ତିହିଡ଼ି, ୨୩।୨(ଅଭୟ ପତି): ସଂଘର୍ଷ କରି ନିଜକୁ ମଜଭୁତ କରିବା ସବୁ ମହିଳାଙ୍କ ଭାଗ୍ୟରେ ଜୁଟେନି । ଘରେ ଅର୍ଥର ଅଭାବ, ଚାଳଛପର କରିବାକୁ ଟଙ୍କା ନାହିଁ । ନିଜର ଦୁଇ ସନ୍ତାନ ପାଠ ପଢ଼ିବେ, କିପରି ମଣିଷ ହେବେ ତାହା ଏକ ସ୍ୱପ୍ନ । ଆର୍ଥିକ ଅନଟନ ଭିତରେ ଏହି ସ୍ୱପ୍ନ ବାନ୍ଧି ହୋଇଯାଇଥିଲା । ସ୍ୱାମୀ ବି କଷ୍ଟକର କାମ କରିବା ଅବସ୍ଥାରେ ନାହାନ୍ତି । ତଥାପି ସେ ଭାଙ୍ଗି ପଡ଼ିନଥିଲେ । କଠିନ ପରିଶ୍ରମ ଓ ପ୍ରବଳ ଆତ୍ମବିଶ୍ୱାସ ଯୋଗୁ ସବୁ ବାଧାବିଘ୍ନକୁ ଏଡ଼ାଇ ନିଜେ ସଫଳ ହେବା ସହ ୩୦୦ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମର ସୁଚିସ୍ମିତା ସାହୁ । ଉଷା କମ୍ପାନି ସହାୟତାରେ କେନ୍ଦ୍ରାପଡ଼ାକୁ ଯାଇ ୯ ଦିନ କାଳ ସିଲାଇ ଟ୍ରେନିଂ ନେଇ ପ୍ରମାଣପତ୍ର ହାସଲ କରି ଫେରିଥିଲେ । କମ୍ପାନିର ନିର୍ଦ୍ଦେଶ ଥିଲା ଗୋଟିଏ ବର୍ଷ ମଧ୍ୟରେ ୨୦ ଜଣଙ୍କୁ ପ୍ରଶିକ୍ଷଣ ଦେଲେ ସେ ମାଷ୍ଟର୍ ଟ୍ରେନର୍ ଭାବେ ବିବେଚିତ ହେବେ । ହେଲେ ୨୨ ଜଣଙ୍କୁ ପ୍ରଶିକ୍ଷଣ ଦେଇ ଉଷା କମ୍ପାନିଠାରୁ ୧୦ଟି ସିଲାଇ ମେସିନ୍ ସହୟତା ପାଇଥିଲେ । ମେସିନ୍କୁ ନେଇ କରିବେ ବା କ’ଣ । ଜାଗା କାହିଁ ।
ଏହା ବି ପଢ଼ନ୍ତୁ... ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ସକାଳ ୬ଟା ୨୦ରୁ ହାଣ୍ଡିଛାଡ, ଅପରାହ୍ନ ୩ଟାରେ ଗ୍ରହଣ ସ୍ପର୍ଶ
ଠିକ୍ ଏହି ସମୟରେ ସହାୟତାର ହାତ ବଢ଼ାଇଥିଲେ ତତ୍କାଳୀନ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ । ପ୍ରଶାସନକୁ ବୁଝାଇ ମହିଳାଙ୍କ ପାଇଁ ମିଶନ ଶକ୍ତି ଯୋଜନାରେ ଘର ତିଆରି କରାଇ ଦେଇଥିଲେ । ସେହିଠାରେ ସୃଷ୍ଟି ହେଲା ଜୟ ଜଗନ୍ନାଥ ଉତ୍ପାଦକ ଗୋଷ୍ଠୀ । ଯେଉଁଥିରେ ପ୍ରଥମେ ୩୦ ମହିଳା ସଦସ୍ୟ ହେଲେ । ସମସ୍ତେ ଏହି ଉତ୍ପାଦକ ଗୋଷ୍ଠୀରେ ସାମିଲ ହୋଇ ବିଭିନ୍ନ ଡ୍ରେସ୍ ତିଆରି କରି ବଜାରରେ ବିକ୍ରି କଲେ । ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ଟ୍ରେନିଂକୁ ଯାଇ ସ୍କୁଲ ଡ୍ରେସ୍ ତିଆରି ପ୍ରଶିକ୍ଷଣ ନେଇ ଫେରିଲେ ସୁଚିସ୍ମିତା । ଏହା ମଧ୍ୟରେ ମିଶନ ଶକ୍ତି ଗ୍ରୁପ୍ ତିଆରି କରି ୩୦୦ ଜଣ ମହିଳାଙ୍କୁ ସିଲେଇ ପ୍ରଶିକ୍ଷଣ ଦେଇ ଜୀବିକାର ବାଟ ଦେଖାଇଲେଣି ।
ତତ୍କାଳନୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିର୍ଦ୍ଦେଶରେ ଏହି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତାଙ୍କ ପ୍ରତିନିଧି, ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଜୀବିକାର ବାଟ ଦେଖାଇଥିଲେ । ଏବେ ବ୍ଲକ ଓ ଜିଲ୍ଲା ପ୍ରଶାସନର ସହାୟତାରେ ସେ ଆଗକୁ ବଢ଼ୁଛନ୍ତି । ୨୦୨୩ରେ ତିହିଡ଼ି ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଏକ ହଜାର ପିସ୍ ଡ୍ରେସ ତିଆରି କରିବାକୁ ପ୍ରଥମେ କାର୍ଯ୍ୟାଦେଶ ପାଇଥିଲେ । ଯାହାକୁ ସେ ସୂଚାରୁ ରୂପେ ନିର୍ବାହ ନିଜର ପାରିଦର୍ଶିତା ଦେଖାଇଥିଲେ । ଏହାପରଠାରୁ ଆଉ ଫଛକୁ ଫେରି ଚାହିଁନାହାନ୍ତି ସୁଚିସ୍ମିତା । ଏବେ ଶତାଧିକ ମହିଳାଙ୍କୁ ସ୍ୱାବଲମ୍ବୀ କଲେଣି । ଜୟ ଜଗନ୍ନାଥ ଉତ୍ପାଦକ ଗୋଷ୍ଠୀର ସଭାପତି ଶକୁନ୍ତଳା ବାରିକ ଥିବାବେଳେ ସୁଚିସ୍ମିତା ସମ୍ପାଦିକା ହୋଇ ଟିମ୍ ଲିଡର୍ ସାଜିଛନ୍ତି ।