ନୂଆଦିଲ୍ଲୀ, ୧୧/୦୩ : ଇସ୍ରାଏଲ-ଇରାନ ଯୁଦ୍ଧ ଲଢ଼ିବାର ୨୪ ଘଣ୍ଟା ଭିତରେ ମଧ୍ୟପ୍ରାଚ୍ୟର ଜଳମାର୍ଗରେ ଚଳାଚଳ କରୁଥିବା ଜାହାଜଗୁଡିକ ନିଜ ଜିପିଏସ୍‌ ସିଷ୍ଟମରେ ସମସ୍ୟାର ସାମ୍‌ନା କରିଥିଲେ। ଜାହାଜର ଉପସ୍ଥିତି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ସେମାନେ ଜାଣିବାକୁ ପାଇଥିଲେ । ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍‌)ର ସଙ୍କେତରେ ଜାମିଂ ଓ ସ୍ପୁଫିଙ୍ଗ ଯୋଗୁ ଏଭଳି ସମସ୍ୟା ଉତ୍ପନ ହୋଇଥିଲା । ଯୁଦ୍ଧକ୍ଷେତ୍ରରେ ସବୁ ପକ୍ଷ ଶତ୍ରୁର ମିସାଇଲ,ଡ୍ରୋନ ଓ ଯୁଦ୍ଧବିମାନର ମାର୍ଗରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରକ୍ରିୟାର ଉପଯୋଗ କରିଥାନ୍ତି । ଯେଉଁଥିରେ ସୈନ୍ୟମାନେ ଜାଣିଶୁଣି ନାଭିଗେସନ ଉପକରଣ ଦ୍ୱାରା ଉପଯୋଗ ହେଉଥିବା ସମାନ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‌ରେ ଉଚ୍ଚ ତୀବ୍ରତାଯୁକ୍ତ ରେଡିଓ ସିଗ୍‌ନାଲ ପ୍ରସାରିତ କରିଥାନ୍ତି । ଜାମିଂ ଫଳରେ ଉପଗ୍ରହ ଆଧାରିତ ସ୍ଥିତି ନିର୍ଦ୍ଧାରଣ ବାଧାପ୍ରାପ୍ତ ହୋଇଥାଏ । ଫଳରେ ବିମାନ କିମ୍ବା ଜାହାଜ ଚଳାଚଳ ପ୍ରଭାବିତ ହୁଏ । 

ଅନ୍ୟପକ୍ଷରେ ସ୍ପୁଫିଙ୍ଗ କାରଣରୁ ଭୁଲ ସ୍ଥାନର ଠିକଣା ମିଳିଥାଏ । ଯେପରିକି ଜାହାଜ ବିମାବନ୍ଦର, ଭୂପୃଷ୍ଠ କିମ୍ବା ଆଣବିକ ଶକ୍ତି କେନ୍ଦ୍ର ନିକଟରେ ରହିଥିବାର ଦେଖାଯିବ । ଶତ୍ରୁକୁ ଭୁଆଁ ବୁଲାଇବା ଲାଗି ଏଭଳି କରାଯାଇଥାଏ । ଯୁଦ୍ଧ ରଣନୀତିର ଉପଯୋଗ ବଢ଼ିଚାଲିଥିବାରୁ ଏଭଳି ଜାମିଂ ଓ ସ୍ପୁଫିଙ୍ଗର ପ୍ରଭାବ ଯୁଦ୍ଧକ୍ଷେତ୍ର ଠାରୁ କାହିଁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ । ଜାହାଜ ଚଳାଚଳ ଗୁଇନ୍ଦା ସଂସ୍ଥା ୱିଣ୍ଡୱାର୍ଡର ତଥ୍ୟ ଅନୁସାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ୟୁଏଇ, କାତାର, ଓମାନ ଓ ଇରାନର ଜଳମାର୍ଗରେ ୧୧୦୦ରୁ ଅଧିକ ପଣ୍ୟବାହୀ ଜାହାଜର ନାଭିଗେସନ ସିଷ୍ଟମ ଇଲେକ୍ଟ୍ରୋନିକ ହସ୍ତକ୍ଷେପ ଯୋଗୁ ପ୍ରଭାବିତ ହୋଇଥିଲା । ସେହିଭଳି ମାର୍ଚ୍ଚ ୭ରେ ପଶ୍ଚିମ ଏସିଆରେ ୧୬୫୦ରୁ ଅଧିକ ଜାହାଜର ନାଭିଗେସନ ସିଷ୍ଟମରେ ତ୍ରୁଟି ଦେଖାଦେଇଥିଲା । ଯାହାକି ଗତ ସପ୍ତାହ ଠାରୁ ୫୫ ପ୍ରତିଶତ ଅଧିକ ଥିଲା । 

ସାଉଦି ଆରବ, କୁଏତ, ୟୁଏଇ, କତାର, ଓମାନ ଏବଂ ଇରାନର ଉଭୟ ଜଳ ଓ ସ୍ଥଳ ଭାଗରେ ୩୦ ଜାମିଂ କ୍ଲଷ୍ଟରକୁ କମ୍ପାନି ଚିହ୍ନଟ କରିଥିଲା । ଜିପିଏସ୍‌କୁ ଏଭଳି ଭାବେ ଗଡବଡି କରଯାଇଥିଲା କି ଗୋଟିଏ ଜାହାଜ ଭିନ୍ନ ଭିନ୍ନ ସ୍ଥାନରେ ରହିଥିବାର ଦେଖାଯାଇଥିଲା । ଏଭଳି ପରିସ୍ଥିତିରେ ଜାହାଜ ଚଳାଚଳ କରିବା କଷ୍ଟକର ହୋଇଥାଏ । ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏଭଳି ଉପୁଜିଥାଏ । କାରଣ ଜାମିଂ କିମ୍ବା ସ୍ପୁଫିଙ୍ଗ ଦ୍ୱାରା ଜାହାଜ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଥାଏ । କେବଳ ଜାହାଜ ନୁହେଁ, ମିସାଇଲ ଓ ଡ୍ରୋନକୁ ମଧ୍ୟ ଦିଗହରା କରିବା ଲାଗି ଜିପିଏସ୍‌ ସିଷ୍ଟମରେ ହସ୍ତକ୍ଷେପ କରାଯାଉଛି । ଯାହା ଏବେ ଉଭୟ ପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଏହି ଖବରଟକୁ ପଢନ୍ତୁ- ଷ୍ଟେଟ୍ ଅଫ୍ ହୋର୍ମୁଜ୍‌ରେ ଉଗ୍ର ହେଲା ଆମେରିକା-ଇରାନ ଯୁଦ୍ଧ, ବୁଡ଼ିଲା ମାଇନ୍‌ ବିଛାଯାଇଥିବା ଜାହାଜ