ରାଜସ୍ଥାନରେ ମିଗ୍-୨୭ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ସୁରକ୍ଷିତ

ଯୋଧପୁର,୩୧।୩:ରାଜସ୍ଥାନର ଯୋଧପୁରରେ ଆଜି ବାୟୁସେନାର ମିଗ୍ ୨୭ ୟୁପିଜି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଏୟାରକ୍ରାଫ୍ଟ ରୁଟିନ୍ ମିଶନରେ ଥିଲା। ତେବେ ଏଥିରେ ଥିବା ଦୁଇଜଣ ପାଲଇଟ ସୁରକ୍ଷିତ ଥିବାର ସୂଚନା ମିଳିଛି। କୁହାଯାଉଛି ଯେ ଏହି ଏୟାରକ୍ରାଫ୍ଟ ସିରୋହୀର ଗୋଣ୍ଡନା ନିକଟସ୍ଥ ଶିବଗଞ୍ଜରେ ଦୁର୍ଘଟଣାଗସ୍ତ ହୋଇଛି।

ଭାରତୀୟ ବାୟୁସେନା ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ରବିବାର ସକାଳ ୧୧ଟା ୪୫ ମିନିଟରେ ଏକ ମିଗ୍-୨୭ ୟୁପିଜି ବିମାନ, ଯାହାକି ଉଟାରଲାଇ ବାୟୁସେନା ବେସରୁ ଉଡାଣ ଆରମ୍ଭ କରିଥିଲା। ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଯୋଧପୁର ଠାରୁ ପ୍ରାୟ ୧୨୦ କିଲୋମିଟର ଦକ୍ଷିଣରେ ଦୁର୍ଘଟଣାଗସ୍ତ ହୋଇଥିଲା। ପାଇଲଟଙ୍କୁ ସୁରକ୍ଷିତ ଭାବରେ ବାହାର କରିଦିଆଯାଇଛି। ପ୍ରାଥମିକ ରିପୋର୍ଟରେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ନାହିଁ। କୋର୍ଟ ଅଫ୍ ଇନକ୍ବାରୀ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବେ।

ଏହା ପୂର୍ବରୁ ଚଳିତ ମାସ ବିକାନେରରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ। ଭାରତୀୟ ବାୟୁସେନାରେ ୧୯୬୩ ପରେ ବହୁ ପରିମାଣରେ ୧,୨୦୦ରୁ ଅଧିକ ମିଗ୍ ଯୁଦ୍ଧ ବିମାନ ସାମିଲ କରାଯାଇଥିଲା। ପ୍ରାୟ ୫ ଦଶକ ପୁରୁଣା ହୋଇସାରିଥିବା ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଘଟଣା ଖୁବ୍ ସାଧାରଣ କଥା। ଏବେ ଏହି ବିମାନ ବଦଳାଇବା ନେଇ ଗତ କିଛି ଦିନ ହେବ ଦାବି କରାଯାଉଛି।