ରାଇରଙ୍ଗପୁର,୦୩/୦୩: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୋଳି ହେରୋଗୋଡାରେ ଅଭାବନୀୟ ଘଟଣା ଜଣେ ନବମ ଶ୍ରେଣୀର ଛାତ୍ରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ଛାତ୍ର ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦି ଗ୍ରାମର ରାଜ କୁମାର ବିନ୍ଧାଣୀଙ୍କ ପୁଅ ହୋଇଥିବା ଜଣାପଡିଛି।

ସେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ନିଜ ମାମୁଁ ଘର ରହି ବାଶିଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲା। ଗତକାଲି ସନ୍ଧ୍ୟାରେ ଇନ୍ଦଖୋଳି ହେରୋଗୋଡା ଗ୍ରାମରେ କୌଣସି କାରଣରୁ ଦୁଇ ଜଣ ନାବାଳକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିଲେ। ଦୁହେଁ ପରେ ଗୁରୁତର ହେବାରୁ ତାଙ୍କ ବାପାଙ୍କୁ କେହି ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏନେଇ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପୁଲିସ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଝରାଡିହି ମେଡିକାଲକୁ ନେଇଥିଲେ। ପରେ ବାପାଙ୍କ ଉପସ୍ଥିତିରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲ ଆଣିଥିଲେ। ହେଲେ ରାଇରଙ୍ଗପୁର ମେଡିକାଲରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢନ୍ତୁ-ବନ୍ଦ ହୋଇଯିବ ରାଜ୍ୟ ଖାଉଟି କମିସନ୍ ! ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ, କେବଳ କାର୍ଯ୍ୟକାରୀ ସଭାପତି ରହିଲେ

ତେବେ ପୁଅକୁ ହତ୍ୟା କରିଥିବା ନେଇ ବାପା ତିରିଂ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ତିରିଂ ପୁଲିସ କେସ ନଂ ୩୧/୨୬ ରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ଗତକାଲି ରାତିରେ ଆକ୍ରମଣର ଭିଡ଼ିଓ ଦେଖି ପୁଲିସ ସମସ୍ତଙ୍କୁ ଚିହ୍ନଟ କରି ଗ୍ରାମରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଫଳରେ ଆହୁରି ମଧ୍ୟ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି। ତେବେ ଛେଳି ଚୋର ସନ୍ଦେହରେ ଅତି ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଗୋଟିଏ ବାଇକ ମଧ୍ୟ ଗ୍ରାମବାସୀ ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ଦୁଇ ଜଣ ଘଟଣାସ୍ଥଳରୁ ପଳେଇବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅତି ଅମାନୁଷିକ ଭାବେ ନିର୍ଧୁମ ପିଟି ଥିଲେ ଗ୍ରାମବାସୀ। ପୁଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।