ରାଉରକେଲା,୦୬/୧୦: ସ୍ମାର୍ଟସିଟି  ରାଉରକେଲାରେ ପୁଣି ଲଜ୍ଜା । କିଛିଦିନର  ବ୍ୟବଧାନ ପରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଯୌନ ରାକ୍ଷସ ଆଉ କିଏ ନୁହେଁ, ବରଂ ଖୋଦ୍‌ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ । ଏ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଛି ଷ୍ଟିଲ୍‌ସିଟି । ଅନ୍ୟପଟେ ଅଭିଯୁକ୍ତ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଗିରଫ କରିବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ପାଲଟିଛି । 

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା  ଅନୁସାରେ, ସିଭିଲ ଟାଉନସିପ୍‌ରେ ରହୁଥିବା ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ ବୃତ୍ତିରେ ଜଣେ ବ୍ୟବସାୟ । ପୀଡ଼ିତାଙ୍କ ବାପା ଏବଂ ରାଜନ ଦୁହେଁ ବନ୍ଧୁ । ଉଭୟ ପରିବାର ଭିତରେ ରହିଥିଲା ନିବିଡ଼ ସମ୍ପର୍କ । ହେଲେ ଏଥିରେ  କଳଙ୍କ ବୋଳିଛନ୍ତି ରାଜନ । ବନ୍ଧୁଙ୍କ ଝିଅକୁ ପ୍ରଲୋଭିତ କରି ବର୍ଷାଧିକ ହେଲା ଶାରୀରିକ  ସମ୍ପର୍କ ରଖି ଆସୁଥିଲେ । ଏ ସମ୍ପର୍କରେ ଟେର୍‌ ପାଇ ନ ଥିଲେ ଘର ଲୋକେ ।  

ଗତ ସେପ୍ଟେମ୍ବରରେ ନାବାଳିକା ରଚିଥିବା  ଅପହରଣ ନାଟକ ସବୁ ଗୁମର ଖୋଲି  ଦେଇଥିଲା । ପୁଲିସ୍‌ ଏହି ଘଟଣାର ଖୋଳତାଡ଼  କରିବା ବେଳେ ସତ ପଦାକୁ ଆସିଥିଲା । ଝିଅ  ବଳାତ୍କାରର ଶିକାର ହୋଇଥିବା ପରିବାର  ଲୋକ ଜାଣିପାରିଥିଲେ । ଶୁକ୍ରବାର ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟ ରାଜନଙ୍କ ଘରେ  ପହଞ୍ଚି ପାଟିତୁଣ୍ଡ କରିଥିଲେ । ଶନିବାର  ନାବାଳିକାଙ୍କ ଅଭିଯୋଗ ଆଧାରରେ ଥାନାରେ  ଲିଖିତ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ  ଡାକ୍ତରୀମାଇନା ସରିଛି । ସୋମବାର ବୟାନ  ରେକର୍ଡ କରାଯିବ ବୋଲି ପୁଲିସ୍‌ କହିଛି ।  ଅନ୍ୟପଟେ ରାଜନ ଦିଲ୍ଲୀରେ ରହୁଥିବାବେଳେ  ତାଙ୍କ ପରିବାର ସଦସ୍ୟ ସିଭିଲ ଟାଉନସିପ୍‌ରେ  ରହୁଛନ୍ତି । ଅଭିଯୁକ୍ତକୁ ଥାନାକୁ ଡକାଯାଇଛି। ଯଦି ସେ ହାଜର ନ ହୁଅନ୍ତି ତେବେ, ପୁଲିସ୍‌  ଟିମ୍‌ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିବ ବୋଲି  ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି।   

ଉଲ୍ଲେଖଯୋଗ୍ୟ, ଗତ ମାସରେ  ନାବାଳିକା ଜଣକ ସାଙ୍ଗଙ୍କ ଘରକୁ ଯିବାକୁ  କହିଥିଲେ । ସେ ରାସ୍ତାରେ ଓହ୍ଲାଇ  ପୁରୁଷବନ୍ଧୁଙ୍କ ସହ ମିଶି ଅପହରଣ ନାଟକ  କରିଥିଲେ । ଏହି ଘଟଣାରେ ତାଙ୍କ ପୁରୁଷ  ବନ୍ଧୁ ଗିରଫ ହୋଇଛନ୍ତି । ନାବାଳିକାଙ୍କୁ  ପୁଲିସ୍‌ ଡାକ୍ତରୀମାଇନା ପାଇଁ ପଠାଇଥିଲା ।  ଡାକ୍ତରୀ ପରୀକ୍ଷାରୁ ସେ ବଳାତ୍କାର ଶିକାର  ହୋଇଥିବା ଜଣାପଡ଼ିଥିଲା । ପଚରାଉଚରା  ବେଳେ ଅଭିଯୁକ୍ତ ରାଜନଙ୍କ କାରନାମା  ପଦାକୁ ଆସିଥିଲା ।