ମହାନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

କଟକ,୨୫/୦୫ : ଭଟ୍ଟାରିକା ପୀଠ ସନ୍ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସ୍ଥାନୀୟ ଶଶାଙ୍ଗ ଗ୍ରାମର କୁଞ୍ଜବିହାରୀ ନାୟକଙ୍କର ପୁଅ । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ।
ଘଟଣାରୁ ପ୍ରକାଶ ଗୁରୁବାର ସକାଳ ପ୍ରାୟ ୯ଟାରେ କୁଞ୍ଜବିହାରୀ ନାୟକଙ୍କର ପୁଅ ସାଙ୍ଗସାଥୀଙ୍କ ସହିତ ନଦୀରେ ଗାଧୋଉଥିଲେ। ହଠାତ୍ ନଦୀର ପ୍ରଖର ସ୍ରୋତରେ ସେ ଭାସିଯାଇ ବୁଡ଼ିଯାଇଥିଲେ। ଖବର ପାଇ ବଡ଼ମ୍ବା ଏବଂ ନିକଟସ୍ଥ ବାଲିଝରୀର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସଫଳ ନହେବା ପରେ ପରେ ବାଙ୍କୀ ଅଗ୍ନିଶମ କେନ୍ଦ୍ରର ସ୍ଵତନ୍ତ୍ର ସ୍କୁବା ଡାଇଭର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଙ୍କୀର ଆଗ୍ନିକ ସରୋଜ କୁମାର ସାମଲ ନଦୀରେ ବୁଡ଼ି ଉକ୍ତ ନାବାଳକକୁ ଗଭୀର ଜଳରୁ ଉଦ୍ଧାର କରିଥିଲେ । ନାବାଳକଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ଭଟ୍ଟାରିକା, ଶଶାଙ୍ଗ ଗ୍ରାମ ସମେତ ସମଗ୍ର ବଡମ୍ବାରେ ଗଭୀର ଶୋକର ଛାୟା ଖେଳିଯାଇଛି।