ଘରେ ପସି ବନ୍ଧୁକ ଦେଖାଇ ଦୁଷ୍କର୍ମ ପ୍ରୟାସ; ଜିଲ୍ଲା ପରିଷଦଙ୍କ ଉପରେ ଅଭିଯୋଗ ପରେ ସରଗରମ ରାଜନୀତି

Image Courtesy: NEWS18
ଚଣ୍ଡିଗଡ଼,୦୯/୧୨: ବିଜେପି ଜିଲ୍ଲା ପରିଷଦଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଘରେ ପସି ବନ୍ଧୁକ ଦେଖାଇ ଦୁଷ୍କର୍ମ ପ୍ରୟାସ କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ହରିୟାଣାର ନୁହ୍ ଅଞ୍ଚଳ ଅନ୍ତର୍ଗତ ପିନଗାଁ ଥାନାରେ ଦାଖଲ ହୋଇଥିବା ଏପରି ଏକ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଓ୍ବାର୍ଡ ନମ୍ବର ୨୫ର ଜିଲ୍ଲା ପରିଷଦ। ଜିଲ୍ଲା ପରିଷଦଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଭଳି ମାମଲା ପଞ୍ଜିକରଣ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ପରିଷଦଙ୍କ ଅଭିଯୋଗ ହୋଇଥିବା କାରଣରୁ ଘଟଣାକୁ ବିଭିନ୍ନ ଦିଗରୁ ଦୃଷ୍ଟି ଦିଆଯାଉଛି। ପୋଲିସ ଅଧିକାରୀ ବରୁଣ ସିଙ୍ଗଲା କହିଛନ୍ତି ଯେ ବିଜେପି ଜିଲ୍ଲା ପରିଷଦଙ୍କ ନାଁରେ ମହିଳାଙ୍କ ଦ୍ୱାରା ଅଭିଯୋଗ ଦାଖଲ କରାଯାଇଛି। ଏନେଇ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ବିଜେପି ଜିଲ୍ଲା ପରିଷଦଙ୍କ ସନ୍ଧାନରେ ନୁହ୍ ପୋଲିସ ଅଣ୍ଟା ଭିଡିଛି।
ପୁଲିସ ଅଧିକାରୀଙ୍କର କହିବା ମୁତାବକ ପିନଗାଁର ବ୍ୟକ୍ତି ପୁଲିସ୍ ଥାନାରେ ଅଭିଯୋଗ କରିଥିଲେ ଯେ, ହିଙ୍ଗନପୁରର ତୌଫିକ ଓରଫ୍ ୨୫ ନମ୍ବର ଓ୍ବାର୍ଡର ଜିଲ୍ଲା ପରିଷଦ ତାଙ୍କ ଘରେ ପସି ପତ୍ନୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ ପ୍ରୟାସ କରିଥିଲେ। କେବଳ ଏତିକି ନୁହେଁ ବରଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏନେଇ ପୁଲିସ୍ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମହିଳାଙ୍କ ସ୍ୱାମୀ ପୋଲିସକୁ ଦେଇଥିବା ଅଭିଯୋଗ ଅନୁଯାୟୀ, ଡିସେମ୍ବର ୬ ରେ ସେ ତାଙ୍କ ପତ୍ନୀଙ୍କ ସହ ପିନଗାଁ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ତାଙ୍କ ଶାଳକଙ୍କୁ ଭେଟିବାକୁ ଯାଇଥିଲେ। କିଛି ସମୟ ପରେ ସେ ତାଙ୍କ ଶାଳକଙ୍କ ସହ କାମକୁ ବାହାରିଯାଇଥିଲେ। ଏହାର ସୁଯୋଗ ନେଇ ଶାଳକଙ୍କ ଘରକୁ ଆସିଥିଲେ ତୌଫିକ୍। ଯେତେବେଳେ ଅଭିଯୁକ୍ତ ମହିଳାଙ୍କୁ ତାଙ୍କ ଭାଇଙ୍କ ବିଷୟରେ ପଚାରିଲା, ସେ କହିଲା ଯେ ସେ କିଛି କାମ ପାଇଁ ବାହାରକୁ ଯାଇଛନ୍ତି। ପରେ ଘରେ ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଜିଲ୍ଲା ପରିଷଦ ତାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯଦି ଏନେଇ କାହାରି ଆଗରେ ମୁହଁ ଖୋଲିବ, ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ମହିଳା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପିନଗାଁ ପୋଲିସ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପିନଗାଁ ପୋଲିସ ଏହି ଘଟଣାର ତଦନ୍ତ କରୁଛି।