ନୂଆଦିଲ୍ଲୀ,୦୫/୦୬: ମଧ୍ୟପ୍ରାଚ୍ୟରେ ଅଶାନ୍ତି । ବିଶ୍ୱ ବ୍ୟାପାରର ଏକ ପ୍ରମୁଖ ମାର୍ଗ ‘ହୋର୍ମୁଜ’ ବନ୍ଦ ପଡ଼ିଛି । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଏବଂ ସାର ଆମଦାନି ଖର୍ଚ୍ଚ ବଢ଼ିଯାଇଛି । ଏହାର ସିଧା ପ୍ରଭାବ ଭାରତର କୃଷି ଉତ୍ପାଦନ ଖର୍ଚ୍ଚ ଉପରେ ପଡ଼ିବ । ଅନ୍ୟପକ୍ଷରେ ଆଇଏମ୍ଡିର ଅନୁମାନ ରହିଛି ଯେ, ଏଥର ମୌସୁମୀ ଦୁର୍ବଳ ରହିପାରେ । ଅର୍ଥାତ ବର୍ଷା ପରିମାଣ କମ୍ ରହିବ । ଏଲ୍ଲିନୋ ପାଲଟିବ ଚିନ୍ତା । ଏହାର ଅର୍ଥ ଆକାଶରୁ ସମୁଦ୍ର ଯାଏ ଚାଷୀ ତଥା ଅର୍ଥନୀତିକୁ ମିଳିବ ଡବଲ୍ ଝଟ୍କା । ସାର ସବ୍ସିଡି ବାବଦ ସରକାରୀ ରାଜକୋଷ ଉପରେ ପଡ଼ିବ ୩ ଲକ୍ଷ କୋଟି ଟଙ୍କାର ବୋଝ । ଚଳିତ ଆର୍ଥିକବର୍ଷ ବଜେଟରେ ସାର ସବ୍ସିଡି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଭୁ ରାଜନୈତିକ ଅସ୍ଥିରତା ଏବଂ ମୌସୁମୀ ସମସ୍ୟା ଯୋଗୁ ଏଥିପାଇଁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ରାଜକୋଷରୁ ଯିବ ବୋଲି ଅନୁମାନ କରିଛନ୍ତି ଅର୍ଥନୀତିଜ୍ଞ ।
ଭାରତର କୃଷି ବ୍ୟବସାୟ ସର୍ବଦା ଦୁଇଟି ବିଷୟ ଉପରେ ନିର୍ଭର କରେ । ଉପରେ ଆକାଶ ଏବଂ ତଳେ ସମୁଦ୍ର । ଏ ବର୍ଷ ଚାଷୀ ଗୋଟିଏ ନଜର ମୌସୁମୀ ବାଦଲ ଉପରେ ରଖିଥିବାବେଳେ ବଜାରର ଦ୍ୱିତୀୟ ଦୃଷ୍ଟି ରହିଛି ୨୦୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଏଭଳି ଏକ ସ୍ଥାନ ଉପରେ, ଯେଉଁ ବାଟ ଦେଇ ଅତିକ୍ରମ କରିବା ପାଲଟିଛି ମୁସ୍କିଲ । ଏଭଳି ଏକ ଉଦ୍ୟୋଗ ଯିଏ ସର୍ବଦା ବର୍ଷା ପାଇଁ ପ୍ରାର୍ଥନା କରିଆସୁଥିଲା ଉକ୍ତ ଉଦ୍ୟୋଗ ଏବେ‘ହୋର୍ମୁଜ ଷ୍ଟ୍ରେଟ୍’ରେ ଶାନ୍ତି କାମନା କରୁଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହୋର୍ମୁଜରେ ସାମୁଦ୍ରିକ ଜାହାଜ ଚଳାଚଳ ଠପ୍ ହୋଇଯାଇଛି । ଫଳରେ ଭାରତରେ ସାର ଯୋଗାଣ ଚାପରେ । ଜମିରେ ଫସଲ ଅମଳ କମିବା ଏବଂ ଖାଦ୍ୟ ପାନୀୟ ଦର ବୃଦ୍ଧି ଚିନ୍ତା ବଢ଼ିଛି । ଏହି ସଂକଟ ସ୍ପଷ୍ଟ କରିଦେଇଛି ଯେ, ଭାରତ ଚାଷଜମି ସହ ଜଡ଼ିତ କଞ୍ଚାମାଲ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ କେତେ ନିର୍ଭରଶୀଳ । ସାର ବ୍ୟବହାରରେ ବିଶ୍ୱର ଦ୍ୱିତୀୟ ବୃହତ୍ ରାଷ୍ଟ୍ର ଭାରତ କଞ୍ଚାମାଲ ପାଇଁ ଗଲ୍ଫ ରାଷ୍ଟ୍ରଗୁଡ଼ିକ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ । ଏଥିମଧ୍ୟରୁ ଅତି ଜରୁରୀ ଖେପ ସିଧା ଉକ୍ତ ଅଶାନ୍ତ ‘ହୋର୍ମୁଜ’ ମାର୍ଗ ଦେଇ ଆସିଥାଏ । ବର୍ତ୍ତମାନ ସେଠାରେ ଅଶାନ୍ତି ଯୋଗୁ ସାର ଯୋଗାଣ ବାଧା ପାଇଛି ।
ଭାରତୀୟ ଚାଷୀଙ୍କ ପାଇଁ ଏହା ଏକ ଖରାପ ସମୟ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡି ) ଗତ ଶୁକ୍ରବାର ଏକ ଚିନ୍ତାଜନକ ସୂଚନା ଦେଇଛି । ଦେଶ ଏକ ଦଶକ ମଧ୍ୟରେ ଏହାର ସବୁଠୁ ଦୁର୍ବଳ ମୌସୁମୀକୁ ସାମ୍ନା କରିବାକୁ ଯାଉଛି । ସେପଟେ ହୋର୍ମୁଜ ସଂକଟ ଯୋଗୁ ସାର ଯୋଗାଣ ଠପ୍ । ଏପଟେ ଭଲ ବର୍ଷା ହେବ ନାହିଁ । ତେଣୁ ଦେଶ ଏବେ ଏକ ବଡ଼ ସଂକଟର ସାମ୍ନା କରିବାକୁ ଯାଉଥିବା ଆଶଙ୍କା କରିଛନ୍ତି ଅର୍ଥନୀତିିଜ୍ଞ ।
ଅଧିକ ପଢ଼ନ୍ତୁ:- Iran War: ଯୁଦ୍ଧ ଶୀଘ୍ର ଶେଷ ନ ହେଲେ ହାହାକାର ସ୍ଥିତି, ଦରଦାମ ହେବ ଉତ୍କଟ, ଭୋକ ନେବ ବିଶ୍ୱର ଅଧା ଜୀବନ
ଚାଉଳ, ମକା ଏବଂ ସୋୟାବିନ ଭଳି ଜରୁରୀ ଖରିଫ ଫସଲ ବୁଣା ଏ ମାସରୁ ଆରମ୍ଭ ହେଉଛି । ସରକାରଙ୍କୁ ତୁରନ୍ତ ଗ୍ଲୋବାଲ ଟେଣ୍ଡର ଜରିଆରେ ୟୁରିଆ ହାସଲ କରିବାକୁ ପଡ଼ିବ । ବ୍ଲୁମ୍ବର୍ଗ ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ୟୁରିଆ ଦର ବଢି଼ଯାଇଛି । କାରଣ ବିଶ୍ୱର ୪୫% ଯୋଗାଣ ପର୍ସିଆନ ଗଲ୍ଫ ହୋଇ ଆସିଥାଏ । ଭାରତ ଇତିମଧ୍ୟରେ ୨.୫ ନିୟୁତ ଟନ ୟୁରିଆ କିଣିଛି, ଯାହାର ମୂଲ୍ୟ ଯୁଦ୍ଧ ପୂର୍ବ ଦରଠାରୁ ଦୁଇଗୁଣା ଅଧିକ । ଏହି ବିତ୍ତୀୟ ଚାପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଇଥିବା ଆହ୍ୱାନ୍କୁ ଦର୍ଶାଉଛି, ଯେଉଁଥିରେ ସେ ନାଗରିକଙ୍କୁ କେବଳ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କମ୍ କରିବା ପାଇଁ କହିନାହାନ୍ତି ଏହାସହିତ ଚାଷୀଙ୍କୁ ରାସାୟନିକ ସାର ବ୍ୟବହାର ଅଧା କରିବା ପାଇଁ ଅନୁରୋଧ କରିଛନ୍ତି । ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅନୁରୋଧ ଅର୍ଥବ୍ୟବସ୍ଥା ପାଇଁ ଏକ ନିରାଟ ସତକୁ ଉଜାଗର କରୁଛି । ଏବେ କେବଳ ସୁନା ଏବଂ ଅଶୋଧିତ ତୈଳ ଭାରତର ଆମଦାନି ବିଲ୍ ବଢ଼ାଉନାହାନ୍ତି ବିଦେଶୀ ସାର ବି ବାଣିଜ୍ୟ ନିଅଣ୍ଟକୁ ଦ୍ରୁତ ବେଗରେ ବଢ଼ାଉଛି ।
ଲଗାତର ବଢ଼ୁଛି ଆମଦାନି ବିଲ୍
ପିଡବ୍ଲ୍ୟୁସି ଇଣ୍ଡିଆର ତୈଳ ଏବଂ ଗ୍ୟାସ, ଇନ୍ଧନ ଏବଂ ରିସୋର୍ସେସ ଲିଡର ମାନସ ମଜୁମଦାର କୁହନ୍ତି, ଭାରତ ଏକ ଦୁଷ୍ଚକ୍ରର ସାମ୍ନା କରୁଛି । ସାର ଆମଦାନି ଖର୍ଚ୍ଚ ବୃଦ୍ଧି, ସାର ସବ୍ସିଡି ବୋଝ ସହିତ ଭାରତର ଆମଦାନି ବିଲ୍ ବଢ଼ାଉଛି ଏବଂ ବାଣିଜ୍ୟିକ ନିଅଣ୍ଟକୁ ପ୍ରଶସ୍ଥ କରୁଛି, ଯାହାର ପ୍ରଭାବ ଟଙ୍କା ଉପରେ ପଡୁଛି । ୨୦୨୫-୨୬ରେ ସାର ସହ ଜଡ଼ିତ ଭାରତର ମୋଟ ଫୋରେକ୍ସ ଖର୍ଚ୍ଚ ପାଖାପାଖି ୨୭ ବିଲିୟନ ଡଲାର ଥିଲା । ଯଦି ମଧ୍ୟପ୍ରାଚ୍ୟ ସଂକଟ ବର୍ଷ ତମାମ ଜାରି ରୁହେ ତେବେ ଏହା ବଢ଼ି ୩୩ ବିଲିୟନ ଡଲାର ପାର କରିପାରେ ।
ଭାରତ ଉପରେ ବଢୁଥିବା ବିତ୍ତୀୟ ଚାପର ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛନ୍ତି ମଜୁମଦାର । ବର୍ଦ୍ଧିତ ସାର ବିଲ୍ ସହିତ ତେଲ ଆମଦାନି ଯୋଗୁ ବି ଚାପ ବଢୁଛି । ବ୍ୟାରେଲ ପିଛା ତେଲ ଦରରେ ପ୍ରତି ୧୦ ଡଲାର ବୃଦ୍ଧି ଭାରତର ଆମଦାନି ବିଲ୍କୁ ୧୮ ବିଲିୟନ ଡଲାର ବଢ଼ାଇଥାଏ । ଫଳରେ ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଚଳିତ ଆର୍ଥିକବର୍ଷ ଦୁଇ ଗୁଣା ହୋଇ ଜିଡିପିର ୧.୫ରୁ ୨.