ପୁରୀ,୦୮/୦୫: ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୬ ତାରିଖରେ ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରାର ଏହି ଭବ୍ୟ ଉତ୍ସବ ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ସହ ସମାପ୍ତ ହେବ । ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଭିଡ଼ ନିୟନ୍ତ୍ରଣ, ନିର୍ଦ୍ଧାରିତ ସମୟରେ ରଥଟଣା, ପହଣ୍ଡି ଓ ଅନ୍ୟାନ୍ୟ ରଥଯାତ୍ରା ନୀତିଶୃଙ୍ଖଳା, ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ଉତ୍ତମ ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା, ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବଜାୟ ରଖିବା, ଶ୍ରଦ୍ଧାଳୁଙ୍କ ନିମନ୍ତେ ଶୋଷଣମୁକ୍ତ ବ୍ୟବସ୍ଥା କରିବା, ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଓ ଟିକେଟ କାଉଣ୍ଟର ବ୍ୟବସ୍ଥା, ପର୍ଯ୍ୟାପ୍ତ ବିଶ୍ରାମାଗାର ବ୍ୟବସ୍ଥା, ମୋବାଇଲ ନେଟ୍ୱାର୍କ ଭିଡ଼ ଭିତରେ ବଜାୟ ରଖିବା, ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ରାସ୍ତା ମରାମତି ଓ ପୁନଃନିର୍ମାଣ ସାରିବା ପ୍ରଶାସନ ନିକଟରେ ଚାଲେଞ୍ଜ ହେବ । ଏହାକୁ ସୁପରିଚାଳନା ନିମନ୍ତେ ଶୁକ୍ରବାର ଟାଉନ୍ ହଲ୍ ଠାରେ ହେବାକୁ ଯାଉଛି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ ।
ଆର୍ଡିସି (ସେଣ୍ଟ୍ରାଲ ଡିଭିଜନ)ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଆଇନ ବିଭାଗର ସଚିବ, ପୁଲିସ ବିଭାଗର ପ୍ରମୁଖ ଅଧିକାରୀ, ପ୍ରାଶାସନିକ ଅନ୍ୟ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପ୍ରାଶାସନିକ କେତେକ ପ୍ରମୁଖ ଅଧିକାରୀ ଯୋଗଦେବେ । ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ନିମନ୍ତେ ପାଇଥିବା ଦାୟିତ୍ୱ କେତେ ତୁଲାଇଛନ୍ତି ତାହାକୁ ସମୀକ୍ଷା କରିବେ । ବୈଠକରେ ଉପସ୍ଥିତ ସେବାୟତ, ବୁଦ୍ଧିଜୀବୀମାନଙ୍କ ମତାମତ ଅନୁଯାୟୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ବୈଠକରେ ଅଧିକାରୀଙ୍କୁ ଦାୟିତ୍ୱ ଦେବେ ଆର୍ଡିସି । ରଥଯାତ୍ରାକୁ ଶୃଙ୍ଖଳିତ ପାଳନ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଫେବ୍ରୁଆରୀ ମାସରେ ହୋଇଥିବା ବୈଠକରେ ପ୍ରାଶାସନିକ ଅଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ୱ ଏପର୍ଯ୍ୟନ୍ତ ଠିକଣା ସମୟରେ ସରିନାହିଁ । ଏପ୍ରିଲ୍ ଶେଷ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ ସାରିବେ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ହେଁ ସଂପୂର୍ଣ୍ଣ ହୋଇନାହିଁ ।
ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା କାନ୍ଥ ଓ ସ୍ୱତନ୍ତ୍ର ଦ୍ୱାର ନିର୍ମାଣ କାମ ଅଧା ସରିଛି । ସେହିପରି ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରେନ୍ ସଫେଇ, ଡ୍ରେନ୍ ମରାମତି, ଡ୍ରେନ୍ ଉପରେ ସ୍ଲାବ୍ ପକାଇବା କାମ ସାରିବାକୁ ବୈଠକରେ ଦାୟିତ୍ୱ ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ୫୦% ମଧ୍ୟ କାମ ସରିନି । ରଥଯାତ୍ରା ପାସ୍ ବଣ୍ଟନ, ପୁରୀ ବଡ଼ଦାଣ୍ଡ ସମେତ ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଅସ୍ଥାୟୀ କ୍ୟାମେରା ଲାଗିବାକୁ ରହିଛି । ଏପ୍ରିଲ ଶେଷ ସୁଦ୍ଧା କାମ ସରିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ହେଁ ଏପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ଅସ୍ଥାୟୀ କ୍ୟାମେରା ଇଷ୍ଟଲେସନ କାମ ସରିପାରିନି । ସେହିପରି ବଡ଼ଦାଣ୍ଡ ମେଡିକାଲ ଛକ-ବାଟଗାଁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହୋଇପାରିନି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ, ପୁରୀ-କୋଣାର୍କ, ପୁରୀ-ସାତପଡ଼ା, ପୁରୀ- ନିରାକାରପୁର ଜଗନ୍ନାଥ ସଡ଼କ ଖାଲଖମା ହୋଇପଡ଼ିଛି ।
ଆହୁରି ପଢନ୍ତୁ-ଗ୍ୟାସ, କ୍ଷୀର ପରେ ଆଳୁ ଦର ୩ ଟଙ୍କା ବୃଦ୍ଧି,ଖୁଚୁରାରେ ୧୩ରୁ ୧୫ ଟଙ୍କା ଯାଏ ବିକ୍ରି
ସେପଟେ ତାଳବଣିଆ ପାର୍କିଂ, ସମଙ୍ଗ ପାର୍କିଂ, ବହୁତଳ ପାର୍କିଂ ସ୍ଥାନ ଅଞ୍ଚଳର ଉନ୍ନତୀକରଣ ସହ ମାଟିଆପଡ଼ା ରେଳ ଫାଟକ ଓଭର୍ବ୍ରିଜ୍ ନିର୍ମାଣ କାମ ଜୁନ୍ ଶେଷ ସୁଦ୍ଧା ସାରିବାକୁ ଓ ଏହାର ନିରୀକ୍ଷଣ ଦାୟିତ୍ୱ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ଉପରେ ନ୍ୟସ୍ତ ରହିଛି । ତେଣୁ ଏହାକୁ ଖୁବ୍ ଗୁରୁତ୍ୱ ଦିଆଯାଇ ବୈଠକରେ ଆଲୋଚନା ହେବ । ସେହିପରି ଗତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ରଥ ପାଖରେ ଘଟିଥିବା ଦଳାଚକଟା ଜନିତ ମୃତାହତ ହେବା ଘଟଣା ପରେ ରଥକୋଡ୍ ମାର୍ଗଦର୍ଶିକା ସରଳୀକରଣ ନେଇ ମଧ୍ୟ ଆଲୋଚନା ହୋଇପାରେ । ଗତବର୍ଷ ରଥଯାତ୍ରା ପରିଚାଳନାରେ ଫେଲ୍ ମାରିବା ସହ ଦୁର୍ନାମ ମୁଣ୍ଡାଇଥିବା ପ୍ରଶାସନ ଚଳିତ ବର୍ଷ କିପରି ଏହାର ସୁପରିଚାଳନା କରିବ ସେନେଇ ପ୍ରାଥମିକ ପ୍ରସ୍ତୁତି ବୈଠକରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ । ପରବର୍ତ୍ତୀ ସମନ୍ୱୟ ବୈଠକମାନଙ୍କରେ ଏହାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ।