PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ନାବାଳିକା ଦୁଷ୍କର୍ମକୁ ନେଇ : ଗୃହ ହୁଲସ୍ତୁଲ

ଭୁବନେଶ୍ୱର,୨୩ ।୭(ବ୍ୟୁରୋ): ବାଚସ୍ପତି ମହୋଦୟ! ଏ ରାଜ୍ୟରେ କ’ଣ ଚାଲିଛି? ନାବାଳିକାମାନେ ଧର୍ଷଣର ଶିକାର ହେଉଛନ୍ତି । ଶହ ଶହ ଝିଅ ନିଖୋଜ ରହିଛନ୍ତି । ସେମାନଙ୍କ ଖୋଜ ଖବର ମିଳୁନି । ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମୁଖ୍ୟମନ୍ତ୍ରୀ କିନ୍ତୁ ନିର୍ବିକାର । ଆଇନ ଶୃଙ୍ଖଳା ଠିକ୍‌ ଅଛି ବୋଲି କହୁଛନ୍ତି । ମାତ୍ର ଦିନକୁ ୭ ଜଣ ଧର୍ଷଣର ଶିକାର ହେଉଛନ୍ତି । ବିଧାନସଭା ଅର୍ଥହୀନ ହେବାକୁ ବସିଲାଣି । ଏ ସଂପର୍କରେ ସ୍ୱତନ୍ତ୍ର ଆଲୋଚନା କର । ବିଧାନସଭାର ଶୂନ୍ୟକାଳରେ ଆଜି ସରକାରଙ୍କୁ ଏମିତି ଘେରିଥିଲେ ବିରୋଧୀ । ଜବାବ ମାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏ ସଂପର୍କରେ ସରକାର ଗୃହରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ମଧ୍ୟ ବିରୋଧୀ ସନ୍ତୁଷ୍ଟ ହୋଇନଥିଲେ । ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ ସହ ସ୍ଲୋଗାନବାଜି କରିଥିଲେ । ବିରୋଧୀଙ୍କ ହଙ୍ଗାମାରେ ଗୃହ ହୁଲସ୍ତୁଲ ହୋଇ ପଡ଼ିଥିଲା ବିରୋଧୀ ସ୍ୱତନ୍ତ୍ର ଆଲୋଚନା ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ । ମାତ୍ର କିଛି ବାଟ ବାହାରିଲାନି । କ୍ଷୁବ୍ଧ ହୋଇ କଂଗ୍ରେସ କକ୍ଷତ୍ୟାଗ କଲା । ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ବସି ନାରା ଛାଡ଼ିଲେ । କଂଗ୍ରେସ ସଭ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଏପଟେ ବିନା ବିରୋଧୀରେ ଗୃହରେ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା ।

ସୋମବାର ବିଧାନସଭାର ଶୂନ୍ୟକାଳରେ ନାବାଳିକା ଧର୍ଷଣ ଓ ନିଖୋଜ ପ୍ରସଙ୍ଗକୁ ଧରି ବିରୋଧୀ ସରକାରଙ୍କୁ ଶକ୍ତ ଆକ୍ରମଣ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ଭବାନୀପାଟଣାରେ ଆଶ୍ରୟ ଗୃହରେ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି । ଅନୁଗୁଳରେ ମଧ୍ୟ ଏଭଳି ଘଟଣା ଘଟିଛି । ରାଜ୍ୟରେ ନାବାଳିକା, ନାବାଳକ ଅପହରଣ ପରେ ଆଉ ସନ୍ଧାନ ମିଳୁନି । ଗୃହ ବିଭାଗର ଗୁଇନ୍ଦା ସଂସ୍ଥା କାମ କରୁଛି ନା ନାହିଁ? ଏ ସରକାର ୫ମ ଥର କ୍ଷମତାକୁ ଆସିଛି । ମାତ୍ର ଆଇନ ଶୃଙ୍ଖଳା ପରସ୍ଥିତି ନିୟନ୍ତ୍ରଣରେ ନାହିଁ । ସରକାର ଗୃହକୁ ଜବାବ ଦିଅନ୍ତୁ, ଅପହରଣ ପରେ ଝିଅମାନଙ୍କୁ କେଉଁଠିକୁ ନିଆଯାଉଛି? ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି, ଇଞ୍ଜେକସନ ଦେଇ ନାବାଳିକାମାନଙ୍କୁ ପ୍ରାପ୍ତ ବୟସ୍କ କରାଯାଇ ଦେହ ବ୍ୟବସାୟରେ ଲଗାଯାଉଛି । ବାହାରକୁ ଓଡ଼ିଶାର ଝିଅମାନଙ୍କୁ ଚାଲାଣ କରାଯାଉଛି କି? ସେମାନଙ୍କ ଶରୀରର ଆଖି, କିଡନୀ ଭଳି ମୂଲ୍ୟବାନ ଅଙ୍ଗକୁ ଧନୀ ଲୋକମାନଙ୍କଠାରେ ପ୍ରତିରୋପଣ କରାଯାଉଛି କି? ଏ ରାଜ୍ୟରେ ଝିଅ ବୋହୂଙ୍କ ଇଜ୍ଜତ ବୋଲି କିଛି ନାହିଁ । ସରକାର ଏଠି କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ସରକାର ଏହାର ତଦନ୍ତ କରନ୍ତୁ । ସରକାର ବାଳିକା ନିଖୋଜ ମାମଲାରେ କି ଦୃଢ଼ ପଦକ୍ଷେପ ନେଇଛନ୍ତି ଗୃହକୁ ଅବଗତ କରାନ୍ତୁ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାର କାର୍ଯ୍ୟଶୈଳୀ ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ । ସେ କହିଲେ, ବିଧାନସଭା କାହିଁକି ବସୁଛି ? ମନ୍ତ୍ରୀମାନେ ଓ ମୁଖ୍ୟମନ୍ତ୍ରୀ ଯେଉଁ ଉତ୍ତର ରଖୁଛନ୍ତି ତାହା ମୂଲ୍ୟହୀନ । ଗୃହରେ ଯେତେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ହେଲେ ମଧ୍ୟ ତାର କିଛି ପ୍ରଭାବ ପଡୁନି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲୁ । ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖି ସନ୍ତୋଷ ପ୍ରକାଶ କଲେ ଯେ, ଆଇନ ଶୃଙ୍ଖଳା ଠିକ୍‌ ଅଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନାବାଳିକା ଧର୍ଷଣ ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଗତ ଜାନୁଆରୀରୁ ଜୁନ୍‌ ମଧ୍ୟରେ ୧୦୦୫ ମାମଲା ରୁଜୁ ହୋଇଛି । ୫୦୨ ନାବାଳିକା ନିଖୋଜ ହୋଇଛନ୍ତି । ବଲାଙ୍ଗୀରରେ ରକ୍ଷକ ଭକ୍ଷକ ସାଜିଛି । ଯାହାଙ୍କ ବିରୋଧରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି । ଅନୁଗୁଳରେ ୮ ବର୍ଷର ନାବଳିକା ଧର୍ଷଣର ଶିକାର ହୋଇଛି ।

ନରସିଂହ କହିଲେ, ଜାନକୀବ ବାବୁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅଞ୍ଜନା ଘଟଣାରେ ସରକାର ଚାଲି ଯାଇଥିଲା । ବିରୋଧୀଙ୍କ ଦାବିରେ ଆଡଭୋକେଟ୍‌ ଜେନେରାଲ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ମାତ୍ର ଏ ସରକାର କହୁଛି ସବୁ ଠିକ୍‌ ଅଛି । ଲୋକ ୫ ଥର ଭୋଟ ଦେଲେଣି ବୋଲି ସରକାର ମନଇଛା କାମ କରୁଛି । ଏ ଗୃହ ଅର୍ଥହୀନ ହେବାକୁ ବସିଲାଣି । ୧୦ ହଜାର କୋଟି ଟଙ୍କାର ଜମି ସ୍କାମ ନେଇ ମୁଁ ଗୃହର ଦୃଷ୍ଟି ଆକର୍ଷଣ କରିଥିଲି । ମାତ୍ର ମନ୍ତ୍ରୀ ଏ ସଂପର୍କରେ ପଦୁଟିଏ କହିଲେନି । ପଞ୍ଚାୟତକୁ ୨୯ ବିଭାଗ ହସ୍ତାନ୍ତର କରାଯିବା ପ୍ରସଙ୍ଗରେ ମନ୍ତ୍ରୀ କହିଲେ, ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ୨୧ଟି ବିଭାଗ ହସ୍ତାନ୍ତର ହୋଇଛି । ମାତ୍ର ସମ୍ବିଧାନ କହୁଛି, ଏଥିପାଇଁ ସ୍ୱତନ୍ତ୍ର ଆଇନ ହେବା ଦରକାର । ଆଇନ ଆସିନି କି ହସ୍ତାନ୍ତର ହୋଇନି । ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା କଲା । ରାଜସ୍ୱ ମନ୍ତ୍ରୀ ବିବୃତି ରଖିଲେ, ମାତ୍ର ମରୁଡ଼ି ନେଇ ଉଦବେଗ ପ୍ରକାଶ କଲେନି କି ଆତ୍ମହତ୍ୟା ନେଇ କିଛି କହିଲେନି । ବାଚସ୍ପତି ବି ହସ୍ତକ୍ଷେପ କରୁନାହାନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ସ୍ୱୀକାର କରିଛନ୍ତି ଯେ, ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛି । ଏ ସରକାରର ଦୁଇଟି ମୁହଁ । ଗୋଟେ ସଂସଦରେ ଆଉ ଗୋଟେ ବିଧାନସଭାରେ । ଅସତ୍ୟ ତଥ୍ୟ କିମ୍ବା ବିନା ତଥ୍ୟରେ ଗୃହ ଚାଲିପାରିବନି ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ଭବାନୀପାଟଣାରେ ବଳାତ୍କାର ହୋଇଛି । ଏବେ ଆଶ୍ରୟସ୍ଥଳୀରେ ମଧ୍ୟ ଧର୍ଷଣର ଶିକାର ହୋଇଛି । ଭବାନୀପାଟଣାରୁ ପୁଲିସ ଆସି ବଳପୂର୍ବକ ୧୬୧ ଜମାନବନ୍ଦୀ ଗ୍ରହଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ । ପୁଲିସ ଏଠି ଆଇନକୁ ଉଲ୍ଲଂଘନ କରୁଛି । ସରକାର ଚୁପ୍‌ ବସିଛନ୍ତି ।ବାଚସ୍ପତି କହିଲେ ନାବାଳିକା ଧର୍ଷଣ ଓ ନିଖୋଜ ସଂପର୍କରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ଗୃହକୁ ଅବଗତ କରାଇବାକ ସରକାରଙ୍କୁ ନିର୍ଦ୍ଦେଶ ଦେଉଛି । ମାତ୍ର ଏଥିରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ଉତକ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲେ । କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସି ପାଟି କଲେ, ଏ ସଂପର୍କରେ ସ୍ୱତନ୍ତ୍ର ଆଲୋଚନା କର । ଅନ୍ୟ କଂଗ୍ରେସ ସଭ୍ୟମାନେ ମଧ୍ୟ ହୋହଲ୍ଲା କଲେ । ବାଚସ୍ପତି କହିଲେ, ମୁଁ ଷ୍ଟେଟମେଣ୍ଟ ଦେଇସାରିଛି । ତାରା କହିଲେ, ସେ ଷ୍ଟେଟମେଣ୍ଟର ମାନେ କିଛି ନାହିଁ ।

ଏହାପରେ କଂଗ୍ରେସ ସଭ୍ୟମାନେ ସ୍ଲୋଗାନ ଛାଡ଼ିଲେ, ଏ ଗୃହରେ ଆଲୋଚନା ଆମର ଦାବି । ଏ ଭିତରେ ବାଚସ୍ପତି-ତାରା କଥା କଟାକଟି ହେଲେ । ବିଜେପି ସଭ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପାଟିତୁଣ୍ଡ କଲେ । ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସିବାକୁ ଉଦ୍ୟମ କଲେ । ସୁରକ୍ଷା କର୍ମୀ ବାଧା ଦେଲେ । ବିରୋଧୀଙ୍କ ହୋହଲ୍ଲା ଓ ହଙ୍ଗାମାରେ ଗୃହ ପଡ଼ିଲା ଆଉ ଉଠିଲା । ବାଚସ୍ପତି ଗୃହକୁ ୧୨.୧୭ରୁ ୧୨.୩୦ ଯାଏ ମୁଲତବି ରଖିଲେ । ୧୨.୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ । ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ସ୍ଲୋଗାନ ଛାଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଆମର ଦାବି । ବିଜେପି ଓ କଂଗ୍ରେସ ସଭ୍ୟମାନେ ସମସ୍ୱରରେ ସ୍ଲୋଗାନ ଛାଡ଼ିଲେ । ସରକାର ତୁମେ ଆମର ଦାବି ମାନିନିଅ । ମୁଖ୍ୟମନ୍ତ୍ରୀ ତୁମେ ଇସ୍ତଫା ଦିଅ । ବିଜେପି ଓ କଂଗ୍ରେସ ସଭ୍ୟମାନେ ସ୍ଲୋଗାନରେ ଗୃହ କମ୍ପାଇଲେ ।

ଏହାପରେ ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ଚୌକି ନିକଟକୁ ମାଡ଼ି ଯିବାକୁ ଉଦ୍ୟମ କଲେ । ସୁରକ୍ଷା କର୍ମଚାରୀମାନେ ଅଟକାଇଲେ । ବାଚସ୍ପତି ଗୃହକୁ ୧୨.୩୨ରୁ ୩ ଟା ଯାଏ ମୁଲତବି ରଖିଲେ ।
ଅପରାହ୍ନରେ ସମାନ ପରିସ୍ଥିତି ଜାରି ରହିଲା । ଗୃହ ଥରକୁ ଥର ମୁଲତବୀ ରହିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ । କିଛି ଫଳ ମିଳିଲାନି । ବିରୋଧୀ ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ହୋହଲ୍ଲା କଲେ । ବାଚସ୍ପତି କିଛି ନଶୁଣିବାରୁ କଂଗ୍ରେସ କକ୍ଷତ୍ୟାଗ କଲା । ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ଆସନ ନିକଟରେ ବସି ସ୍ଲୋଗାନ ଛାଡ଼ିଲେ । ଏପଟେ ବାଚସ୍ପତି ଖର୍ଚ୍ଚଦାବି ଆଲୋଚନାକୁ ଆଗକୁ ନେଲେ ।