ଗାଡ଼ି ଚଳାଇଲେ ନାବାଳକ; ହଟହଟା ହେଲେ ଅଭିଭାବକ, ଗଣିଲେ ୨୧ ଲକ୍ଷ ଟଙ୍କାର ଜରିମାନା

କଟକ,୨୯/୩(ବ୍ୟୁରୋ): କଟକରୁ କଳାହାଣ୍ଡି, ବାଲେଶ୍ୱରରୁ ଭୁବନେଶ୍ୱର.. ମଙ୍ଗଳବାର ରାଜ୍ୟର ଅଧିକାଂଶ ସହରାଞ୍ଚଳ ଛକ ରାସ୍ତାରେ ଦେଖିବାକୁ ମିଳିଥିଲା ଏକା ପ୍ରକାର ଦୃଶ୍ୟ । କେଉଁଠି ଝଗଡ଼ା ଚାଲିଥାଏ ତ କେଉଁଠି ଗାଡ଼ି ଛାଡି ଦେବାକୁ ନେହୁରା ହେଉଥାନ୍ତି ଅଭିଭାବକ। ଅଧିକାଂଶ ସ୍ଥାନରେ କାନ୍ଦକାନ୍ଦ ହେଇ ଠିଆ ହୋଇଥାନ୍ତି ଛାତ୍ରଛାତ୍ରୀ । ୧୮ ବର୍ଷରୁ କମ୍ ନାବାଳକ ବା ନାବଳିକାଙ୍କ ଦ୍ୱାରା ଗାଡ଼ି ଚାଳନା ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଆଜି ରାଜ୍ୟବ୍ୟାପୀ ହୋଇଥିବା ଚଢଉର ଚିତ୍ର ଥିଲା ଏଭଳି ।
ମଙ୍ଗଳବାର ସାରା ରାଜ୍ୟରେ ବେଆଇନ ଭାବେ ବାଇକ୍ ବା ସ୍କୁଟର୍ ଚଳାଇ ଧରାପଡିଛନ୍ତି ୮୪ଜଣ ଛାତ୍ରଛାତ୍ରୀ । ସେମାନଙ୍କ ଅଭିଭାବକଙ୍କ ଉପରେ ଏଥିପାଇଁ ୨୫ ହଜାର ଲେଖାଏଁ ମୋଟ୍ ୨୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ପିଲମାନଙ୍କ ଏଭଳି ଭୁଲ୍ ପାଇଁ ଆଜି ଅଭିଭାବକମାନଙ୍କୁ ହଟହଟା ହେବାକୁପଡ଼ିଛି । ଅନ୍ୟପକ୍ଷରେ ପରୀକ୍ଷା ଚାଲିଥିବା ସମୟରେ ପରିବହନ ବିଭାଗର ଏଭଳି ଚଢଉକୁ ନେଇ ଆପତ୍ତି ଉଠିଛି । ଆଜି ସକାଳ ୯ଟା ବେଳେ କଟକ ଚଣ୍ଡୀ ଛକ ନିକଟରେ ଏସ୍ଟିଏ ପକ୍ଷରୁ ଆରମ୍ଭ ହୋଇଥିଲା ଯାଞ୍ଚ। ଏହି ଅଞ୍ଚଳରେ ଅଧିକାଂଶ ଶିକ୍ଷାନୁଷ୍ଠାନ ଥିବାରୁ କିଛି ଛାତ୍ରଛାତ୍ରୀ ସହଜରେ ଧରାପଡ଼ିଯାଇଥିଲେ । ପରେ ଅବଶ୍ୟ ସତର୍କ ଓ ସଚେତନତା କାରଣରୁ ଆଉ କେହି ଆସିନଥିଲେ । କିନ୍ତୁ ଯେଉଁମାନେ ଧରାପଡ଼ିଥିଲେ ସେମାନଙ୍କ ଅଭିଭାବକ ଏନେଇ ଅଡୁଆରେ ପଡ଼ିଥିଲେ ।
ଗାଡ଼ି ଯାଞ୍ଚ୍ ସଂପର୍କରେ କେହି କିଛି ବୁଝିବା ପୂର୍ବରୁ ଏସ୍ଟିଏର ସ୍ୱତନ୍ତ୍ର ସ୍କ୍ୱାଡ୍ ଗାଡ଼ି ଜବତ କରିବା ସହ ତୁରନ୍ତ ଜରିମାନା କାଟିଦେଇଥିଲେ । ଖବର ପାଇ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗାଡ଼ି ଉପରେ ୨୫ ହଜାର ଲେଖାଏଁ ଜରିମାନା କଟା ଯାଇସରିଥିଲା । ଜରିମାନାରୁ ଛାଡ ପାଇଁ କିଛି ଅଭିଭାବକ ନେହୁରା ହେଉଥିବା ବେଳେ ଆଉ କିଛି ଏଭଳି ଅପ୍ରତ୍ୟାଶିତ ଚଢଉକୁ ବିରୋଧ କରି ଯୁକ୍ତିତର୍କ ଓ ପାଟିତୁଣ୍ଡ କରିଥିଲେ। କିଛି ଅଭିଭାବକ ଏହି ମାମଲା କୋର୍ଟକୁ ଯିବା ପୂର୍ବରୁ ଘଟଣାସ୍ଥଳରେ ୨୫ ହଜାର ଟଙ୍କା ଜରିମାନା ଗାଡ଼ି ମୁକୁଳାଇବାକୁ ସକ୍ଷମ ହୋଇଥିଲେ ।
