କୋଚି ବିପିସିଏଲ୍ ରିଫାଇନରି ପ୍ରକଳ୍ପ ଉତ୍ସର୍ଗ କଲେ ମୋଦି, ଭାରତର ଶକ୍ତି ଚାହିଦା ପୂରଣ କରିବ: ଧର୍ମେନ୍ଦ୍ର

କୋଚି/ଭୁବନେଶ୍ୱର,୨୭ା୧(ଏଜେନ୍ସି/ବ୍ୟୁରୋ): କେରଳର କୋଚିଠାରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ର ଏକ ସମ୍ପ୍ରାସାରିତ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାସହ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସର ଶିଳାନ୍ୟାସ ମଧ୍ୟ କରିଛନ୍ତି ।
ଏହି ଅବସରରେ ଆୟୋଜିତ ଉତ୍ସବରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋଚି ରିଫାଇନରି ନୂତନ ସମନ୍ୱିତ ରିଫାଇନରି ସମ୍ପ୍ରସାରଣ କମ୍ପେ୍ଲକ୍ସକୁ ୧୬,୫୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯାଇଛି । ଏହା ବିଶେଷତଃ ଦକ୍ଷିଣ ଭାରତର ଶକ୍ତି ଚାହିଦା ପୂରଣ କରିବ ଏବଂ ଅଟୋ ଇନ୍ଧନ ମାଧ୍ୟମରେ ପରିବେଶକୁ ଅନୁକୂଳ ରଖିବ । କୋଚି ରିଫାଇନରି ଏକ ଅନ୍ତର୍ଜାତୀୟ ମାନର ପ୍ରକଳ୍ପ ବୋଲି ପେଟ୍ରୋଲିୟମ୍ ତଥା ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
କୋଚି ରିଫାଇନରିକୁ ବିଶ୍ୱସ୍ତରୀୟ ରିଫାଇନରି ଭାବେ ରୂପାନ୍ତରିତ କରାଯାଇଛି । ଏହି ଅଶୋଧିତ ତୈଳ ଭଣ୍ଡାରର କ୍ଷମତା ୧୫.୫ ନିୟୁତ ଟନ୍ ରହିଛି । ଏହାବ୍ୟତୀତ ଆଇଆରଇପି କୋଚି ରିଫାଇନରିକୁ ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ କ୍ଷେତ୍ରର ରିଫାଇନରି ନିର୍ମାଣ କରିବାରେ ସହାୟକ ହୋଇଛି । ଏହି ତୈଳ ଭଣ୍ଡାର ନିର୍ମାଣ ବେଳେ ୨୦ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିଥିବା ବେଳେ ୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିଛି ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି, ଆଇଆରଇପିର ନବୀକରଣ ପରେ କୋଚି ରିଫାଇନରି ୫ ଲକ୍ଷ ନିୟୁତ ଟନ୍ର ତୈଳ ଗଚ୍ଛିତ ରଖିବାରେ ସହାୟକ ହେବ । ଏହାଦ୍ୱାରା ପେଟ୍ରୋକେମିକାଲ୍ସରୁ ତିଆରି ହେଉଥିବା ପ୍ରିଣ୍ଟିଂ ମେସିନ୍ରେ ବ୍ୟବହୃତ କାଳି, ଅଟୋମୋଟିଭ୍ ପାର୍ଟସ, ଡାଏପର୍, ପ୍ରସାଧନ ସାମଗ୍ରୀ ଓ ଔଷଧ ପ୍ରସ୍ତୁତି କାର୍ଯ୍ୟର ମୂଲ୍ୟ କମିବ । ସେହିଭଳି କୋଚି ବଟଲିଂ ପ୍ଲାଣ୍ଟଠାରେ ୫୦ କୋଟି ଟଙ୍କା ବ୍ୟୟରେ ମାଉନ୍ଡେଡ୍ ଷ୍ଟୋରେଜ୍ ଭେସେଲ୍ ପ୍ରତିଷ୍ଠା କରାଯାଇଛି । ଫଳରେ ଏହାର କ୍ଷମତା ୪ ହଜାର ୩୫୦ ନିୟୁତ ଟନ୍କୁ ବୃଦ୍ଧି ହୋଇଛି ।
ଏତଦ୍ବ୍ୟତୀତ ବିପିସିଏଲ୍ ଓ ଅନ୍ୟାନ୍ୟ ତୈଳ କମ୍ପାନିମାନେ କୋଚିଠାରେ ଅବସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିଆଇ)କୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି । ଏହାଦ୍ୱାରା ଯୁବକମାନେ ଏଥିରୁ ପ୍ରଶିକ୍ଷଣ ପାଇ ତୈଳ ଓ ଗ୍ୟାସ୍ ବା ଅନ୍ୟ କ୍ଷେତ୍ରରେ ନିଜକୁ ସ୍ୱାବଲମ୍ବୀ କରିପାରିବେ । ଏହି ପରିପ୍ରେକ୍ଷୀରେ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କୋଟାୟମ୍ ଜିଲ୍ଲାର ଏତୁମାନୁରର ସରକାରୀ ଆଇଟିଆଇ କ୍ୟାମ୍ପସ୍ ନିକଟରେ ୮ ଏକର ଜମି ଉପରେ ଦକ୍ଷତା ବିକାଶ କେନ୍ଦ୍ରର ତ୍ୱିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।