୫ଲକ୍ଷରେ ନିଲାମ ହେଲା ମୋଦିଙ୍କ ଚିତ୍ର, ଆଙ୍କିଥିଲେ ଓଡ଼ିଆ ଶିଳ୍ପୀ ବିଜୟ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିତ୍ର ଥିବା ପ୍ରସ୍ତୁତ ଏକ ଚିତ୍ରକଳା ୫ଲକ୍ଷ ଟଙ୍କାରେ ନିଲାମ ହୋଇଛି । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟଠାରେ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରୁ ମିଳିଥିବା ମୂଲ୍ୟବାନ ଉପହାର ସାମଗ୍ରୀକୁ ନେଇ ଆୟୋଜିତ ଦୁଇଦିନିଆ ଇ-ଅକ୍ସନ୍ କାର୍ଯ୍ୟକ୍ରମରେ ଏ ଚିତ୍ରକଳାଟି ବିକ୍ରି ହୋଇଛି । ଚିତ୍ରଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସାଧାରଣ ଲୋକ ଭାବରେ ରେଳ ଷ୍ଟେସନ୍ ପ୍ଲାଟଫର୍ମରେ ହାତରେ ଛତା ଏବଂ ବ୍ୟାଗ୍ ଧରି ଚାଲୁଥିବାର ଦୃଶ୍ୟ ଅଙ୍କାଯାଇଛି । ଏହି ଚିତ୍ରକଳାର ଦର ୫୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା । କିନ୍ତୁ ଚିତ୍ରଟି ଏତେ ଟଙ୍କାରେ ବିକ୍ରି ହେବା ଶୁଣି ବିଜୟ ଆଶ୍ଚର୍ଯ୍ୟ ହୋଇପଡ଼ିବା ସହ କହିଛନ୍ତି, ମୋତେ ଲାଗିଲା ମୁଁ ବିଶ୍ୱର ଶୀର୍ଷରେ ପହଞ୍ଚିଯାଇଛି । ମୋତେ ଅଧିକ ଖୁସି ଲାଗୁଛି ଯେ, ମୋର ଏକ ଚିତ୍ରକଳା ଏତେ ଟଙ୍କାରେ ବିକ୍ରି ହୋଇଛି ।
ଅନ୍ଲାଇନ୍ ମାଧ୍ୟମରେ ଏହା ବିକ୍ରି ହୋଇଥିବାବେଳେ ମିଳିଥିବା ସୂଚନା ମୁତାବକ ସୋମବାର ୧୯୦୦ପ୍ରକାର ସାମଗ୍ରୀରୁ ୨୭୦ଟି ବିକ୍ରି ହୋଇଥିଲା । ମଙ୍ଗଳବାର ବି ଅନେକ ସାମଗ୍ରୀ ବିକ୍ରି ହୋଇଥିଲା । ଏହା ୩୧ତାରିଖ ଗୁରୁବାର ପର୍ଯ୍ୟନ୍ତ www. pmmementos.gov.in ରେ ଚାଲିବ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ନିଲାମ ଶେଷ ହେବା ପରେ ଆଦାୟ ସମସ୍ତ ଟଙ୍କାକୁ କେନ୍ଦ୍ର ସରକାର ଗଙ୍ଗାନଦୀ ସଫେଇ କାର୍ଯ୍ୟକ୍ରମ ଯୋଜନା ‘ନମାମି ଗଙ୍ଗେ’ରେ ଖର୍ଚ୍ଚ କରାଯିବ । ନାଗପୁରରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବେ ଦୁଇ ଦଶନ୍ଧି ଧରି ରେଳ ବିଭାଗରେ ନିଯୁକ୍ତି ହୋଇଥିବା ବିଜୟ ୨୦୧୭ରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ଏହାପରେ କଳା ପ୍ରତି ନିଜ ଆଗହକୁ ନେଇ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଲେ । ଅନୁଗୁଳ ପାଲଲହଡ଼ାର ବିଜୟଙ୍କୁ ଏହି ଚିତ୍ରକଳା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ପ୍ରଶଂସା କରିଥିଲେ ।