ମଙ୍ଗଳବାର ସଂଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୨୨ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ମୋଟ୍ ଆଜି ୮୪ଜଣ ନାବାଳକ/ନାବାଳିକା ବେଆଇନ ଭାବେ ଗାଡ଼ି ଚାଳନା ଅଭିଯୋଗରେ ଧରାପଡିଛନ୍ତି । ଏଥିପାଇଁ ପ୍ରାୟ ୨୧ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ରାଉରକେଲା ଆର୍ଟିଓ ଅଧୀନରେ ସର୍ବାଧିକ ୧୧ଜଣ ଧରାପଡ଼ିଥିବାବେଳେ ଗଞ୍ଜାମରେ ୧୨ଜଣ, ବାଲେଶ୍ୱରରେ ୯, କଟକରେ ୭, ଭୁବନେଶ୍ୱର-୧, କଳାହାଣ୍ଡି, ବଡ଼ବିଲ୍, ଝାରସୁଗୁଡ଼ା ଆରଟିଓ ଅଧୀନରେ ୫ଜଣ ଲେଖାଏଁ ଧରାପଡ଼ି ଜରିମାନା ଗଣିଛନ୍ତି । ଅନ୍ୟାନ୍ୟ ଆରଟିଓରେ ଏହି ସଂଖ୍ୟା ୨/୩ରେ ସୀମିତ ରହିଛି । ନିୟମ ଅନୁଯାୟୀ, ଯଦି କୌଣସି ନାବାଳକ କିମ୍ବା ନାବାଳିକା ଗାଡ଼ି ଚଳାଉଥିବା ବେଳେ ଧରାପଡ଼ନ୍ତି ତାହେଲେ ଉକ୍ତ ଗାଡ଼ି ମାଲିକଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା କରାଯିବ ।
ଏଥିସହ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ମଧ୍ୟ ରହିଛି । ସେହିପରି ୨୫ବର୍ଷ ପର୍ଯ୍ୟନ୍ତ ଉକ୍ତ ନାବାଳକ ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ । ଉକ୍ତ ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ୍କୁ ବର୍ଷକ ପାଇଁ ବାତିଲ୍ କରାଯିବ । ଅର୍ଥାତ ସେହି ଗାଡ଼ି ବର୍ଷକ ପାଇଁ ରାସ୍ତାରେ ଗଡ଼ିପାରିବ ନାହିଁ । ଏସ୍ଟିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ତଥା ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି ଯେ, ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଗାଡ଼ି ନଦେବା ପାଇଁ ବାରମ୍ବାର ସଚେତନ କରାଯାଇଛି । ପିଲାମାନଙ୍କ ଦ୍ୱାରା ଗାଡ଼ିଚାଳନା ଫଳରେ ଦୁର୍ଘଟଣା ହାର ପଡୁଛି । ଆଜି ଯାଞ୍ଚ୍ ବେଳେ ଅନେକ ଅଭିଭାବକ ଦଣ୍ଡରୁ ଛାଡ଼ ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆଇନ ଅନୁସାରେ ଏହା ଗ୍ରହଣୀୟ ନୁହେଁ । ପିଲାଙ୍କ ଜିଦି ପାଇଁ କିପରି ସେମାନେ ଗାଡ଼ି ଦେବାକୁ ବାଧ୍ୟ ହେଉଛନ୍ତି ସେନେଇ ମଧ୍ୟ ଅଭିଭାବକମାନେ ନିଜର ଅସହାୟତା ପ୍ରକାଶ କରିଛନ୍ତି । କିନ୍ତୁ ଆଜିର ଘଟଣା ପରେ ଉଭୟ ଅଭିଭାବକ ଓ ସେମାନଙ୍କ ପିଲାମାନେ ସତର୍କ ଓ ସଚେତନ ହେବେ ବୋଲି ଶ୍ରୀ ସେଠୀ ଆଶାବ୍ୟକ୍ତ କରିଛନ୍ତ