କମିଲେ ମୋବାଇଲ ଉପଭୋକ୍ତା

ନୂଆଦିଲ୍ଲୀ,୨ା୬(ଏଜେନ୍ସି): ଭାରତର ମୋବାଇଲ ଉପଭୋକ୍ତା ସଂଖ୍ୟା ହ୍ରାସ ପାଇଛି । ଚଳିତବର୍ଷ ମାର୍ଚ୍ଚରେ ଏହି ସଂଖ୍ୟା ୨.୧୯ କୋଟି ହ୍ରାସ ପାଇ ୧୧୬.୧୮ କୋଟିକୁ ଖସିଆସିଛି । କିନ୍ତୁ ସରକାର ଏଥିରେ ଆଦୌ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ।
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଅଧ୍ୟକ୍ଷ ଆର ଏସ ଶର୍ମା କହିଛନ୍ତି, ବର୍ତ୍ତମାନ ଦେଶରେ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ଯେଉଁ ହ୍ରାସ ଦେଖାଦେଇଛି, ସେଥିରେ କିଛି ବିଚଳିତ ହେବାର ନାହିଁ । ବର୍ତ୍ତମାନ କେତେକ କାରଣକୁ ନେଇ ଏହି ସଂଖ୍ୟା କମିଛି । ବିଶେଷକରି ସର୍ବନିମ୍ନ ରିଚାର୍ଜ ପ୍ଲାନ୍ ଭଳି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଗ୍ରାହକଙ୍କୁ ଏହା ପସନ୍ଦ ଆସିନାହିଁ । ଖୁବ୍ଶୀଘ୍ର ଏହି ସମସ୍ୟାର ପ୍ରତିକାର ହୋଇଯିବ ।ଟ୍ରାଇର ସଦ୍ୟ ତଥ୍ୟ ମୁତାବକ ଭାରତର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୧୬.୧୮ କୋଟିକୁ ହ୍ରାସ ପାଇଛି । ଫେବ୍ରୁଆରୀ ତୁଳନାରେ ଏହା ୨.୧୯ କୋଟି କମ୍ । ସେହିଭଳି ଦେଶରେ ଟେଲି ସାନ୍ଦ୍ରତା ମାର୍ଚ୍ଚ ଶେଷ ସୁଦ୍ଧା ୯୦.୧୧କୁ ହ୍ରାସ ପାଇଛି । ଫେବ୍ରୁଆରୀରେ ଏହା ୯୧.୮୬ ରହିଥିଲା । ଶର୍ମା କହିଛନ୍ତି, ମୋବାଇଲ ଉପଭୋକ୍ତା ସଂଖ୍ୟାରେ ଏଭଳି ଅସ୍ଥିରତା ସ୍ୱାଭାବିକ । ଟେଲିକମ୍ ବଜାରରେ ଯେତେବେଳେ କୌଣସି ପରିବର୍ତ୍ତନ ଆସିଥାଏ, କିଛି ଗ୍ରାହକଙ୍କୁ ତାହା ପସନ୍ଦ ଆସିନଥାଏ । ତଥାପି ବର୍ତ୍ତମାନ ଯେଉଁ ଅସ୍ଥିରତା ଦେଖାଦେଇଛି, ତାହାକୁ ନେଇ ଏତେ ବିବ୍ରତ ହେବା ଉଚିତ ନୁହେଁ । ତା’ଛଡ଼ା ସରକାର ମଧ୍ୟ ଏଥିରେ ଆଦୌ ହସ୍ତକ୍ଷେପ କରିବେ ନାହିଁ ।
ଟ୍ରାଇ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଯେଉଁଭଳି ଭାବେ ଡାଟା ସେବା ବ୍ୟବହାର ହେଉଛି, ମୋବାଇଲ ଉପଭୋକ୍ତା ବଢ଼ିବା ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ଯେଉଁ ଅସ୍ଥିରତା ଦେଖାଦେଇଛି, ତାହା ସାମୟିକ । ପରିସ୍ଥିତି ଖୁବ୍ଶୀଘ୍ର ସ୍ୱାଭାବିକ ପଡ଼ିଯିବ । ଟ୍ରାଇ ତଥ୍ୟ ମୁତାବକ ଭୋଡାଫୋନ୍ ଆଇଡିଆ ଏବଂ ଭାରତୀ ଏୟାରଟେଲର ମୋବାଇଲ ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ଯଥାକ୍ରମେ ପାଖାପାଖି ୧.୪୫ କୋଟି ଏବଂ ୧.୫୧ କୋଟି ହ୍ରାସ ପାଇଛି । କିନ୍ତୁ ରିଲାଏନ୍ସ ଜିଓ ଉପଭୋକ୍ତା ସଂଖ୍ୟା ୯୪ ଲକ୍ଷ ବୃଦ୍ଧି ପାଇଛି । ଟ୍ରାଇ ତଥ୍ୟ ଆହୁରି ଦର୍ଶାଇଛି ଯେ ସହରାଞ୍ଚଳରେ ମୋବାଇଲ ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ପାଖାପାଖି ୬୫ କୋଟିକୁ ହ୍ରାସ ପାଇଛି । ଗ୍ରାମାଞ୍ଚଳରେ ଏହା ୫୧.୧୪ କୋଟିକୁ ଖସିଛି ।