PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ସୀମା ବିବାଦରେ ପୁଲିସ: ବେଳାଭୂମିରେ ଶଢ଼ିଲା ଶବ, ଖାଇଲା ଗଧିଆ.. ଟାଣି ନେଲା ସମୁଦ୍ର

ପୁରୀ,୨୪/୦୬: ପୁଲିସର ସୀମା ବିବାଦ ପାଇଁ ପୁଣି ଏକ ଅଜଣା ଶବ ନିଶ୍ଚିହ୍ନ ହେଲା । ଦୀର୍ଘ ୪ ଦିନ କାଳ ବେଳାଭୂମିରେ ପଡି ରହିଥିଲେ ବି ଜବତ କଲାନି ପୁଲିସ । ଗଧିଆ, ବିଲୁଆ ଖାଇଲା । ଶେଷରେ ସମୁଦ୍ର ପାଣି ଶବଟିର ବଳକା ଅଂଶବିଶେଷକୁ ଭସାଇ ନେଲା । ନୂଆନଈ ମୁହାଣ ନିକଟ ବେଳାଭୂମିରେ ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ପେଣ୍ଠକଟା ମେରାଇନ୍‌ ଓ ସଦର ଥାନା ସୀମା ବିବାଦ ପାଇଁ ଶବଟି ପରିବାର କିମ୍ବା ସମ୍ପର୍କୀୟଙ୍କ ପାଖରେ ପହଞ୍ଚିଲାନି ।

ଗତ ୧୨ ତାରିଖରେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପର୍ଗଣା ଜିଲ୍ଲା ନିମ୍‌ତା ଥାନା ଅଧୀନ ରବୀନ୍ଦ୍ରନଗରର ଉତ୍ତମ ଦାସଙ୍କ ପୁଅ ଉଜ୍ଜଳ ଦାସ (୨୩) ସମୁଦ୍ର ସ୍ନାନ ସମୟରେ ସମୁଦ୍ରରେ ଭାସି ଯାଇ ନିଖୋଜ ହୋଇଥିଲେ । ସମୁଦ୍ରକୂଳ ଥାନା ପୁଲିସ ତାଙ୍କ ସନ୍ଧାନ ପାଇଁ ବିଭିନ୍ନ ଥାନାକୁ ଫଟୋ ଓ ସୂଚନା ପ୍ରଦାନ କରିଥିଲା । ସମୁଦ୍ରରେ ଖୋଜାଖୋଜି ହୋଇଥିଲେ ତଥାପି ସନ୍ଧାନ ମିଳି ନଥିଲା ।

ଗତ ସୋମବାର ଦିନ ନୂଆନଈ ମୁହାଣ ନିକଟ ବେଳାଭୂମିରେ ଜଣେ ଯୁବକଙ୍କ ଶବ ପଡିିଥିଲା । ବେଳାଭୂମିରେ ଶବକୁ କାଉ, କୁକୁର, ବିଲୁଆ ଓ ଗଧିଆ ଖାଇଥିଲେ । ଏହି ଘଟଣା ଅଞ୍ଚଳରେ ପ୍ରଚାରିତ ହୋଇଥିଲେ ମଧ୍ୟ ପୁଲିସ ଆସି ନଥିଲା । ବୁଧବାର ସନ୍ଧ୍ୟା ସୁଦ୍ଧା ମୃତଦେହର ମୁଣ୍ଡ, ୨ ଗୋଡ ଛଡ଼ା ଅନ୍ୟ ସବୁ ଅଙ୍ଗପ୍ରତ୍ୟଙ୍ଗ ବନ୍ୟଜନ୍ତୁ ଖାଇ ସାରିଥିଲେ ବୋଲି ସେଠାରେ ମାଛ ଧରୁଥିବା ଜଣେ ବୃଦ୍ଧ କହିଛନ୍ତି । ରାତିରେ ଜୁଆର ଯୋଗୁଁ ତାହା ବି ପାଣିରେ ଭାସି ଯାଇଛି । ଗୁରୁବାର ସକାଳେ କିଛି ଅନ୍ତବୁଜୁଳା ସେଠାରେ ପଡିଥିବାବେଳେ କଙ୍କଡା ଖାଉଥିବା ଦେଖିବାକୁ ମିଳିଥିଲା ।

