ଇପିଏଫ୍ଓରେ ପାଣ୍ଠି ସଙ୍କଟ, ବଢ଼ିବନି ସର୍ବନିମ୍ନ ପେନ୍ସନ୍

source:http://www.dailyexcelsior.com
ନୂଆଦିଲ୍ଲୀ,୨୮ା୩(ଏଜେନ୍ସି): ଅବସର ପାଣ୍ଠି ସଂସ୍ଥା ଇପିଏଫ୍ଓ ନିଜର ପାଖାପାଖି ୪.୫ ନିୟୁତ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତାବିତ ସର୍ବନିମ୍ନ ପେନ୍ସନ୍ ବୃଦ୍ଧି ଯୋଜନାକୁ ସ୍ଥଗିତ ରଖିଛି । ଦୀର୍ଘ ମାସ ଧରି ଆଲୋଚନା ସତ୍ତେ୍ୱ ପାଣ୍ଠି ଅଭାବରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା (ଇପିଏଫ୍ଓ) ପେନ୍ସନ୍ ବୃଦ୍ଧି ପ୍ରସ୍ତାବ ନେଇ ଏଭଳି କଠୋର ନିଷ୍ପତ୍ତି ନେଇଛି ।
ଇପିଏଫ୍ଓ ଉପଭୋକ୍ତାଙ୍କ ପାଇଁ ସର୍ବନିମ୍ନ ପେନ୍ସନ୍କୁ ଏବେକାର ମାସିକ ୧,୦୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବଢ଼ାଇବା ଉଦ୍ଦେଶ୍ୟରେ ଅବସର ପାଣ୍ଠି ପ୍ରବନ୍ଧକଙ୍କ ଏକ ଅନ୍ତରୀଣ କମିଟି ସୁପାରିସ କରିଥିଲା । କିନ୍ତୁ ବର୍ତ୍ତମାନ ସମୟ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏହି ଯୋଜନାକୁ ସ୍ଥଗିତ ରଖିଛି । ଶ୍ରମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇପିଏଫ୍ର ସର୍ବନିମ୍ନ ମାସିକ ପେନ୍ସନ୍ ଦ୍ୱିଗୁଣିତ ପାଇଁ ଥିବା ଯୋଜନାକୁ ଏବେ ସ୍ଥଗିତ ରଖାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ କଲେ, ସରକାରଙ୍କ ଉପରେ ବଡ଼ ଧରଣର ବୋଝ ପଡ଼ିବାକୁ ଥିବାରୁ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି ।
ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏବେ ଇପିଏଫ୍ଓ ଅଧୀନରେ ୬ ନିୟୁତ ପେନ୍ସନ୍ଭୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪.୫ ନିୟୁତ ପେନ୍ସନ୍ଭୋଗୀ ମାସକୁ ୨,୦୦୦ ଟଙ୍କାରୁ କମ୍ ପେନ୍ସନ୍ ପାଉଛନ୍ତି । ଯଦି ସର୍ବନିମ୍ନ ପେନ୍ସନ୍କୁ ଦ୍ୱିଗୁଣିତ କରାଯିବ, ତେବେ ସରକାରଙ୍କ ଉପରେ ଅତିରିକ୍ତ ୧,୫୦୦ କୋଟି ଟଙ୍କା ବୋଝ ପଡ଼ିବ । ସର୍ବନିମ୍ନ ପେନ୍ସନ୍ ବୃଦ୍ଧି ଯୋଜନା ଲାଗୁ ପାଇଁ ଇପିଏଫ୍ଓକୁ ପରିଚାଳନା କରୁଥିବା ଶ୍ରମ ମନ୍ତ୍ରାଳୟ ନିକଟରେ ୨ଟି ପ୍ରମୁଖ ପ୍ରତିବନ୍ଧକ ରହିଛି । ପ୍ରଥମତଃ ଏହା ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ । ଦ୍ୱିତୀୟରେ ଏବେ ନିର୍ବାଚନ ସମୟ ଚାଲିଛି । ଏଣୁ ଅଧିକ ପାଣ୍ଠି ଦାବିକୁ ସରକାର ପୂରଣ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ପେନ୍ସନ୍ ପରିମାଣକୁ ଦ୍ୱିଗୁଣିତ କରିବା ପାଇଁ ଇପିଏଫ୍ଓ ନିକଟରେ ପର୍ଯ୍ୟାପ୍ତ ବଳକା ପାଣ୍ଠି ନାହିଁ । ୨୦୧୮-୧୯ ଆର୍ଥିକ ବର୍ଷ ୬ ନିୟୁତ ଉପଭୋକ୍ତାଙ୍କୁ ୮.୬୫% ସୁଧହାର ଦେବାକୁ ଫେବ୍ରୁଆରୀରେ ଇପିଏଫ୍ଓ ଘୋଷଣା କରିଛି । ଏହି ପରିମାଣର ସୁଧ ଦେବା ପରେ ଇପିଏଫ୍ଓ ନିକଟରେ ମାତ୍ର ୧୫୦ କୋଟି ଟଙ୍କା ବଳକା ରହିବ । ସାଧାରଣ ନର୍ବିାଚନ ପାଇଁ ମାର୍ଚ୍ଚରେ ନର୍ବିାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଲାଗୁ କରିଥିଲେ । କିନ୍ତୁ ସର୍ବନିମ୍ନ ପେନ୍ସନ୍ ପରିମାଣ ଦ୍ୱିଗୁଣିତ କରିବା ପାଇଁ ଇପିଏଫ୍ଓ ଜାନୁଆରୀରେ ସରକାରଙ୍କ ନକିଟରୁ ସ୍ପଷ୍ଟୀକରଣ ମାଗିଥିଲା । ଅବସର ପାଣ୍ଠି ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ସରକାରଙ୍କ ନିକଟରୁ କୌଣସି ସୁନିଶ୍ଚିତ ପ୍ରତଶ୍ରିୁତି ମିଳିନଥିଲା । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ (ପିଏମ୍ଏସ୍ୱାଇଏମ୍) ଯୋଜନା ଅଧୀନରେ ଅସଂଗଠିତ କ୍ଷେତ୍ର ଶ୍ରମିକଙ୍କୁ ମାସିକ ୩,୦୦୦ ଟଙ୍କା ପେନ୍ସନ୍ ଦେବାକୁ ସରକାର ସୁନିଶ୍ଚିତ କରିଛନ୍ତି । ଅନ୍ତରୀଣ ବଜେଟ୍ରେ ଘୋଷଣା ହୋଇଥିବା ଏହି ସ୍କିମ୍ ଦ୍ୱାରା ୧୮-୪୦ ବର୍ଷ ବୟସ ବର୍ଗର ଶ୍ରମିକମାନେ ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ଜମା ରଖି ଏଭଳି ପେନ୍ସନ୍ ସୁବିଧା ପାଇପାରିବେ ।