ବୀରମହାରାଜପୁର, ୨୩/୦୨ : ଜମିବାଡ଼ି ଥାଇ ପରଘରେ କାମ କରିବାକୁ ପଡ଼ୁଥିଲା । ନିଜେ କିଛି କରିବା ପାଇଁ ତାଙ୍କ ମନ ବ୍ୟାକୁଳ ଥିଲା । ବାପଘରୁ ଶିଖି ଆସିଥିବା ଚାଷକାମ ପାଇଁ ସେ ମନ ବଳାଇଲେ । ଆଖପାଖର ପରିତ୍ୟକ୍ତ ଜମି ସଫାକରି ନିଜେ ଚାଷବାସ ଆରମ୍ଭ କଲେ । ନିଜ ଜମିରୁ ଉତ୍ପାତିଦ ଫସଲ ବିକ୍ରିକରି ବେଶ ଦୁଇପଇସା ରୋଜଗାର ହେଲା । ବର୍ତ୍ତମାନ ସେ ଏକ ଫାର୍ମ ହାଉସ ନିର୍ମାଣକରି ସମନ୍ୱିତ ଚାଷ ଆରମ୍ଭ କରିଛନ୍ତି । ପରିଶ୍ରମ ବଳରେ ନିଜେ ସଫଳତା ପାଇବା ସହ ଅନ୍ୟକୁ ରୋଜଗାର ଯୋଗାଇ ପାରିଥିବା ସଫଳ ମହିଳାଜଣକ ହେଲେ ବୀରମହାରାଜପୁର ବ୍ଲକ ଲାତୁରପେଟ ଗାଁର ମିତାଲି ମହାକୁର ।
ମିତାଲିଙ୍କ ବାପଘର ସମ୍ପୂର୍ଣ୍ଣ ଚାଷୀ ପରିବାର । ସେ ୨୦୧୨ ମସିହାରେ ଲାତୁରପେଟ ଗାଁର ଅର୍ଜୁନଙ୍କୁ ବାହାହୋଇ ଆସିଲେ । ସେ ସମୟରେ ଶଶୂର ଘରେ ୪.୫ ଏକର ଜମି ଥିଲା । ସବୁତକ ଜମି ପଡ଼ିଆ ପଡ଼ିଥିଲା । ଶଶୁର ଘର ବି ସେଭଳି ସ୍ୱଚ୍ଛଳ ନଥିଲା । ଅନ୍ୟ ଘରେ କାମକରି ସେମାନ ପରିବାର ପ୍ରତିପୋଷଣ କରୁଥିଲେ । ମିତାଲି ଶଶୂର ଘରକୁ ଆସିବାପରେ ନିଜ ଜମିରେ ଚାଷକାମ କରିବାକୁ ପ୍ରବର୍ତ୍ତାଇଲେ । ହେଲେ ଶଶୁରଘର ଲୋକେ ମୂଲିଆ ଅଭାବ କିଏ କାମ କରିବ । ଅମଳ ସାମଗ୍ରୀ କେମିତି ବିକ୍ରି ହେବ ଆଦି ସମସ୍ୟା କହି ସିଧାସଳଖ ମନା କରିଦେଲେ । ତଥାପି ହାର ନମାନି ବାପଘରୁ ଶିଖି ଆସିଥିବା ଚାଷକାମ କରିବାକୁ ସେ ବାରମ୍ବାର ସ୍ୱାମୀ ଓ ଶଶୁରଙ୍କ ଆଗରେ ଅଡ଼ି ବସିଲେ । ମିତାଲିଙ୍କ ପ୍ରଥମେ ଗୋଟିଏ ଶଙ୍କର ଜାତୀୟ ଗାଈ ଆଣଲେ । ନିଜେ ମିତାଲି ଓ ତାଙ୍କ ଶଶୁର ମିଶି ଗାଈର ସେବା ଆରମ୍ଭ କଲେ । ବଜାରରୁ ମିଳୁଥିବା ଗୋଖାଦ୍ୟ ବ୍ୟୟବହୁଳ ହେଲା । ନିଜେ ଜମିରେ ପ୍ରଥମେ ଘାସ ଚାଷ କଲେ । ଜମିରୁ ଉତ୍ପାଦିତ ଘାଷ ଖାଇବା ପରେ ଗାଈ ବେଶ ହୃଷ୍ଟପୃଷ୍ଟ ହେଲା । ଗାଈ କ୍ଷୀରକୁ ବିକ୍ରିକରି ମାସିକ ବେଶ ଦୁଇପଇସା ରୋଜଗାର କଲେ । ଗାଈରୁ ଦୁଇପଇସା ମିଳୁଥିବା ଦେଖି ଉନ୍ନତ ପ୍ରଜାତି ଗାଈ ଆଣିବାକୁ ଶଶୁରଙ୍କୁ ପ୍ରସ୍ତାବ ଦେଲେ । ଏଭଳି ଭାବେ ଗୋସେବାକରି ସେ ବର୍ତ୍ତମାନ ୪୦-୪୫ ଲିଟର କ୍ଷୀର ଓମଫେଡ଼କୁ ଯୋଗାଉଛନ୍ତି । ବଳକା କ୍ଷୀର ବିକ୍ରିକରି ଘରୋଇ ଗ୍ରାହକଙ୍କୁ ବିକ୍ରି କରି ଅଧିକ ଟଙ୍କା ବି ରୋଜଗାର କରୁଛନ୍ତି । ଏହାପରେ ସେ ଆରମ୍ଭକଲେ ଫୁଲ ଓ ପନିପରିବା ଚାଷ । ଏହା ବିକ୍ରିମକରି ସେ ବର୍ତ୍ତମାନ ସ୍ୱାବଲମ୍ବୀ ପାଲଟି ଯାଇଛନ୍ତି । କିନ୍ତୁ ଏତିକିରେ ମିତାଲି ଅଟକି ଯାଇନାହାନ୍ତି । ପୁଣି ମାଛ ଚାଷ ପାଇଁ ମନ ବଳାଇଲେ । ବାଡ଼ିରେ ଦୁଇଟି ପୋଖରୀ ଖୋଳି ମାଛ ଯାଆଁଳ ଛାଡ଼ିଲେ । ମାଛ ବଡ଼ ହେଲୋ ପରେ ସେଗୁଡ଼ିକୁ ବେପାରୀଙ୍କୁ ବିକ୍ରି କରି ପୁଣି ଲାଭର୍ଜନ କଲେ । ଏବେ ନିଜ ଚାଷ ଜମି ହିଡରେ ପ୍ରାୟ ୧୦୦ଟି ନଡିଆ ଗଛ, ୪୦ଟି ଶାଗୁଆନ ଗଛ ଲଗାଇଛନ୍ତି ।
ମିତାଲିଙ୍କ ପରିବାର ଲୋକଙ୍କ ସହିତ ବାହାର ୭ଜଣ ମହିଳା, ପୁରୁଷ ଦୈନିକ ଚାଷ କାମରେ ନିୟୋଜିତ ଅଛନ୍ତି । ମିତାଲିଙ୍କ ପରିବାର ଲୋକେ ଏବେ ନିଜଜମି ଛଡ଼ା ପାଖରେ ଥିବା ଅନ୍ୟ ଲୋକଙ୍କ ଜମିକୁ ଲିଜ ସୂତ୍ରରେ ନେଇଛନ୍ତି । ସେଠାରେ ଧାନଚାଷ କରି ବେଶ ଲଳାଭବାନ ବି ହୋଇଛନ୍ତି । ତାଙ୍କ ବାଡିରେ ଏବେ ୨ଟି ଗଭୀର ନଳକୂପ, ଦୁଇଟି ପୋଖରୀ, ଗୋଟିଏ ଖୋଲା କୂଅ ରହିଛି । ରବି ଋତୁରେ ସେଠାରୁ ପାଣିମଡ଼ାଇ ଧାନଚାଷ କରୁଛନ୍ତି । ଚଳିତବର୍ଷ ୫୦ କଦଳୀ ଗଛ ରୋପଣ କରି ଚାଷଛନ୍ତି । ସମସ୍ତ ଖର୍ଚ୍ଚ ଯିବାପରେ ତାଙ୍କ ପରିବାରରେ ବର୍ତ୍ତମାନ ଆୟ ପ୍ରାୟ ୧୦-୧୨ ଲକ୍ଷ ଟଙ୍କା ବୋଲି ମିତାଲି କହିଛନ୍ତି । ମିତାଲିଙ୍କ କହିବା ଅନୁସାରେ, ଯଦି ସରକାରଙ୍କ ଦ୍ୱାରା ଗୋ-ପାଳନ ଓ ଉଦ୍ୟାନ ଏବଂ କୃଷି ବିଭାଗରୁ ବିଭିନ୍ନ ଯୋଜନା ନେଇ କିଛି ଆର୍ଥିକ, ବୈଷୟିକ ସହାୟତା ଯୋଗାଇ ଦିଆଗଲେ ଅଧିକ ଲୋକଙ୍କୁ ରୋଜଗାର ଦେଇପାରିବେ ବୋଲି କହିଛନ୍ତି । ମିତାଲି ବୈଷୟିକ କୃଷକ ଉପଦେଷ୍ଟା କମିଟି (ଆତ୍ମା)ର ସଭ୍ୟ ରହିଥିବାବେଳେ ସେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ସଦସ୍ୟ ରହିଛନ୍ତି । ତାଙ୍କ ଚାଷକାମ କରିବାର ଆଗ୍ରହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି । ଅନେକ ସ୍ଥାନରେ ମହିଳାମାନେ କାମ ନପାଇ ଦାଦନ ଯାଉଥିବାବେଳେ ମିତାଲି ନିଜଘରେ ଚାଷକରି ଶାନ୍ତିରେ ଜୀବନ ବିତାଉଛନ୍ତି । ନିଜଘର ସଜାଡ଼ିବା ଏବଂ ପରିବାରକୁ ରୋଜଗାର ରାହା ଦେଖାଇଥିବା ମିତାଲି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ସଂଘର୍ଷରୁ ସଫଳତା: ନିଜେ ସଂଘର୍ଷ କଲେ, ଏବେ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ସାହାରା !