ଗୁରୁବାର ଘଟଣା ସମ୍ପର୍କରେ ‘ପ୍ରମେୟ’କୁ ଖବର ମିଳିଥିଲା । ଏନେଇ ପେଣ୍ଠକଟା ମେରାଇନ୍‌ ଥାନା ଆଇଆଇସି ଜ୍ଞାନେନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଘଟଣାସ୍ଥଳ ତାଙ୍କ ଥାନା ସୀମା ନୁହେଁ ବୋଲି ସ୍ପଷ୍ଟ ଭାବେ ସେ ମନା କରିଥିଲେ । ତାହା ସଦର ଥାନା ସୀମା ବୋଲି କହିଥିଲେ ଇନ୍ସପେକ୍ଟର୍‌ ଶ୍ରୀ ସାହୁ । ଏହାପରେ ସଦର ଥାନା ଅଧୀନ ବାଲିଘାଇ ଫାଣ୍ଡି ବିଟ୍‌ ହାଉସ୍‌ ଅଧିକାରୀ ଏଏସ୍‌ଆଇ ରମେଶ ଚନ୍ଦ୍ର ନିଶଙ୍କଙ୍କୁ ଯୋଗାଯୋଗ କରାଯାଇଥିଲା । ସେ ମଧ୍ୟ କହିଥିଲେ ବେଳାଭୂମି ଆମର ନୁହେଁ । ମେରାଇନ୍‌ ଥାନା ପୁଲିସ ଏହି ଶବ ଜବତ କରିବ । କିନ୍ତୁ ଏଏସ୍‌ଆଇ ଶ୍ରୀ ନିଶଙ୍କ ଜଣେ ପୁଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇ ମୁହାଣକୁ ଯାଇଥିଲେ । ହେଲେ ସେତେବେଳକୁ ଶବଟିର ବଳକା ଅଙ୍ଗପ୍ରତ୍ୟଙ୍ଗ ସମୁଦ୍ର ଭସାଇ ନେଇଥିବା ଜଣାପଡିଥିଲା ।

ପରେ ଆମ ଟିମ୍‌ ଘଟଣା ସ୍ଥଳକୁ ଯାଇଥିଲା । ସେଠାରେ ପଚରା ଉଚରା କରିବାବେଳେ କିଛି ମତ୍ସ୍ୟଜୀବୀ ଶବ ପଡିଥିବା ସ୍ଥାନକୁ ଦେଖାଇଥିଲେ । ୪ ଦିନ କାଳ ପଡି ଦୁର୍ଗନ୍ଧ ହେଉଥିବାଯୋଗୁଁ ନଦୀରୁ ମାଛ ଧରିବାବେଳେ ନାକ ଫାଟି ପଡୁଥିଲା ବୋଲି ସେମାନେ କହିଥିଲେ । ବନ୍ୟଜନ୍ତୁ ରାତିଦିନ ଖାଇଥିବାବେଳେ ସମୁଦ୍ର ଜୁଆର ବେଳାଭୂମିରୁ ଏସବୁ ସଫା କରିଦେଲା ବୋଲି ସେମାନେ କହିଛନ୍ତି ।
ସେପଟେ ଲଗାତର ଭାବେ ଏହି ଅଞ୍ଚଳରେ ଶବ ପଡି ପଚିଶଢି ନଷ୍ଟ ହେଉଥିବା ନଜିର ରହିଛି । ସୀମା ବିବାଦ ପାଇଁ ଏକାଧିକ ଥର ଅଜଣା ଶବ ଜବତ ହୋଇନପାରି କଙ୍କାଳ ହୋଇଥିବା ଓ ଦୀର୍ଘ ଦିନ ଧରି ପଡି ରହିବା ପରେ ପାଣିରେ ଭାସି ପଳାଇଥିବା ଖବର ପ୍ରକାଶ ପାଇଛି । ତଥାପି ସୀମା ନିର୍ଦ୍ଧାରଣ ହୋଇ ପାରୁନଥିବାବେଳେ ପୁଲିସର ଅବହେଳା ପାଇଁ ମୃତବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ଲୋକେ ପାଇବାରୁ ବଞ୍ଚିତ ହେଉଛନ୍ତି ।