ବସ୍ରୁ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୬ ଲକ୍ଷ

ଭୁବନେଶ୍ୱର,୯ ।୨(ବ୍ୟୁରୋ): ଶନିବାର ଅପରାହ୍ଣରେ ବରମୁଣ୍ଡା ଚନ୍ଦନ ଲଜ୍ ସମ୍ମୁଖ ରାସ୍ତାରୁ ଏକ ଯାତ୍ରୀବାହୀ ବସ୍ରୁ ଜଣେ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଦୁଇ ଦୁର୍ବୃତ୍ତ ବାଇକ୍ରେ ଆସି ବ୍ୟବସାୟୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇ ପଳାଇଛନ୍ତି । ଲୁଟ୍ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର କୃଷ୍ଣଚନ୍ଦ୍ର ସାହୁ । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍ ପାଇନାହିଁ ।
ମିଳିଥିବା ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ବେଗୁନିଆରେ ଏକ ହୋଲ୍ସେଲ୍ ଗ୍ରୋସରୀ ଦୋକାନ କରିଛନ୍ତି । ସେ କଟକ ମାଲ୍ଗୋଦାମରୁ ଗ୍ରୋସରୀ ସାମଗ୍ରୀ ଆଣିବା ପାଇଁ ବସ୍ରେ ବରମୁଣ୍ଡାକୁ ଆସିଥିଲେ । ସେଠାରୁ କଟକ ଯିବା ପାଇଁ ଅନ୍ୟ ଏକ ବସ୍ ଧରିଥିଲେ । ଅପରାହ୍ଣ ସାଢ଼େ ୪ଟାବେଳେ ବସ୍ ବରମୁଣ୍ଡା ଛାଡ଼ିଥିଲା । ବସ୍ଟି ବରମୁଣ୍ଡା ଚନ୍ଦନ ଲଜ୍ ସମ୍ମୁଖରେ ଭିଡ଼ରେ ଫସି ରହିଥିଲା । କୃଷ୍ଣଚନ୍ଦ୍ର ବସ୍ର କଣ୍ଡକ୍ଟର ସିଟ୍ରେ ବସିଥିଲେ । ଏହି ସମୟରେ ଏକ କଳା ରଙ୍ଗର ସ୍ପିଡ୍ ବାଇକ୍ ବସ୍ ନିକଟରେ ଲାଗିଥିଲା । ଜଣେ ବାଇକ୍ ଷ୍ଟାର୍ଟ ରଖିଥିବା ବେଳେ ଅଜ୍ୟ ଜଣେ ଲୁଟେରା ବସ୍ର ଝରକା ବାଟରେ ହାତ ପୂରାଇ କୃଷ୍ଣଚନ୍ଦ୍ରଙ୍କ ହାତରୁ ୬ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଝାମ୍ପି ନେଇଥିଲା । ତା’ପରେ ଦୁଇ ଲୁଟେରା ବାଇକ୍ରେ ଦ୍ରୁତ ଗତିରେ ସେଠାରୁ ପଳାଇଥିଲେ । କୃଷ୍ଣଚନ୍ଦ୍ର ସେଠାରୁ ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।
ତେବେ କୃଷ୍ଣଚନ୍ଦ୍ରଙ୍କ ବୟାନକୁ ପୁଲିସ ସହଜରେ ଗ୍ରହଣ କରୁନାହିଁ । ବସ୍ ଝରକା ବାଟ ଦେଇ କିପରି ଟଙ୍କା ଲୁଟ୍ ହେଲା ତାହା ପୁଲିସ ସନ୍ଦେହରେ ପକାଇଛି । ସେ କେଉଁ ବସ୍ରେ ଯାଉଥିଲେ ସେ ନେଇ ମଧ୍ୟ ପୁଲିସକୁ କିଛି କହି ପାରି ନାହାନ୍ତି । ଲୁଟ୍ ହେବା ସମୟରେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ କେଉଁ କେଉଁ ବସ୍ କଟକ ଯାଉଥିଲା ସେଇ ଆଧାରରେ ପୁଲିସ ତଦନ୍ତ ଚଳାଇଛି ।