ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧକୁ ନେଇ ଏକ ବଡ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯେଉଁଥିରେ ସେ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଇରାନ ସହିତ ତାଙ୍କର ସକାରାତ୍ମକ ଆଲୋଚନା ହୋଇଛି ଏବଂ ଏହାର ସମ୍ପୂର୍ଣ୍ଣ ସମାଧାନ ପାଇଁ ସେ ଆଶା ରଖିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଇରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ଶକ୍ତି ଭିତ୍ତିଭୂମି ଉପରେ ସମସ୍ତ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ବର୍ତମାନ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ସୂଚାଇ ଦେଉଛି ଯେ, ଯୁଦ୍ଧ ଧୀରେ ଧୀରେ ସମାଧାନ ଆଡକୁ ଗତି କରୁଛି।

ଟ୍ରୁଥ୍ ସୋସିଆଲରେ ତାଙ୍କର ପୋଷ୍ଟରେ, ସେ ଲେଖିଛନ୍ତି କି, "ମୁଁ ଏହା ଜଣାଇ ଖୁସି ଯେ, ଗତ ଦୁଇ ଦିନରେ ଆମେରିକା ଏବଂ ଇରାନ ମଧ୍ୟରେ ବହୁତ ଭଲ ଏବଂ ସକାରାତ୍ମକ ଆଲୋଚନା ହୋଇଛି, ଯାହା ମଧ୍ୟପ୍ରାଚ୍ୟରେ ଆମର ସଂଘର୍ଷର ସମ୍ପୂର୍ଣ୍ଣ ସମାଧାନ ସହିତ ଜଡିତ। ଏହି ଆଲୋଚନାର ନିସ୍କର୍ଷ ପରିବେଶକୁ ଶାନ୍ତ ରଖିବ, ଯାହା ସପ୍ତାହ ସାରା ଜାରି ରହିବ, ମୁଁ ଯୁଦ୍ଧ ବିଭାଗକୁ ଇରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ଶକ୍ତି ଭିତ୍ତିଭୂମି ଉପରେ ସମସ୍ତ ସାମରିକ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତି ଚାଲିଥିବା ବୈଠକ ଏବଂ ଆଲୋଚନାର ସଫଳତା ଉପରେ ନିର୍ଭର କରିବ।"

ଟ୍ରମ୍ପଙ୍କ ଘୋଷଣା ବିଷୟରେ ଇରାନ କ’ଣ କହିଛି ? 

ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପୋଷ୍ଟ ଏବେ ପୁଣି ଥରେ ହଇଚଇ ସୃଷ୍ଟି କରିଛି। ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ପରେ, ଇରାନର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଶନର ମୁଖପାତ୍ର ଇବ୍ରାହିମ ରେଜାଇ କହିଛନ୍ତି, "ଲଢ଼େଇ ଜାରି ରହିଛି, ଏବଂ ଏହା ସଇତାନ ପାଇଁ ଆଉ ଏକ ପରାଜୟ। ଟ୍ରମ୍ପ ଏବଂ ଆମେରିକା ପୁଣି ଥରେ ହାରିଛନ୍ତି।" ଇରାନର ଏହି ପ୍ରତିକ୍ରିୟା ଆମେରିକା ରାଷ୍ଟ୍ରପତିଙ୍କୁ ଉତ୍ତେଜିତ କରୁଛି। ଇରାନ ପରଦା ପଛରେ କିମ୍ବା ସିଧାସଳଖ ଆମେରିକା ସହିତ କୌଣସି ଆଲୋଚନା କରିଥିବା କଥାକୁ ମଧ୍ୟ ଅସ୍ୱୀକାର କରୁଛି ଏବଂ ଏହି ଦାବି ଗୁଡ଼ିକ ମିଥ୍ୟା ବୋଲି କହିଛି। ଇରାନ ଟ୍ରମ୍ପଙ୍କ ପଦକ୍ଷେପକୁ ଆତ୍ମସମର୍ପଣ ବୋଲି କହୁଛି। ବର୍ତ୍ତମାନ, ଆମେରିକାର ଷ୍ଟକ୍ ବଜାରରେ ବୃଦ୍ଧି ଦେଖାଯାଉଛି, ଏବଂ ଇରାନର ପଡ଼ୋଶୀ ଦେଶ ଗୁଡ଼ିକ ମଧ୍ୟ କିଛି ଆଶ୍ୱସ୍ତି ଅନୁଭବ କରୁଛନ୍ତି । 

ଏହା ସହ ପଢନ୍ତୁ : ଏବେ ଆଉ ମିଳିବନି ୧୪.୨ କିଲୋର ଘରୋଇ ଗ୍ୟାସ ସିଲିଣ୍ଡର,୧୦ କିଲୋର ସିଲିଣ୍ଡର ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର...