ନୂଆଦିଲ୍ଲୀ,୦୫/୦୬: ଇରାନ ଯୁଦ୍ଧକୁ ଇତି ମଧ୍ୟରେ ୩ ମାସରୁ ଅଧିକ ସମୟ ହୋଇଗଲାଣି । ଏହା ଶେଷ ହେବାର ନାଁ ଗନ୍ଧ ନାହିଁ । ହୋର୍ମୁଜ ପଥରେ ଜାହାଜ ଚଳାଚଳ ଠପ୍ ପଡ଼ିଛି । ଇରାନ ମଧ୍ୟ ବାବ ଅଲ୍ ମନ୍ଦେବକୁ ବନ୍ଦ କରିବାକୁ ଧମକ ଦେଇଛି । ଏହା ଲୋହିତ ସାଗରକୁ ଗଲ୍ଫ ଅଫ୍ ଅଦେନ୍ ସହ ଯୋଡ଼ିଥାଏ । ୟୁରୋପ ଏବଂ ଏସିଆ ମଧ୍ୟରେ ବ୍ୟାପାରର ଏହା ମୁଖ୍ୟ ରାସ୍ତା । ଏଭଳି ସ୍ଥିତିରେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।

ଇରାନ ଯୁଦ୍ଧ ଯୋଗୁ ବିଶ୍ୱରେ ତେଲ, ଗ୍ୟାସ ଏବଂ ସାର ଯୋଗାଣ ସଂକୁଚିତ ହୋଇଛି । ଦରଦାମ ସ୍ଥିତି ଉତ୍କଟ । ଫଳରେ ବିଶ୍ୱର ଅଧା ଲୋକ ଭୋକରେ ମୃତ୍ୟୁବରଣ କରିବାର ସ୍ଥିତି ଉପୁଜିଥିବା କୁହନ୍ତି ବିଶେଷଜ୍ଞ । ଇରାନ ଯୁଦ୍ଧ ପରେ ସାର ଦରରେ ୫୦% ବୃଦ୍ଧି ଘଟିଛି । ଏହାର ସିଧା ପ୍ରଭାବ ଖାଦ୍ୟପାନୀୟ ସାମଗ୍ରୀ ବିଶେଷ କରି ଚାଉଳରେ ଦେଖିବାକୁ ମିଳୁଛି । ମେ’ରେ ଏସୀୟ ବେଞ୍ଚ୍‌ମାର୍କ ଥାଇଲାଣ୍ଡ ହ୍ୱାଇଟ୍ ରାଇସ୍ ଦରରେ ୨୦% ବୃଦ୍ଧି ଘଟିଛି । ଏପ୍ରିଲରେ ଏହା ୨୬% ବଢ଼ିଥିଲା । ଏହାର ଦର ଟନ୍ ପିଛା ୪୮୦ ଡଲାରରେ ପହଞ୍ଚିଛି । ଏହିଭଳି ଭାବେ ସିକାଗୋ ରାଇସ୍ ଫ୍ୟୁଚର୍ସ ବି ଗତ ମାସ ୧୫% ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ :-  US President: ଟ୍ରମ୍ପଙ୍କୁ ଶକ୍ତ ଝଟ୍କା, ସ୍ପିକରଙ୍କ ବିରୋଧ ସତ୍ତ୍ୱେ ଆମେରିକା ସଂସଦରେ ପାସ୍ ହେଲା ରାଷ୍ଟ୍ରପତିଙ୍କ ବିରୋଧୀ ପ୍ରସ୍ତାବ !

ବିଶ୍ୱର ଅଧା ଜନସଂଖ୍ୟା ଅର୍ଥାତ୍ ୩୫୦ରୁ ୪୦୦ କୋଟି ଲୋକଙ୍କ ମୁଖ୍ୟ ଆହାର ହେଉଛି ଚାଉଳ । ଧାନ ଫସଲରେ ସାରର ଅଧିକ ବ୍ୟବହାର ହୋଇଥାଏ କିନ୍ତୁ ଆଗକୁ ସାର ଦରରେ କୌଣସି ହ୍ରାସ ସମ୍ଭାବନା ନାହିଁ । ସାର ଦର ଆହୁରି ବଢ଼ିପାରେ । ସାର ବିପତ୍ତିର ସମାଧାନ ନ ହେଲେ ଆଗକୁ ବଡ଼ କ୍ଷୁଧା ସମସ୍ୟା ଉପୁଯିବ ବୋଲି ଆଶଙ୍କା କରାଯାଇଛି ।