଲି ସର୍ଭେରେ କୁହାଯାଇଛି । ୧୦ରୁ ୪୯ ବର୍ଷ  ବୟସର ୯୨୧ ମହିଳାଙ୍କୁ ନେଇ କରାଯାଇଥିବା ଏହି ସାମ୍ପୁଲ ସର୍ଭେରେ ଏହା ଜଣାପଡ଼ିଛି ।  

ଋତୁସ୍ରାବକାଳୀନ ସ୍ୱଚ୍ଛତା ପରିଚାଳନା  ପ୍ରଜନନ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ଦିଗରେ ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଗ୍ରାମାଞ୍ଚଳରେ ମହିଳା  ଯୁବତୀ ଓ ଛାତ୍ରୀଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତାକୁ  ନେଇ ଏବେବି ସଚେତନତାର ଅଭାବ ରହିଛି  ବୋଲି ହେଲ୍‌ଥ୍‌ ଡେମୋଗ୍ରାଫିକ ଏନଭାର୍ନମେଣ୍ଟାଲ୍‌  ସିଷ୍ଟମ (ଏଚଡିଇଏସଏସ) ପକ୍ଷରୁ ହୋଇଥିବା  ଆଉ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ।  

ଅଧିକ ପଢ଼ନ୍ତୁ :-  Crime News: ଭଡ଼ା ଘରେ ଗୋଲ୍ଡି ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀ ଗିରଫ

୧୪ରୁ ୪୯ ବର୍ଷୀୟା ୬୨୨ ଜଣ ମହିଳା,  ଯୁବତୀ, କିଶୋରୀଙ୍କୁ ନେଇ ହୋଇଥିବା ଏହି  ସର୍ଭେରେ ୮୬.୯ ଧ ସାନିଟାରୀ ପ୍ୟାଡ୍‌ ବ୍ୟବହାର  କରୁଥିବା ଜଣାପଡ଼ିଛି । କିନ୍ତୁ ୪୮.୭% କପଡ଼ା  ବ୍ୟବହାରକାରୀ ଏନେଇ ଅଭିଜ୍ଞତା ଉତ୍କୃଷ୍ଟ  ବୋଲି ମତ ଦେଇଥିଲେ । ତେବେ ସରକାରୀ  ବ୍ୟବସ୍ଥାରେ ମିଳୁଥିବା ପ୍ୟାଡ୍‌ ବ୍ୟବହାର କରୁଥିବା  ୨୯.୭% ସବୁଠାରୁ ଅଧିକ ଅସନ୍ତାଷ ବ୍ୟକ୍ତ  କରିଥିଲେ । ସାନିଟାରୀ ପ୍ୟାଡ୍‌ ପୋଡ଼ିବା କିମ୍ବା  ପୋତିବା ପରିବେଶ ପଇଁ କ୍ଷତିକାରକ । କିନ୍ତୁ  ଏହି ସର୍ଭେରେ, ୪୦.୨% ମହିଳାଙ୍କର ସାନିଟାରୀ  ସାମଗ୍ରୀକୁ ପୋତି ଦେବା ଏକ ସାଧାରଣ ଅଭ୍ୟାସ ।

ଅଧିକ ପଢ଼ନ୍ତ :-  ଘରେ AC ନାହିଁ କି, ଜାଣନ୍ତୁ ଗରମରେ କେମିତି ଶୋଇବେ ଥଣ୍ଡାରେ ?

ପୁନଃବ୍ୟବହାର ଯୋଗ୍ୟ ପିରିୟଡ୍‌ ପ୍ୟାଣ୍ଟି,  କପ୍‌, ଡିସ୍କ ଆଦିର ବ୍ୟବହାର ବିଷୟରେ ସହରାଞ୍ଚଳରେ ଧୀରେ ଧୀରେ ଲୋକେ ଅବଗତ  ହେଲେଣି । ଏହା ସାନିଟାରୀ ପ୍ରଦୂଷଣ ରୋକିବା ଦିଗରେ ଏକ ବଡ଼ ଉତ୍ତରଦାୟିତ୍ୱ । କିନ୍ତୁ  ଗ୍ରାମାଞ୍ଚଳରେ ଡିସପାଜେବଲ୍‌ ସାନିଟାରୀ ପ୍ୟାଡ୍‌ ଏବଂ କପଡ଼ା ହିଁ ସାଧାରଣତଃ ବ୍ୟବହାର ହୋଇଥାଏ ।  ତେବେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ କପଡ଼ାକୁ ବ୍ୟବହାର କଲେ ବି ଏହା ଅନ୍ୟତମ ପରିବେଶ  ଉପଯୋଗୀ ଋତୁସ୍ରାବ ବିକଳ୍ପ ହୋଇପାରିବ  ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।