୩୩୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଧୀନରେ ୩୩୦୦ କୋଟି ଟଙ୍କା ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀନଗରରୁ ଅନ୍ଲାଇନ୍ (ଡିଜିଟାଲ୍) ମାଧ୍ୟମରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୧୧ଟି ବୃତ୍ତିଗତ କଲେଜ, ୬୬ଟି ଏଣ୍ଟ୍ରପ୍ରିନିୟରସିପ୍, ଇନୋଭେସନ୍ ଓ କ୍ୟାରିୟର୍ ହବ୍ ଓ ଗୋଟିଏ ମହିଳା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏଣ୍ଟ୍ରପ୍ରିନିୟରସିପ୍, ଇନୋଭେସନ୍ ଓ କ୍ୟାରିୟର୍ ହବ୍ର ଶିଳାନ୍ୟାସ କରିବା ସହ ଛାତ୍ରୀ ଅଙ୍କିତା କୁଣ୍ଡୁଙ୍କ ସହ କଥା ହୋଇଛନ୍ତି । ଅଙ୍କିତାଙ୍କ ପ୍ରଶ୍ନକୁ ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ହବ୍ ପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ । ଅପରପକ୍ଷେ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ଗଜପତି, କନ୍ଧମାଳ ସମେତ ଦେଶର ୭୦ଟି ମଡେଲ୍ କଲେଜର ଶିଳାନ୍ୟାସ କରାଯାଇଛି ।
ପ୍ରଧାନମନ୍ତ୍ରୀ ଓଡ଼ିଶାର ଛାତ୍ରୀ ଅଙ୍କିତା କୁଣ୍ଡୁଙ୍କ ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷାର ମାନ ବିଶ୍ୱସ୍ତରୀୟ କରାଯିବ । ଆଇଆଇଟି ଓ ଆଇଆଇଏମ୍ଗୁଡ଼ିକ ଭଳି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ବିସ୍ତାର ପାଇଁ ପ୍ରୟାସ କରାଯାଉଛି । ବହୁ ଛାତ୍ରଛାତ୍ରୀ ଶିକ୍ଷା ପାଇଁ ବିଦେଶକୁ ଯାଉଛନ୍ତି । ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଫଳରେ ବିଦେଶ ଛାତ୍ରଛାତ୍ରୀ ଭାରତ ଆସିବେ ।
ଉତ୍କଳ ବିଶ୍ୱବିଦ୍ୟାଳୟର ଅଙ୍କିତା ଶିକ୍ଷା ସହ କିଭଳି ପର୍ଯ୍ୟଟନକୁ ଯୋଡ଼ାଯାଇପାରିବ ତାହା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ଉତ୍ତରରେ କହିଥିଲେ, ଓଡ଼ିଶା ପ୍ରାଚୀନ ଐତିହ୍ୟରେ ଭରି ରହିଛି । କୋଣାର୍କର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ପର୍ଯର୍୍ୟଟନସ୍ଥଳର ଭୂମିକା ଅଧିକ ରହିଛି । ବିଦେଶୀ ପର୍ଯ୍ୟଟକମାନେ ପୂର୍ବ ଅପେକ୍ଷା ୫୦ ପ୍ରତିଶତରୁ ଅଧିକ ଭାରତକୁ ଆସୁଛନ୍ତି । ଓଡ଼ିଶାରେ କୋଣାର୍କର୍ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସଦୁପଯୋଗ ରାଜ୍ୟ ସରକାର କରିପାରୁ ନାହାନ୍ତି । ଫଳରେ ଓଡ଼ିଶା ଆଜି ବି ଗରିବ ହୋଇ ରହିଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ପ୍ରଥମେ ଆମର ସଂସ୍କୃତି ଓ ପର୍ଯ୍ୟଟନସ୍ଥଳକୁ ନେଇ ଆମେ ଗର୍ବ କରିବା ଉଚିତ । ତା’ପରେ ଯାଇ ଅନ୍ୟମାନେ ଆମ ପର୍ଯ୍ୟଟନସ୍ଥଳକୁ ଆସିବାକୁ ମନ ବଳାଇବେ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ ।
ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ବାଣୀବିହାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କଲେଜ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଥିଲେ, ଏହା ରାଜନୈତିକ କାର୍ଯ୍ୟକ୍ରମ ଭଳି ଲାଗିଲା । ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର କିମ୍ବା ଉଚ୍ଚଶିକ୍ଷାର ବିଭିନ୍ନ ଯୋଜନା ଅପେକ୍ଷା ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଉପସ୍ଥାପନ କଲେ । ଯଦି ପର୍ଯ୍ୟଟନର ବିକାଶ କଥା କହୁଛନ୍ତି, ତାହେଲେ ସେଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦେଲେ ଭଲ ହୁଅନ୍ତା ।
ମିଳିଥିବା ସୂଚନା ଅନୁସାରେ, ରୁସା ୨ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୧୦୦କୋଟି ଟଙ୍କାର ଅନୁଦାନ ମିଳିବ । ଏହି ଅର୍ଥରେ ବାଣୀବିହାରେ ୯ଟି ଉତ୍କର୍ଷ କେନ୍ଦ୍ର ଓ ଗୋଟିଏ ଇନ୍କ୍ୟୁବେସନ ସେଣ୍ଟର, ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଆଦି ପ୍ରତିଷ୍ଠା ହେବ । ଏ ବାବଦରେ ରାଜ୍ୟ ଓ ଦେଶ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ରାଜିନାମା କରାଯିବ ।