ଭୁବନେଶ୍ଵର, ୪/୭ : ଅଫିସରେ କାମ କରିବା ବେଳେ କିଛି ସହକର୍ମୀ ଅତି ଆପଣାର ହୋଇଯାଆନ୍ତି। ପରିବାର ଭଳି ଲାଗନ୍ତି। ସୁଖରେ ଦୁଃଖରେ ସାଥୀ ହୁଅନ୍ତି। ଚା ପାଣି ଠାରୁ ନେଇ ଲଞ୍ଚ୍ ଯାଏଁ ସବୁ ଏକା ସାଙ୍ଗରେ କରିବାକୁ ଭଲ ପାଆନ୍ତି। ବ୍ୟକ୍ତିଗତ ସମ୍ପର୍କ ଠାରୁ ନେଇ ଅଫିସିଆଲ୍ ସବୁ ସିକ୍ରେଟ୍ ତାଙ୍କ ପାଖରେ। ଅଫିସ୍ ଗସିପ୍ ତାଙ୍କ ବିନା ଅଧୁରା। ସତେ ଯେମିତି ଏହି ଦୋସ୍ତି ଜୀବନ ସାରା ଚାଲିବ। ହେଲେ ବାସ୍ତବ ସ୍ଥିତି କିନ୍ତୁ ଅଲଗା। ହେଲେ କିଏ ବୁଝେଇବ... ଇଏ ତ ମିଛ ମାୟା ସଂସାର, କେହି ନୁହେଁ କାହାର। ଚାକିରି ଛାଡ଼ିଲେ ସବୁ ଶେଷ।
ଏହି ଅନୁଭୂତି ହେଉଛି ପ୍ରଶାନ୍ତ ପାନସରେଙ୍କର। ଜୁଲାଇ ୩ରେ ସୋସିଆଲ ମଡିଆ ସାଇଟ୍ ଏକ୍ସରେ ପ୍ରଶାନ୍ତ ଏନେଇ ପୋଷ୍ଟ କରିଥିଲେ। ତାଙ୍କ ଅନୁଭୂତି ସେୟାର କରିଥିଲେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାଟି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।
ଚାକିରି ଛାଡ଼ିଲି ସବୁ କିଛି ବଦଳିଗଲା...
ଏହି ପୋଷ୍ଟରେ ପ୍ରଶାନ୍ତ ଲେଖିଥିଲେ ଯେ, ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଦୀର୍ଘ ୬ ବର୍ଷ ଯାଏଁ କାମ କଲି। ଏହି ସମୟରେ ସହକର୍ମୀଙ୍କ ସହ ଭଲ ବନ୍ଧୁତା ହେଲା। ଆମେ ସାଙ୍ଗ ହୋଇ କଫି ପିଉ, ଲଞ୍ଚ୍ କରୁ। ସାଙ୍ଗ ହୋଇ ବୁଲୁ। ପରସ୍ପରଙ୍କ ଘରକୁ ଭଲମନ୍ଦରେ ଯାଉ। ସୁଖଦୁଃଖର ସାଥୀ ହେଉ। ଦରକାର ପଡ଼ିଲେ ବିଳମ୍ଵିତ ରାତିରେ ରକ୍ତଦାନ କରିବାକୁ ବି ଧାଇଁଯାଉ। ଥରେ ଜଣେ ସହକର୍ମୀଙ୍କ ବୃଦ୍ଧ ବାପା-ମାଆଙ୍କୁ ସହଯୋଗ କରିବାକୁ ରାତାରାତି ଟ୍ରେନ୍ ଚଢି ଅନ୍ୟ ସହରକୁ ବାହାରି ଯାଇଥିଲୁ। କାରଣ ସେହି ସହକର୍ମୀ ଜଣଙ୍କ ସେତେବେଳେ ବିଦେଶରେ ଥିଲେ। କାହା ଭାଇ ବାହାଘର ହେଉକି ଭଉଣୀ ବିବାହ ହେଡ୍ ଙ୍କ ଠାରୁ ଲାଗିପଡି ଛୁଟି ନେଉ। ହେଲେ ଏହା କେବଳ ଚାକିରି ଥିବା ଯାଏଁ ସୀମିତ। ଚାକିରି ଛାଡ଼ିବା ପରେ ସବୁ ଶେଷ।
ଏହାପରେ ନା କେହି ଆପଣଙ୍କୁ ଫୋନ କରିବ, ନା କେହି ଆପଣଙ୍କ ଭଲମନ୍ଦ ପଚାରି ବୁଝିବେ। ମେସେଜ କି ଇମେଲ କେହି କିଛି କରିବେନି। ଦରକାର ପଡ଼ିଲେ ବି କେହି ସାହାଯ୍ୟ କରିବେନି। ଯେଉଁମାନଙ୍କୁ ଜୀବନସାରାର ବନ୍ଧୁ ବୋଲି ଭାବନ୍ତି ସେମାନେ କେବଳ ସହକର୍ମୀ। ସେହିପରି ଅଫିସରେ କିଛି ଲୋକ ସେମାନଙ୍କ କ୍ୟାରିଅର, ପ୍ରମୋଶନ, ଏବଂ ବୋନସ୍ ପଛରେ ଦୌଡ଼ନ୍ତି। ତେଣୁ ସବୁ ସମ୍ପର୍କ ଏତେ ଘନିଷ୍ଟ ହୁଏ ନାହିଁ। ତେବେ ପୋଷ୍ଟ ଶେଷରେ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ, ନିଜ ବନ୍ଧୁତା କେବଳ ଅଫିସ୍ ଯାଏଁ ସୀମିତ ରଖନ୍ତୁ ନାହିଁ। ଅଫିସ୍ ବାହାରେ ମଧ୍ୟ କନେକ୍ସନ ରଖନ୍ତୁ। ସମ୍ପର୍କ ଗଢନ୍ତୁ। ଚାକିରି ଛାଡ଼ିଲେ ମଧ୍ୟ ଏହି ସମ୍ପର୍କ ରହିବ। ତେବେ ଏହି ପୋଷ୍ଟରେ ବହୁ ଲୋକ ପ୍ରତିକ୍ରିୟା ଦେଇଛନ୍ତି।
ଆହୁରି ପଢନ୍ତୁ- AI entrepreneur : ଦୁବାଇର ସବୁଠୁ କମ୍ ବୟସ୍କ ଏଆଇ ଫାଉଣ୍ଡର, ବୁର୍ଜ ଖଲିଫାରେ ଅଫିସ୍