ମୁନିଗୁଡା,୦୪/୧୧: ଶିବପଦର ଗାଁରୁ ପରିବାର ସହ ଦାଦନ ଖଟିବାକୁ ଯାଇ ୪ ମାସ ତଳେ ନିଖୋଜ ହୋଇଥିଲେ ନାବାଳିକା । ଚାରି ମାସ ପରେ ବିଜୟବାଡାର ଶିଶୁ ଆଶ୍ରୟ ସ୍ଥଳରୁ ଉଦ୍ଧାର ହେଲେ ୧୧ ବର୍ଷୀୟା ନାବାଳିକା । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମୁନିଗୁଡା ବ୍ଲକ ଶିବପଦର ଗାଁରୁ ଏକ ପରିବାର ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲା । ଏହି ପରିବାର ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦ୍ ବାଲାପୁର ଅଞ୍ଚଳର ଏକ ଘୋରୋଇ କମ୍ପାନୀରେ ୨ବର୍ଷ ହେଲା ମିସ୍ତ୍ରୀ କାମ କରୁଥିଲେ। ତେବେ ବାହାରକୁ କିଛି ଜିନିଷ ଆଣିବାକୁ ଯାଇ ୧୧ ବର୍ଷୀୟା ନାବାଳିକା ଆଉ ଘରକୁ ଫେରିନଥିଲା । ଏନେଇ ବାଲାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରବାର ଲୋକେ । ଅଭିଯୋଗ ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ନାବାଳିକା ଜଣକ ଅପହରଣର ଶିକାର ହୋଇଛନ୍ତି । ଏନେଇ ନାବାଳିକାର ପରିବାର ପ୍ରଥମେ ରାୟଗଡା ଏସପି ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାକୁ ଗୁରୁତ୍ତ୍ୱ ଦେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ତରଫରୁ ତେଲେଙ୍ଗାନା ପୋଲିସକୁ ଅନୁରୋଧ କରାଯାଇଥିଲା । ପରେ ନାବାଳିକାକୁ ଆନ୍ଧ୍ରପ୍ରଦେଶ ବିଜୟବାଡାର ଏକ ଶିଶୁ ଆଶ୍ରୟ ସ୍ଥଳରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ତେଲେଙ୍ଗାନା ପୋଲିସ।