ଆଗୁଆ ବାରି ପାରିଥିଲା ବିପଦର ଗନ୍ଧ, ପୂର୍ବ ରାତିରୁ ଭୋକୁଥିଲା ‘ରିଓ’: ଏବେ ନ ଖାଇ ଝୁରୁଛି….

ଭୁବନେଶ୍ୱର ୩୦/୦୧: ଘରେ ପାଳିଥିବା କୁକୁର ‘ରିଓ’କୁ ବହୁତ ଭଲ ପାଉଥିଲେ ମନ୍ତ୍ରୀ ନବ ଦାସ । ସିଏ ଯେମିତି ଆଗୁଆ ବାରି ପାରିଥିଲା ବିପଦର ଗନ୍ଧ । ଶନିବାର ରାତିରୁ ହିଁ ଲଗାତାର ଭୋକି ଚାଲିଥିଲା ରିଓ । ରିଓ କାହିଁକି ଏମିତି ବାରମ୍ବାର କାନ୍ଦିଲା ଭଳି ଭୋକୁଥିଲା, କେହି ଜାଣିପାରିନଥିଲେ । ରବିବାର ଅଘଟଣ ପରେ ଏକଥା କହି ଘାରି ହେଉଛନ୍ତି ମନ୍ତ୍ରୀ ନବ ଦାସଙ୍କ ଭୁବନେଶ୍ୱରସ୍ଥିତ କ୍ୱାର୍ଟର୍ସର କର୍ମଚାରୀମାନେ ।
ସେମାନଙ୍କ କହିବା ଅନୁସାରେ ଏହି କୁକୁରଟିକୁ ଶ୍ରୀ ଦାସ ବହୁତ ଭଲ ପାଆନ୍ତି । ଏକଦା ବିଦେଶ ଗସ୍ତରେ ଯାଇଥିବାବେଳେ ସାଇବେରିଆନ ହକ୍ସ କୁକୁର ଛୁଆଟିକୁ ଆଣିଥିଲେ ସେ । ଏହାକୁ ଆଣି ଭୁବନେଶ୍ୱର କ୍ୱାର୍ଟର୍ସରେ ରଖିଥିଲେ । ନାଁ ଦେଇଥିଲେ ରିଓ ।
କର୍ମଚାରୀମାନଙ୍କୁ କହିଥିଲେ, ରିଓର ଯତ୍ନ ନେଉଥିବ । ଯେବେ ଯୁଆଡ଼େ ଗଲେ ବି ରିଓକୁ ଦେଖା କରିବାକୁ ସେ ଭୁଲନ୍ତି ନାହିଁ । ରିଓ ବି ତାଙ୍କୁ ଦେଖିଲେ ଖୁସିରେ ଡାକ ଛାଡ଼ିଲା ଭଳି ଭୁକେ । ମାତ୍ର ଏ ଅଘଟଣ ପରେ ପୂରା ପରିବାର ସହ ରିଓ ମଧ୍ୟ ଯେମିତି ଭାଙ୍ଗି ପଡ଼ିଛି ଦୁଃଖରେ । ଦି’ ପହରୁ ରିଓ କିଛି ଖାଉନି। ସେମିତି ଉପାସ ରହି ଅନେଇ ପଡ଼ିଛି । ସତେ ଯେମିତି ତା’ ମାଲିକଙ୍କ ଅବର୍ତ୍ତମାନ ଖବର ସେ ଜାଣି ସାରିଛି । ମଝିରେ ମଝିରେ ଭୋକୁଛି, ଆଉ ପୁଣି ନୀରବି ଯାଉଛି ।