ଢେଙ୍କାନାଳ, ୦୮/୦୫ : ଖଣି, ଶିଳ୍ପ, କୃଷି କ୍ଷେତ୍ରରେ ସମୃଦ୍ଧ ଢେଙ୍କାନାଳ ଜିଲ୍ଲା । ବିଭିନ୍ନ କାମ ପାଇଁ ବାହାର ଜିଲ୍ଲା ତଥା ରାଜ୍ୟରୁ ଶ୍ରମିକ କାମ ପାଇଁ ଆସିଥାନ୍ତି । ମାତ୍ର କିଛି ବର୍ଷ ହେଲା ଢେଙ୍କାନାଳ ଜିଲ୍ଲାରୁ ଅନେକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଭିଡ୍‌ ପରଠାରୁ ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ବଢ଼ୁଛି । ୨୦୨୨ ମସିହାରେ ୧୦୦ ଜଣ ଦାଦନ ଯାଇଥିବା ବେଳେ ଏହି ସଂଖ୍ୟା ବଢି ୨୦୨୫ ମସିହାରେ ୧୭୦୪ଜଣରେ ପହଞ୍ଚିଛି । ସରକାରୀ ସଂଖ୍ୟା ଏତିକି ଥିବା ବେଳେ ବେସରକାରୀ ଭାବେ ଯଥେଷ୍ଟ ଅଧିକ ସଂଖ୍ୟାକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାରେ ନିଯୁକ୍ତି ନମିଳିବା, ଅଧିକ ମଜୁରି ଲୋଭ ଓ ବାହାରେ କାମ କରିବାର ମାନସିକତା ଯୋଗୁଁ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ଏଦିଗରେ ଶ୍ରମ ବିଭାଗ ହାତ ବାନ୍ଧି ବସିଛି ।  

ସରକାରୀ ତଥ୍ୟ ଅନୁସାରେ କୋଭିଡ୍‌ ପରଠାରୁ ଢେଙ୍କାନାଳ ଜିଲ୍ଲାରେ ଦାଦନଙ୍କ ସଂଖ୍ୟା ବଢି ଚାଲିଛି। ସରକାରୀ ତଥ୍ୟ ହିସାବରେ ୨୦୨୦ ଓ ୨୦୨୧ ମସିହା ବେଳକୁ କୌଣସି ଦାଦନ ଶ୍ରମିକ ନଥିବା ବେଳେ ୨୦୨୨ ମସିହା ପରଠାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି । ନିୟମ ଅନୁସାରେ ଶ୍ରମ ବିଭାଗରୁ ଲାଇସେନ୍ସ ନେଇ ଠିକାଦର ଶ୍ରମିକଙ୍କୁ ବାହାରକୁ ନେବାର ପ୍ରାବଧାନ ରହିଛି । ଏଥିପାଇଁ ବିଭିନ୍ନ ସ୍ୱତନ୍ତ୍ର ନୀତି ନିୟମ ରହିଛି। ଏହି ଲାଇସେନ୍ସ ମାଧ୍ୟମରେ ୨୦୨୨ ମସିହାରେ ଜଣେ ଲାଇସେନ୍ସ ହୋଲଡର୍‌ ବା ଠିକାଦାରଙ୍କ ଜରିଆରେ ୧୦୦ ଜଣ ଶ୍ରମିକ ଦାଦନ ଯାଇଥିଲେ । ଏହି ସଂଖ୍ୟା ୨୦୨୩ ମସିହାରେ ଆହୁରି ବଢ଼ିଥିଲା । ସେବର୍ଷ ୧୩ ଜଣ ଠିକାଦାରଙ୍କ ଜରିଆରେ ୧୧୩୦ ଜଣ ଦାଦନ ଯାଇଥିଲେ । ୨୦୨୪ ମସିହାରେ ୭ ଜଣ ଠିକାଦାରଙ୍କ ଦ୍ୱାରା ୪୮୦ ଜଣ ଦାଦନ ଯାଇଥିଲେ । ୨୦୨୫ ମସିହାରେ ଏହା ବଢ଼ିଥିଲା । ଏହି ବର୍ଷ ୧୯ ଜଣ ଠିକାଦାକରଙ୍କ ଜରିଆରେ ୧୭୦୪ ଜଣ ଶ୍ରମିକ ଦାଦନ ଯାଇଥିଲେ । ୨୦୨୬ ମସିହାରେ ଏହି ସଂଖ୍ୟା ଅଧିକ ହେବ ବୋଲି ଜଣାଯାଇଛି ।

ଅନ୍ୟପକ୍ଷରେ ସରକାରୀ ତଥ୍ୟ ଠାରୁ ବାସ୍ତବ ସଂଖ୍ୟା ଢେର୍‌ ଅଧିକ । ୨୦୨୧ ମସିହା ସୁଦ୍ଧା ଜିଲ୍ଲାରେ କୌଣସି ଦାଦନ ଶ୍ରମିକ ନଥିବା ତଥ୍ୟ କହୁଛି । ମାତ୍ର ୨୦୨୦ ମସିହାରେ କୋଭିଡ୍‌ ସମୟରେ ଅନେକ ଦାଦନ ଶ୍ରମିକଙ୍କୁ ଫେରାଇ ଆଣାଯାଇଥିଲା । ୨୦୨୧ ମସିହାରେ ୨୪ ଦାଦନ ଶ୍ରମିକ ଏକ ବସ୍‌ରେ ତାମିଲନାଡୁ ଯାଉଥିବା ବେଳେ ଢେଙ୍କାନାଳ କୋରିଆଁ ଛକରେ ପୁଲିସ୍‌ ଅଟକାଇଥିଲା । ଜଣେ ଦାଦନ ଦଲାଲ ଢେଙ୍କାନାଳ, କଙ୍କଡ଼ାହାଡ଼ ଓ ପଡୋଶୀ କେନ୍ଦୁଝର ଜିଲ୍ଲାର ୨୪ ଜଣଙ୍କୁ ନେଇ ଯାଉଥିଲେ । ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲା । ଜିଲ୍ଲାରେ କାମ ମିଳୁନଥିବା ବେଳେ ଅଧିକ ମଜୁରୀ ପାଇଁ ବାହାରକୁ ଯାଉଥିବା କହିଥିଲେ । ଏହିଭଳି ବିଭିନ୍ନ ସମୟରେ ଶ୍ରମିକ ବାହାରକୁ ଯାଉଛନ୍ତି । ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଥାଏ ।

​​​​​​​

ଢେଙ୍କାନାଳ ଜିଲ୍ଲାରେ ଏବେ ବିଭିନ୍ନ ଶିଳ୍ପ, କାରଖାନା ରହିଥିଲେ ବି ଅଧିକ ବାହାର ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । ମାତ୍ର ଶ୍ରମ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ଜିଲ୍ଲାରେ ଦାଦନ ସଂଖ୍ୟା ବଢି ଚାଲିଥିବା ସରକାରୀ ତଥ୍ୟ କହୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଦାଦନ ସମସ୍ୟା ନଥିବା ସଫେଇ ଦେଇଛି । ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାରେ ଆହୁରି ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବହୁ ରାଷ୍ଟ୍ରୀୟ କମ୍ପାନୀ ପ୍ରତିଷ୍ଠା ହେବା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମାତ୍ର ସ୍ଥାନୀୟ ଶ୍ରମିକଙ୍କୁ ସେଠାରେ କାମ ମିଳିବ କି ନାହିଁ ତାହା ସମୟ କହିବ।

ଏହି ଖବରଟିକୁ ପଢନ୍ତୁରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ ,ଅଧ୍ୟକ୍ଷତା କରିବେ ଆରଡିସି