ଯୋଜନା ଏବଂ ସଂଯୋଜନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ମାଲକାନଗିରି ୨୬।୫: ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଢୋଲକିଆଙ୍କ ସହିତ ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଏବଂ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ମଞ୍ଚାସୀନ ଥିଲେ।
ଏହି ଅବସରରେ ମନ୍ତ୍ରୀ ଢୋଲକିଆ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ( ଏସ୍ ପି ଏଫ୍) ଅଧୀନରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ସିଂ ସୂଚନା ଦେଇଥିଲେ ଯେ ମାଲକାନଗିରି ଜିଲ୍ଲାରେ ୨୩ ଗୋଟି ମହାବିଦ୍ୟାଳୟ ପାଇଁ ୧୦ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନବରଂଗପୁର ଜିଲ୍ଲାର ୯୧ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ଏବଂ ୧୬ ଗୋଟି ମହାବିଦ୍ୟାଳୟ ଗୁଡିକର ଉନ୍ନୟନ ନିମନ୍ତେ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କୋରାପୁଟ ଜିଲ୍ଲାର ୧୪୪ ଗୋଟି ପ୍ରକଳ୍ପ ପାଇଁ ୪୩ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ ଟି ସବିବ ଭି କେ ପାଣ୍ଡିଆନ ଗତକିଛିଦିନ ତଳେ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସବୁ ସମୀକ୍ଷା କରିଛନ୍ତି ଏବଂ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି ।

ତେଣୁ ଜିଲ୍ଲା ତରଫରୁ ସମସ୍ତ ଉପସ୍ଥିତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ବିଜୁଳି, ସଡ଼କ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମକୁ ତ୍ଵରାନିତ କରି କିଭଳି ଜିଲ୍ଲାର ବିକାଶ ହୋଇପାରିବ ସେଥି ନିମନ୍ତେ ସାଂସଦ ନବରଙ୍ଗପୁର ମାଝୀ ଗୁରୁତ୍ଵାରୋପ କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରି ଅର୍ଥ ରାଶି ବିନିଯୋଗ କରିବାକୁ ସମସ୍ତ ଜନ ପ୍ରତିନିଧି ଗୁରୁତ୍ଵାରୋପ କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦର ସମସ୍ତ ପ୍ରତନିଧି, ଉପ ନିର୍ଦ୍ଦେଶକ, ଡିପିଏମୟୁ ଗୋଲକ ଚନ୍ଦ୍ର ଦଳେଇ, ଡିପିଏମୟୁ ଓ ଜିଲ୍ଲା ପରିଷଦର ସମସ୍ତ କର୍ମଚାରୀ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସାହୁ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ।