ନୂଆଦିଲ୍ଲୀ,୧୫/୦୨; ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରୁ ନିଖୋଜ ଥିଲେ କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସୈୟା । ୬ ଦିନ ତଳେ ପଡୋଶୀଙ୍କ ଘର ବାହାରୁ ସାକେତଙ୍କ ଲାପଟପ୍ ଏବଂ ବ୍ୟାଗ୍ ମିଳିଥିଲା । ଆମେରିକା କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କେମିକାଲ ଏବଂ ବାୟୋମଲେକ୍ୟୁଲାର ଇଞ୍ଜିନିୟରିଂ ପଢୁଥିଲେ ସାକେତ । ୯ ତାରିଖରୁ ନିଖୋଜ ଥିବା ସାକେତଙ୍କୁ ଖୋଜା ଖୋଜି ଜାରି ରହିଥିଲା । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକାରେ ଥିବା ଭାରତୀୟ କନସୁଲେଟ ଜେନେରାଲ ।

କେଉଁଠୁ ନିଖୋଜ ହୋଇଥିଲେ ସାକେତ ? ରିପୋର୍ଟ ଅନୁସାରେ, ସାକେତଙ୍କୁ ଶେଷ ଥର ପାଇଁ ବର୍କଲି ହିଲ୍ସ ଅଞ୍ଚଳରେ ଦେଖାଯାଇଥିଲା । ସେ ହ୍ରଦ ଆଞ୍ଜା ଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ତାଙ୍କ ପାସପୋର୍ଟ ଏବଂ ଲାପଟପ୍ ମିଳିଥିଲା । କର୍ଣ୍ଣାଟକର ମୂଳ ବାସିନ୍ଦା ସାକେତ ଶ୍ରୀନିବାସୈୟା ଆଇଆଇଟି ମାଡ୍ରାସରୁ ବିଟେକ୍‌ ଡିଗ୍ରୀ ହାସଲ କରିଥିଲେ । ଅଧିକ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ । ୨୦୨୫ରେ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଫେବୃଆରୀ ୧୩ ତାରିଖରେ କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ସଚିବ  ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କୁ ଚିଠି ଲେଖିଥିଲେ । ସାକେତଙ୍କ ପରିବାରକୁ ମିଳିଥିବା ସୂଚନା ଅନୁସାରେ ବର୍କଲି ପୁଲିସରେ ଅଭିଯୋଗ ଦାଖଲ ସତ୍ତ୍ୱେ ସାକେତଙ୍କର କୌଣସି ସନ୍ଧାନ ମିଳିନଥିଲା ଚିଠିରେ ଲେଖାଯାଇଥିଲା । ପରିସ୍ଥିତିର ଗମ୍ଭୀରତା ଏବଂ ପରିବାରରେ ବଢୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ହସ୍ତକ୍ଷେପ ଲୋଡ଼ିଥିଲେ କର୍ଣ୍ଣାଟକ ସରକାର ।

​​​​​​​ରୁମମେଟ୍ କଣ କହିଲେ ? ସାତେକଙ୍କ ରୁମମେଟ୍ ପ୍ରଥମେ ସୋସିଆଲ ମିଡିଆରେ ତାଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ । ଏବଂ ପୁଲିସର ସାହାଯ୍ୟ ଲୋଡିଥିଲେ । ସାକେତଙ୍କ ରୁମମେଟ ବିନିତ ସିଂହ କହିଛନ୍ତି ଏଠାରେ ରହୁଥିବା ସମସ୍ତ  ଭାରତୀୟ ଏହି ଘଟଣାରେ ମର୍ମାହତ । ବିନିତ କହିଛନ୍ତି ନିଖୋଜ ପୂର୍ବରୁ ସାକେତ ଖାଇବା ପିଇବା ଠିକ କରୁନଥିଲେ । ସ୍ନାକ୍ସ ଖାଉଥିଲେ । ସେ ଚିନ୍ତିତ ଥିବା ମନେ ହେଉନଥିଲା । କିଛି ଦିନ ପୂର୍ବରୁ ସେ ଥକା ଅନୁଭବ କରୁଥିଲେ ଏବ କିଛି କରିବାକୁ ଇଚ୍ଛା ହେଉନାହିଁ ବୋଲି କହୁଥିବା ବିନିତ କହିଛନ୍ତି ।

ଏହା ବି ପଢନ୍ତୁ...​​​​​​​ଏସ୍‌ଆଇଆର୍‌ ଶୁଣାଣିରେ ୬ ଲକ୍ଷ ଭୋଟର ଅନୁପସ୍ଥିତ, ବାଦ୍‌ ପଡ଼ିବ ୮୦ ଲକ୍ଷ ନାମ

ସାନ ଫ୍ରାନ୍ସିସ୍କୋର ଭାରତୀୟ କନସୁଲେଟ୍ ସାକେତଙ୍କ ମୃତଦେହ ଉଦ୍ଧାର ହେବା ସମ୍ପର୍କରେ ନିଶ୍ଚିତ କରିଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କନସୁଲେଟ୍ କହିଛି, ''ଆମେ ଗଭୀର ଦୁଃଖିତ ଯେ, ପୁଲିସ ଆମକୁ ସୂଚନା ଦେଇଛି ଯେ, ସାକେତ ଶ୍ରୀନିବାସୈୟାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସାକେତଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ସାକେତଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ . ସ୍ଥାନୀୟ କର୍ତ୍ତୃପକ୍ଷଙ୍ ସହ ସମନ୍ବୟ ରଖି ଆମେ ସାକେତଙ୍କ ମୃତଦେହକୁ ଭାରତ ପଠାଇବା ବ୍ୟବସ୍ଥା କରୁଛି । ଆମର କାର୍ଯ୍ୟାଳୟ ପରିବାର ସହିତ ସିଧାସଳଖ ଯୋଗଯୋଗରେ ଅଛି । ସମସ୍ତ ଔପଚାରିକତାରେ ସେମାନଙ୍କ ସହିତ ଛିଡ଼ା ହୋଉଛୁ । ''