ଅନୁଗୁଳ ୧୨/୦୫(ଜଳଧର ପ୍ରଧାନ):ପୂର୍ବତନ ପୂର୍ତ୍ତ ସଚିବ, ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ରର ପୂର୍ବତନ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଖି ଯେବେଠୁ ଆଠମଲ୍ଲିକ ବିଧାନସଭା ସିଟ୍ ଉପରେ ପଡ଼ିଲାଣି, ସେବେଠୁ ବିଜେଡି ରାଜନୀତିରେ ହଲ୍ଚଲ୍ ଆରମ୍ଭ ହୋଇଛି । ଯେଉଁ ନଳିନୀଙ୍କ ମାର୍ଗଦର୍ଶନରେ ସରକାରୀ ପଦବି ଛାଡ଼ି ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଏ ନିର୍ବାଚନ ମୈଦାନକୁ ଓହ୍ଲାଇ, ବିଧାୟକ ଭାବେ ବିପୁଳ ଭୋଟ୍ରେ ବାଜିମାତ୍ କରିଥିଲେ³ ନିର୍ବାଚନର ବର୍ଷ ଦୁଇଟା ଯାଇଛି କି ନା ତାଙ୍କ ସହ ଅପଡ଼, ମୁହଁ ଫଟାଫଟି । ଗତ ପଞ୍ଚାୟତ ନିର୍ବାଚନରେ ମନାନ୍ତର ତୀବ୍ର ହେବା ସହ ଦୁଇ ନେତାଙ୍କୁ କେନ୍ଦ୍ର କରି ବିଜେଡି ଫାଟ ଅଧିକ ସ୍ପଷ୍ଟ ହୋଇଥିଲା । ନଳିନୀ, ରମେଶଙ୍କୁ ନେଇ ଆଠମଲ୍ଲିକରେ ବିଜେଡିରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ପ୍ରାକ୍ତନ ବିଜେଡି ମନ୍ତ୍ରୀ ତଥା ଏବେର ବିଜେପି ନେତା ସଂଜୀବ ସାହୁଙ୍କ ନେତୃତ୍ୱରେ ବିଜେପି ନିଜର ସ୍ଥିତି ଅଣ୍ଡାଳୁଛି ।
୨୦୧୯ ସାଧାରଣ ନିର୍ବାଚନ ପରେ ତଥା ୨୦୨୨ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଠମଲ୍ଲିକ ବିଜେଡିରେ ବଡ଼ ଧରଣର ପରିବର୍ତନ ହୋଇଛି, ଯାହା ସଂଗଠନକୁ ଜୋର୍ଦାର ପ୍ରଭାବିତ କରିଛି । ୨୦୧୯ ନିର୍ବାଚନରେ ନବାଗତ ରମେଶ ସାଏ ଆଠମଲ୍ଲିକ ଭଳି ଅଣସଂରକ୍ଷିତ ସିଟ୍ରେ ବିଜେଡି ଟିକେଟ୍ ହାତେଇବା ରାଜନୈତିକ ମହଲରେ ଚର୍ଚ୍ଚାର ପରିଧିକୁ ଆସିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ରମେଶ ସାଏ ସର୍ବାଧିକ ୫୩.୫୭% (୮୬୨୫୪), ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନ ୨୪.୨୬% (୩୯୦୭୦) ଓ କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ୧୯.୨୧% (୩୦୯୨୫) ଭୋଟ୍ ପାଇଥିଲେ । ରାଜ୍ୟର ଜଣେ ପାୱାରଫୁଲ୍ ବ୍ୟୁରୋକ୍ରାଟ୍ ଭାବେ ଜଣାଶୁଣା ରାଜ୍ୟ ପୂର୍ତ୍ତ ବିଭାଗର ପାୱାରଫୁଲ୍ ସଚିବ ନଳିନୀ ପ୍ରଧାନଙ୍କ ଅନୁଗତ ରମେଶ ୭ ବର୍ଷର ଓଏଏସ୍ ଚାକିରି ଛାଡ଼ି ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ ।
ଲେଖାଯୋଖା ସମ୍ପର୍କରେ ଦାଦା-ପୁତୁରା ଯୋଡ଼ିଙ୍କ ମଧ୍ୟରୁ ପୁତୁରା (ରମେଶ) ସିନା ତାଙ୍କର ପ୍ରଥମ ନିର୍ବାଚନରେ ଈର୍ଷଣୀୟ ସଫଳତା ପାଇଲେ, ହେଲେ ପ୍ରଶାସନିକ ଗୋଟି ଚାଳନାରେ ଧୁରନ୍ଧର ଦାଦା (ନଳିନୀ) ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରି ଧୂଳି ଚାଟିଲେ । ହାତ ପାଆନ୍ତାରୁ ବିଜୟ ହାତଛଡ଼ା ହୋଇଥିଲା । ଏହା ପରବର୍ତ୍ତୀ ଦୁଇ ବର୍ଷ ଠିକ୍ଠାକ ଚାଲିବା ପରେ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ବିଜେଡି ନେତାଙ୍କ ସମ୍ପର୍କରେ ସୃଷ୍ଟି ହେଲା ଫାଟ । ଲୋକସଭା ଆସନରୁ ମୁହଁ ଫେରାଇ ନଳିନୀ ଯେବେଠାରୁ ତାଙ୍କ ନିଜର ବିଧାନସଭା କ୍ଷେତ୍ର (ପୂର୍ତ୍ତ ସଚିବ କିଶୋରନଗର ବ୍ଲକ୍ ଅଙ୍ଗପଡ଼ା ଗ୍ରାମର ବାସିନ୍ଦା) ଉପରେ ଆଖି ପକାଇଲେଣି ସେବେଠାରୁ ବିଜେଡି ଆଉ ଏକ ହୋଇନାହିଁ । ଦୁଇ ମଙ୍ଗୁଆଳ ପରସ୍ପରର ଛାଇ ଦେଖିବାକୁ ବି ନାରାଜ ।
wp:headingଆହୁରି ପଢ଼ନ୍ତୁ...
/wp:heading wp:embed {"url":"https://www.prameya.com/mission-2024-paralakhemundi-assembly-triangle-fight/","type":"wp-embed","providerNameSlug":"prameya"}ଆଠମଲ୍ଲିକ ବ୍ଲକ୍ ଅଧ୍ୟକ୍ଷ ହେଉକି କି ଏନ୍ଏସି ଅଧ୍ୟକ୍ଷ³ ଅବା କିଶୋରନଗର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କେତେବେଳେ ରମେଶ, ତ କେତେବେଳେ ନଳିନୀଙ୍କ ପଲା ଭାରି ରହିଛି । ଏହି ଛକାପଞ୍ଝା ରାଜନୀତିରେ ବିଜେଡି ନେତା, କର୍ମୀ ବି ଭାଗ ଭାଗ ହୋଇଯାଇଛନ୍ତି । ବିଜେଡି ଟିକେଟ୍ ଅଙ୍କ ଏହି ଦୁଇ ଜଣଙ୍କ ମଧ୍ୟରେ ସୀମିତ ବୋଲି ଚର୍ଚ୍ଚା ହେଉଥିବା ବେଳେ ଯୁବନେତା ଅର୍ଜୁନ ସାହୁ, ବିଜେଡି ଯୁବ ରାଜ୍ୟ ଯୁଗ୍ମସଂପାଦକ ପ୍ରକାଶ ଡାଙ୍ଗ ବି ଟିକେଟ୍ ଆଶାରେ ଥିବା ଜଣାପଡ଼ିଛି ।
୨୦୧୯ରେ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ କିଛି ଦିନ ଚୁପ୍ ରହିଥିଲେ ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ‘ପଦ୍ମ’ ଧରିଲେ । ଆଠମଲ୍ଲିକର ବିଜେପି ନେତା ଭାଗିରଥୀ ପ୍ରଧାନଙ୍କ ଉପରୁ ଦଳୀୟ ନେତୃତ୍ୱ ଭରସା ତୁଟାଇ ସଂଜୀବଙ୍କ ମୁଣ୍ଡରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ନ୍ୟସ୍ତ କରିଛି । ଦୀର୍ଘ ବର୍ଷ ହେଲା ଭାଗିରଥୀ ସଂଗଠନଠାରୁ ଦୂରେଇ ରହିଥିବା ବେଳେ ସଂଜୀବଙ୍କ ଉପରେ ଦଳର ଉଚ୍ଚସ୍ତରୀୟ ପଦାଧିକାରୀ ଅନେକ ଭରସା ବି କରିଛନ୍ତି । ହେଲେ ସଂଜୀବଙ୍କ ନେତୃତ୍ୱରେ ବିଜେପି ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବାରୁ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡବଥା ହୋଇଛି । ପୁରୁଣା ଦଳୀୟ ନେତା, କର୍ମୀଙ୍କୁ ଅଣଦେଖା କରି ନିର୍ଦ୍ଦିଷ୍ଟ ହାତଗଣତି ନେତାଙ୍କୁ ନେଇ ଚାଲିଛନ୍ତି ସଂଜୀବ ।
ଗତ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେପି ସେଭଳି କୌଣସି ସଫଳତା ପାଇବାରେ ଫେଲ୍ ମାରିଥିଲା । ସାଂଗଠନିକ କାର୍ଯ୍ୟକ୍ରମ ଧିମେଇ ଯାଇଛି । ପୂର୍ବରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ଘନ ଘନ ଆଠମଲ୍ଲିକ ଗସ୍ତ କରି ବିଜେପି ସଂଗଠନକୁ ସଜାଡ଼ି ଆସିଥିବା ବେଳେ ସଂଜୀବଙ୍କ ନେତୃତ୍ୱରେ ସଂଗଠନ ବିଗିଡ଼ି ଚାଲିଛି ବୋଲି ଖୋଦ୍ ଦଳୀୟ କର୍ମୀ ଆଲୋଚନା କରୁଛନ୍ତି । ଜିଲ୍ଲା ସଭାପତି ଦିଲେଶ୍ୱର ଅନୁଗୁଳ ବ୍ଲକ୍ ତଥା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ବାସିନ୍ଦା । ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅନଗୁଳ ବ୍ଲକର ୯ଟି ପଞ୍ଚାୟତରେ ଜିଲ୍ଲା ସଭାପତିଙ୍କ ସଂଗଠନ ରହିଛି । ତେଣୁ ତାଙ୍କୁ ସଂଜୀବଙ୍କ ବିକଳ୍ପ ଭାବରେ ବିବେଚନା କରାଯାଉଥିବା ସୂଚନା ମିଳିଛି ।
ଜାତୀୟ, ରାଜ୍ୟ, ଜିଲ୍ଲା ସ୍ଥିତି ଭଳି ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବି କଂଗ୍ରେସ ସ୍ଥିତି ଏକଦମ୍ ଅସଜଡ଼ା । ଦୀର୍ଘ ଦିନ ଧରି ଶାସନଠାରୁ ଦୂରେଇ ରହିବା ପରେ କର୍ମୀ ବି ନେତାଙ୍କ ହାତ ଛାଡ଼ିଲେଣି । ଅନ୍ୟ ଦଳକୁ ମୁହାଁଇଛନ୍ତି । ପକେଟ୍ରୁ ଖର୍ଚ୍ଚ କରି ସଂଗଠନ କରିବା କଂଗ୍ରେସ ନେତାଙ୍କ ପାଇଁ କାଠିକର ହୋଇପଡ଼ିଛି । ଗତ ନିର୍ବାଚନରେ କଂଗ୍ରେସ ନେତା ବିଜୟାନନ୍ଦ ଚାଉଳିଆ ପ୍ରତିଦ୍ୱନ୍ଦ୍ୱିତା କରି ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ବିଜୟାନନ୍ଦଙ୍କୁ ବାଦ୍ ଦେଲେ ସେଭଳି କୌଣସି ଆଖିଦୃଶିଆ ନେତାଙ୍କ ଉତ୍ଥାନ ଏପର୍ଯ୍ୟନ୍ତ ହୋଇନାହିଁ । ଏପରିକି ୨୦୨୪ ନିର୍ବାଚନରେ କଂଗ୍ରେସ ସ୍ଥିତି ଆହୁରି ଶୋଚନୀୟ ହେବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।