୦% ହେବାର ଅନୁମାନ ରହିଛି । ଏହି ଘାଟା ୧୭ ବିଲିୟନ ଡଲାରରୁ ୧୮ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ବହିଃପ୍ରବାହ ଦ୍ୱାରା ଆହୁରି ଅଧିକ ବିକୃତ ହୋଇଯିବ । ପରିଣାମସ୍ୱରୂପ ଭାରତକୁ ୫୦ରୁ ୬୫ ବିଲିୟନ ଡଲାରର ଆନୁମାନିକ ବାଲାନ୍ସ ଅଫ୍ ପେମେଣ୍ଟ୍ସ ଡେଫିସିଟ୍ର ସାମ୍ନା କରିବାକୁ ପଡ଼ିପାରେ । ଏହା ଲଗାତର ତୃତୀୟ ବର୍ଷ ହେବ, ଯେବେ ଭାରତର ଖାତା ଘାଟାରେ ଅଛି, ଯାହା ଏକ ବିରଳ ଏବଂ ଚିନ୍ତାଜନକ ସ୍ଥିତି ।
ଟଙ୍କା ଉପରେ ଚାପ
ଗତ ବର୍ଷକରେ ଟଙ୍କା ବହୁ ମାତ୍ରାରେ ଦୁର୍ବଳ ହୋଇଯାଇଛି । ଆମେରିକା ଡଲାର ତୁଳନାରେ ଏହି କରେନ୍ସି ପ୍ରାୟ ୮୫ ଡଲାରରୁ ଖସି ୯୫ ଡଲାରରୁ ଅଧିକ ସ୍ତରରେ ପହଞ୍ଚିଯାଇଛି । ଲମ୍ବା ସମୟ ଧରି ଚାଲିଥିବା ଯୁଦ୍ଧ ଟଙ୍କାକୁ ଆହୁରି ବିକୃତ କରିବ । ମଜୁମଦାର କହିଛନ୍ତି ଯେ, ଯଦି ମଧ୍ୟପ୍ରାଚ୍ୟରେ ସଂକଟ ଜାରି ରୁହେ ତେବେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୧୦୦ ଡଲାର ପାର କରିପାରେ । ଯାହାଦ୍ୱାରା ଆମଦାନି ଖର୍ଚ୍ଚ ଆହୁରି ବଢ଼ିଯିବ ଏବଂ ଦରଦାମ ଚାପ ବଢ଼ିବ ।
ୟୁରିଆ ଓ ଡିଏପି ଦର ଦୁଇଗୁଣା
ଚାଷୀଙ୍କୁ ବର୍ଦ୍ଧିତ ସାର ଦରରୁ ବଞ୍ଚାଇବା ଅନ୍ୟ ଏକ ଆହ୍ୱାନ । କାରଣ ସରକାର ଚାଷୀଙ୍କ ସୁରକ୍ଷା ପାଇଁ ଖୁଚୁରା ଦର ଧାର୍ଯ୍ୟ କରିଥାନ୍ତି । ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିଯାଏ ସେତେବେଳେ କେନ୍ଦ୍ର ସରକାରଙ୍କୁ ଅନ୍ତର୍ଜାତୀୟ ଦର ଏବଂ ଖୁଚୁରା ଦର ମଧ୍ୟରେ ଅନ୍ତରକୁ ବହନ କରିବାକୁ ପଡ଼ିଥାଏ । ଏହି ବର୍ଦ୍ଧିତ ବୋଝ ମଧ୍ୟରେ ଭାରତ ପାଇଁ ଜିଡିପିର ୪.୩% ରାଜକୋଷୀୟ ଘାଟା ଲକ୍ଷ୍ୟ ପୂରଣ କରିବା ମୁସ୍କିଲ । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂକଟ ପ୍ରତ୍ୟେକ ଆଡୁ ଆମଦାନି ଖର୍ଚ୍ଚ ବଢ଼ାଉଛି । କ୍ରିସିଲ ଇଣ୍ଟେଲିଜେନ୍ସ ଅନୁସାରେ, ନିକଟରେ ୟୁରିଆ ଏବଂ ଡିଏପି(ଡାଇ-ଆମୋନିୟମ ଫସ୍ଫେଟ୍)ର ଆମଦାନି ଖର୍ଚ୍ଚ ବଢ଼ି ମେଟ୍ରିକଟନ ପିଛା ପ୍ରାୟ ୯୫୦ ଡଲାର ହୋଇଯାଇଛି, ଯାହା ଯୁଦ୍ଧ ଆରମ୍ଭ ହେବା ପୂର୍ବ ସମୟ ତୁଳନାରେ ଯଥାକ୍ରମେ ୧୨୩% ଏବଂ ୩୯% ଅଧିକ ।