ଟାଙ୍ଗୀ-ସାଲେପୁର ରାଜନୈତିକ ସ୍ଥିତି ଗୋଳମାଳିଆ: ବିଜେଡିକୁ ଏକାଧିକ ଆଶାୟୀ ଚିନ୍ତା, ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ବିଜେପି

କଟକ ୨୩/୦୫ (ସୁକେଶ ବେହେରା): ୨୦୧୯ ନିର୍ବାଚନରେ ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ପ୍ରତିଦ୍ୱନ୍ଦ୍ୱିତା। ତତ୍କାଳୀନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସାମ୍ନାରେ ଥିଲେ ପୂର୍ବଥରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା । ପ୍ରକାଶ ‘ହାତ’ ଛାଡ଼ି ନୂଆ ନୂଆ ‘ପଦ୍ମ’ ଧରିଥିଲେ । ସେପଟେ ‘ଶଙ୍ଖ’ ଚିହ୍ନକୁ ବ୍ରାଣ୍ଡ୍ କରି ବିକାଶର ନାରା ଦେଇ ତୃଣମୂଳ ସ୍ତରର ଭୋଟ୍କୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ । ଶେଷରେ ୩୪ ହଜାରରୁ ଅଧିକ ଭୋଟ୍ରେ ଜିତି ବିଜୟବାନା ଉଡ଼ାଇଥିଲେ ପ୍ରଶାନ୍ତ ।
ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀରେ ମତଦାତା ସବୁବେଳେ ପ୍ରାର୍ଥୀଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ବିଗତ ତିନିଟି ନିର୍ବାଚନରେ ତିନି ଜଣ ଭିନ୍ନ ଭିନ୍ନ ବିଧାୟକ ଏଠାରୁ ଲୋକଙ୍କ ସମର୍ଥନ ପାଇ ଜିତିଛନ୍ତି । ୨୦୦୯ରେ ବିଜେଡିରୁ ଚନ୍ଦ୍ରସାରଥି ବେହେରା, ୨୦୧୪ରେ କଂଗ୍ରେସରୁ ପ୍ରକାଶ ଚନ୍ଦ୍ର ବେହେରା ଏବଂ ୨୦୧୯ରେ ବିଜେଡିରୁ ପ୍ରଶାନ୍ତ ବେହେରା ଏଠାକାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ କଟକ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀରୁ ଯେଉଁ ଦୁଇଟିରେ କ୍ଷମତା ପରିବର୍ତ୍ତନ ହୋଇଥିଲା ସେ ଭିତରେ ଟାଙ୍ଗୀ-ସାଲେପୁର ଥିଲା ଅନ୍ୟତମ । ତେଣୁ ଆସନ୍ତା ବିଧାନସଭା ନିର୍ବାଚନରେ ମତଦାତାଙ୍କ ଚୟନ କଣ ହେବ ତାହା ଉପରେ ସବୁରି ନଜର ନିବଦ୍ଧ ରହିଛି । ଏ ଭିତରେ ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ବି ଗୋଳମାଳିଆ ହୋଇଛି ।
ଶାସକ ଦଳ କଥା ଆଲୋଚନା କଲେ, ଏଠାରେ ଅନେକ ଆଶାୟୀ ମୁଣ୍ଡ ଟେକିଲେଣି । ବିଧାୟକ ପ୍ରଶାନ୍ତ ବେହେରା ପୁନର୍ବାର ଏଠାରୁ ନିର୍ବାଚନ ଲଢିବାକୁ ନିଜ ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର୍ ଏବେ ଉଭୟ ଟାଙ୍ଗୀ ଓ ସାଲେପୁରରେ ଦେଖିବାକୁ ମିଳୁଛି । ବ୍ୟବସାୟୀ ହିମାଂଶୁ ମହାନ୍ତି ଏବେ ଶଂଖ ଚିହ୍ନରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ନିକଟ ଅତୀତରେ ସେ ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମ ମଧ୍ୟ କରିସାରିଲେଣି । ବିଜେଡିର କୌଣସି ପଦପଦବିରେ ନଥାଇ ମଧ୍ୟ ଟାଙ୍ଗୀରେ ଦଳୀୟ କାର୍ଯ୍ୟାଳୟ ଖୋଲି ସେ ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଏକପ୍ରକାର ଚାଲେଞ୍ଜ ଦେଇସାରିଛନ୍ତି । ‘ଦଳ ନୁହେଁ ବ୍ୟକ୍ତି ବିରୋଧୀ’ ନାରା ଦେଇ ସେ ନିଜସ୍ୱ ସଂଗଠନ ଗଢିବାରେ ବ୍ୟସ୍ତ ରହିଛନ୍ତି । ସେପଟେ ଅପୂର୍ବା ଅପରୂପା ଓ ବିଶ୍ୱେଶ୍ୱର ସ୍ୱାଇଁ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ସୂଚନା ମିଳୁଛି ।
