ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ସମାଜସେବୀ ବିଲ୍ ଗେଟ୍ସ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତି ଏବଂ ବିକାଶରେ ସହଯୋଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ନଡ୍ଡାଙ୍କ ସହିତ ସାକ୍ଷାତ ସମୟରେ ଭାରତ ସରକାର ଏବଂ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ସହଭାଗୀତା ବିଷୟରେ ଆଲୋଚନା କରିଛନ୍ତି ବିଲ୍‌ ଗେଟ୍ସ । ଜେପି ନଡ୍ଡା ଭାରତରେ ମାତୃ ସ୍ୱାସ୍ଥ୍ୟ, ଟୀକାକରଣ ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରିଛନ୍ତି । ସମସ୍ତ ନାଗରିକଙ୍କ ପାଇଁ ସୁଲଭ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଆମେ ଆମର ସହଯୋଗ ବୁଝାମଣାପତ୍ରକୁ ନବୀକରଣ କରିବାକୁ ଅପେକ୍ଷା କରିଛୁ ବୋଲି ଏକ୍ସରେ ଲେଖିଛନ୍ତି ଜେପି ନଡ୍ଡା ।  




ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉନ୍ନତ ସେବା ପ୍ରଦାନ ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଭବିଷ୍ୟ ବିଶ୍ଳେଷଣ (ପ୍ରେଡିକ୍ଟିଭ୍‌ ଆନାଲିଟିକ୍ସ)କୁ କିପରି ବ୍ୟବହାର କରାଯିବ ସେ ବିଷୟରେ ମଧ୍ୟ ଗେଟ୍ସ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ଗେଟ୍ସ ଫାଉଣ୍ଡେସନ ସହିତ ସହଯୋଗ ରାଜ୍ୟର ଦୀର୍ଘକାଳୀନ ବିକାଶ, ସ୍ୱର୍ଣ୍ଣ ଆନ୍ଧ୍ର ପ୍ରଦେଶ ୨୦୪୭ ଲାଗି ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହି ସହଯୋଗ ଆମ ଲୋକଙ୍କୁ ସଶକ୍ତ କରିବ ଏବଂ ଆମର ବିକାଶର ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଲେଖିଛନ୍ତି।




ଏହା ପୂର୍ବରୁ ବିଲ୍‌ ଗେଟ୍ସ  କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଏକ ବୈଠକ କରିଥିଲେ । ଖାଦ୍ୟ ସୁରକ୍ଷା, ଗ୍ରାମୀଣ ବିକାଶ ଏବଂ କୃଷିରେ କୃତ୍ରିମ ଶକ୍ତି ଏବଂ ମେସିନ୍ ଲର୍ଣ୍ଣିଂର ବ୍ୟବହାର ବିଷୟରେ ସେ ଆଲୋଚନା କରିଥିଲେ। ଗେଟ୍ସ ଫାଉଣ୍ଡେସନ୍ କୃଷି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ କାର୍ଯ୍ୟ କରୁଛ, ଏବଂ ଆମେ ସହଯୋଗର ନୂଆ ମାଧ୍ୟମ ଖୋଜୁଛୁ ବୋଲି ଶିବରାଜ ସିଂହ ଚୌହାନ କହିଥିଲେ ।  ଭାରତ ଗସ୍ତରେ ଥିବା ବିଲ୍‌ ଗେଟ୍ସ ସଂସଦ ପରିଦର୍ଶନ କରିଥିଲେ ।  କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଗେଟ୍ସ ଭାରତର ସ୍ବାସ୍ଥ୍ୟ, କୃଷି ଏବଂ ପ୍ରୁଯୁକ୍ତି କ୍ଷେତ୍ରରେ ବିକାଶ ଲାଗି ଆଲୋଚନା କରୁଛନ୍ତି ।