ପଶ୍ଚିମବଙ୍ଗରେ ମମତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍: ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି

source:www.ndtv.com
କୋଲକାତା,୨ ।୨(ଏଜେନ୍ସି): ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅନୁଷ୍ଠିତ ଏକ ର୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ସେମାନେ ମମତାଙ୍କୁ ଗାଦିଚ୍ୟୁତ କରିବାକୁ ବଦ୍ଧପରିକର ବୋଲି ସେ ଦର୍ଶାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ କୁଠାରଘାତ କରିବା ଲାଗି ମମତା ବାନାର୍ଜୀଙ୍କ ସରକାର ପୂର୍ବର କମ୍ୟୁନିଷ୍ଟ ସରକାରଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । ସେ ଜାଣିବା ଦରକାର କି ସେତେବେଳେ ତାହା କାମ କରିନଥିଲା ଏବଂ ବର୍ତ୍ତମାନ ମଧ୍ୟ କାମ କରିବ ନାହିଁ । ରାଜ୍ୟରେ ଲୋକମାନଙ୍କୁ କୌଣସି କାମ କରାଇବା ଲାଗି ଟ୍ରିପଲ ଟି ଅର୍ଥାତ୍ ତୃଣମୂଳ ତୋଲାବାଜି(ଦାଦାବଟି ଆଦାୟ)ଟ୍ୟାକ୍ସ ଦେବାକୁ ପଡୁଛି । ଏହା ମଧ୍ୟବିତ୍ତ ବର୍ଗର ଲୋକଙ୍କର ଆକାଂକ୍ଷାକୁ ଧୂଳିସାତ୍ କରି ଦେଉଛି ବୋଲି ମୋଦି କହିଥିଲେ । ଏହି ଅବସରରେ ସେ ବିଜେପି କର୍ମୀଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ସେହି କର୍ମୀମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ଟିଏମ୍ସି ସରକାରର ଆୟୁଷ ସରିଆସୁଛି । ମମତାଙ୍କ ପାଦତଳୁ ମାଟି ଖସି ଖସି ଯାଉଛି ବୋଲି ସେ ଦୃଢୋକ୍ତି କରିଥିଲେ ।
ତାଙ୍କ ଅନୁସାରେ ବିଜେପି କର୍ମୀଙ୍କୁ ଟାର୍ଗେଟ୍ କରାଯାଇ ହେଉଥିବା ହିଂସା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଆମ ଦଳ ପ୍ରତି ଲୋକଙ୍କ ଭଲପାଇବାକୁ ଦେଖି ଦିଦି ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ସେହିପରି ଜନତାଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଆପଣମାନଙ୍କ ଭଲପାଇବା ମୋର ଶକ୍ତି । ମୋ’ ପ୍ରତି ଆପଣମାନଙ୍କ ଉତ୍ସାହ ଏବଂ ପ୍ରଶଂସା ଦିଦିଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ଟିଏମ୍ସି କର୍ମୀମାନଙ୍କୁ ମନଇଚ୍ଛା ଗୁଣ୍ଡାଗର୍ଦ୍ଦି କରିବାକୁ ସୁଯୋଗ ଦିଆଯାଇଛି । ଯେଉଁମାନେ ଗଣତାନ୍ତ୍ରିକ ହୋଇଥିବାର ଡିଣ୍ଡିମ ପିଟୁଛନ୍ତି ସେମାନେ ହିଂସା ପାଇଁ ସହାୟତା କରୁଛନ୍ତି ବୋଲି ସେ କହିଥିଲେ ।
ଭାଷଣରେ ଗତକାଲି ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟ୍ ପ୍ରସଙ୍ଗ ଅବତାରଣା କରି ମୋଦି କହିଥିଲେ ଯେ, ଏହି ବଜେଟ୍ ମାତ୍ର ଟ୍ରେଲର । ଅସଲ ଫିଲ୍ମ ନିର୍ବାଚନ ପରେ ସାମ୍ନାକୁ ଆସିବ । ଏହି ସମୟରେ ଚାଷୀମାନଙ୍କ ପାଇଁ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସଂପର୍କରେ ମଧ୍ୟ ସେ ଅବତାରଣା କରିଥିଲେ । ତାଙ୍କ ଅନୁସାରେ ସ୍ୱାଧୀନ ଭାରତର ଇତିହାସରେ ଏପର୍ଯ୍ୟନ୍ତ କୌଣସି ସରକାର ଚାଷୀମାନଙ୍କ ପାଇଁ ଏଭଳି ବଡ଼ ଧରଣର ଯୋଜନା କରିନାହାନ୍ତି । ମମତା ବିକାଶମୂଳକ ପ୍ରକଳ୍ପକୁ ଅଟକାଉଛନ୍ତି
ବିକାଶମୂଳକ ପ୍ରକଳ୍ପକୁ ମମତାଙ୍କ ସରକାର ଅଟକାଉଥିବାର ପ୍ରଧାନମନ୍ତ୍ରୀ ର୍ୟାଲିରେ କହିଥିଲେ । ତାଙ୍କ ଅନୁସାରେ ଗତ ସାଢେ ୪ ବର୍ଷ ହେଲା ରାଜ୍ୟର ବିକାଶ ପାଇଁ ବଜେଟ୍ରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି । କିନ୍ତୁ ରାଜ୍ୟ ସରକାର ବିକାଶକୁ ନେଇ ଗମ୍ଭୀର ନୁହନ୍ତି । ସାଢେ ୪ ବର୍ଷ ମଧ୍ୟରେ କେନ୍ଦ୍ର ରାଜ୍ୟ ପାଇଁ ୯୦ ହଜାର କୋଟି ଟଙ୍କାର ଭିତ୍ତିଭୂମିମୂଳକ ପ୍ରକଳ୍ପକୁ ଅନୁମୋଦନ କରିଛିି । ହେଲେ ଏସବୁ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନାହିଁ । ସିଣ୍ଡିକେଟ୍କୁ ଲାଭ ମିଳିବାର ସମ୍ଭାବନା ନଥିବାରୁ ଟିଏମ୍ସି ସରକାର ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଉନାହାନ୍ତି ।