ତେବେ ଅଞ୍ଚଳରେ ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ସଂଗଠନ ସକ୍ରିୟ ଥାଇ ମଧ୍ୟ ବିଧାୟକ ପ୍ରଶାନ୍ତ ବେହେରା ନିଜ ସ୍ଥିତିକୁ ନେଇ ବେଶ୍ ଦମ୍ଭରେ ଥିବା ଭଳି ମନେ ହେଉଛନ୍ତି । ‘କଥା ନୁହେଁ, କାମ କଥା କୁହେ’ ନାରାରେ ପ୍ରଶାନ୍ତ ପୁଣି ଥରେ ନିର୍ବାଚନକୁ ଓହ୍ଲାଇବାକୁ ଜୋର୍ ଲଗାଇଲେଣି । ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା, ବସୁଧା ଯୋଜନାରେ ୧୧୨ଟି ଗାଁକୁ ପାନୀୟ ଜଳ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗ ମିଶାଇ ପ୍ରାୟ ୨ଶହ କୋଟିର ରାସ୍ତାକାମ, ୩୦ରୁ ଅଧିକ ସ୍କୁଲ୍ର ୫ଟି ରୂପାନ୍ତରଣ, ମୋ’ ବସ୍ ଚଳାଚଳ, ବ୍ରିଜ୍ ନିର୍ମାଣ, ସାଲେପୁର ଷ୍ଟାଡିୟମ୍ ଏବଂ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନିଜ ନିର୍ବାଚନୀ ଏଜେଣ୍ଡା କରିବେ ପ୍ରଶାନ୍ତ । ତା’ଛଡ଼ା ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ଟାଙ୍ଗୀ ଓ ସାଲେପୁର ବ୍ଲକ୍ରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଜିତାପଟ ପାଇବା ବିଧାୟକ ଶ୍ରୀ ବେହେରାଙ୍କ ହାତମୁଠାକୁ ଟାଣ କରିଥିବା ତାଙ୍କ ଶିବିର ତରଫରୁ କୁହାଯାଉଛି ।
ଆହୁରି ପଢ଼ନ୍ତୁ…
ସେପଟେ ପ୍ରଶାନ୍ତଙ୍କ ପ୍ରମୁଖ ବିରୋଧୀ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେପି ସଂଗଠନରେ ବେଶ ସକ୍ରିୟ ରହିଛନ୍ତି । ବିଜେପିର ଜିଲ୍ଲା ସଭାପତି ଭାବେ ନିଜ ଅଞ୍ଚଳ ସମେତ ସାରା ଜିଲ୍ଲାରେ ଦଳର ଶକ୍ତି ଓ ସ୍ଥିତି ଜାହିର୍ କରିବାକୁ ଜୋର୍ ଲଗାଉଛନ୍ତି । ଅବଶ୍ୟ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କ୍ଷେତ୍ରରେ ଦଳ ଏବେ ସୁଦ୍ଧା ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ କିଛି କରି ପାରିନାହିଁ କିମ୍ବା ଶାସକଦଳକୁ ଅକଳରେ ପକାଇବା ଭଳି ମୁଦ୍ଦା ଗଢି ତୋଳିପାରି ନାହିଁ । ତଥାପି ତାଙ୍କ ପୁରୁଣା ସଂପର୍କ, ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ଏବେ ବି ବେଶ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ସେହିପରି ନିର୍ବାଚନମଣ୍ଡଳୀରେ ଆଉ କିଛି ସମାନ୍ତରାଳ ସଂଗଠନ ରହିଥିବା ଚର୍ଚ୍ଚା ହେଉଛି । ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାଲେପୁର ଗସ୍ତ ସମୟରେ ଏହି ସଂଗଠନ ସକ୍ରିୟ ଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ କଂଗ୍ରେସରୁ ଏଠାରେ ଇଂ. ଆକ୍ୟୁବ୍ ଖାଁ ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଆଶାବାଦୀ ରହିଛନ୍ତି । ଟାଙ୍ଗୀ-ସାଲେପୁରରେ କଂଗ୍ରେସର ଭଲ ଭୋଟ୍ ଆଧାର ରହିଛି ।
୨୦୧୪ରେ ପ୍ରକାଶ ବେହେରା କଂଗ୍ରେସରେ ଥିବା ବେଳେ ବିପୁଳ ସମର୍ଥନ ପାଇ ଜିତିଥିଲେ । ପ୍ରକାଶ ବିଜେପିରେ ମିଶିବା ପରେ ଏହି ଭୋଟ୍ ବ୍ୟାଙ୍କ୍ ବିଭାଜିତ ହୋଇଛି ସତ, ହେଲେ ଏବେ ବି କଂଗ୍ରେସର ପୁରୁଖା କର୍ମୀ, ସଂଗଠକ ଏବଂ କାର୍ଯ୍ୟକର୍ତ୍ତା ସୁଯୋଗକୁ ଅପେକ୍ଷା କରି ରହିଛନ୍ତି । ପୂର୍ବତନ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କର ବିଶେଷ ସକ୍ରିୟ ନଥିବା ବେଳେ ଆକ୍ୟୁବ୍ ଖାନ୍ ଏହି ଶୂନ୍ୟସ୍ଥାନକୁ ପୂରଣ କରିବେ ବୋଲି ଆଶା କରାଯାଉଛି । ବିଜେପି ଓ କଂଗ୍ରେସ ବ୍ୟତୀତ ବାହ୍ୟ ଶକ୍ତିର ଏକ ଅଦୃଶ୍ୟ ପ୍ରଭାବ ଏବେ ବି ନିର୍ବାଚନମଣ୍ଡଳୀରେ ରହିଛି । ଏମିତିକି ବିଜେଡିରେ ମୁଣ୍ଡ ଟେକୁଥିବା କିଛି ନୂଆ ମୁହଁଙ୍କୁ ନିର୍ବାଚନମଣ୍ଡଳୀ ବାହାରୁ ଜଣେ ପୁରୁଖା ନେତା ସହଯୋଗ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି ।