ବଲାଙ୍ଗୀରରୁ ସାରା ଓଡ଼ିଶା ଛୁଇଁବେ ମୋଦି

ବଲାଙ୍ଗୀର,13।1(ସପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁଥିବା 10ଟି ନୂତନ ପ୍ରକଳ୍ପର ଡିଜିଟାଲ ଲୋକାର୍ପଣ ଓ ଶିଳାନ୍ୟାସକରି ମୋଦି ବଲାଙ୍ଗୀରରୁ ଓଡ଼ିଶାକୁ ଯୋଡ଼ିବେ।
ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରେଳ ବିଭାଗ ପକ୍ଷରୁ ଝାରସୁଗୁଡ଼ାଠାରେ ନିର୍ମିତ ମଲ୍ଟି ମୋଡ଼େଲ ଲଜିଷ୍ଟିକ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍ ଏବଂ ସମ୍ବଲପୁର-ଅନୁଗୁଳ ରେଳପଥର ବୈଦୁୟତୀକରଣ ପ୍ରକଳ୍ପ, ବଲାଙ୍ଗୀର-ଦେଓଗାଁ ଏବଂ ବରପାଲି-ଡ଼ୁଙ୍ଗୁରିପାଲି ରେଳପଥର ଦୋହରୀକରଣ ପ୍ରକଳ୍ପ, ମାତ୍ର 8ମାସ ଭିତରେ ନିର୍ମିତ ହୋଇଥିବା ବ୍ରିଜ ନଂ 588 ପ୍ରକଳ୍ପ, ବଲାଙ୍ଗୀର-ଖୋର୍ଦ୍ଧ। ରେଳଲାଇନ ମଧ୍ୟରେ ବିଛୁପାଲି ଷ୍ଟେସନ ଆଦିର ଲୋକାର୍ପଣ କରିବେ। ନବନିର୍ମିତ ବିଛୁପାଲି ଷ୍ଟେସନରୁ ବଲାଙ୍ଗୀର ମଧ୍ୟରେ ଆରମ୍ଭ ହେବାକୁଥିବା ପାସେଞ୍ଜର ସେବାକୁ ଉଦ୍ଘାଟନ କରିବେ। ସେହିପରି ମୋଦିଙ୍କ ଗସ୍ତ ସମୟରେ ବଲାଙ୍ଗୀର ସମେତ ବରଗଡ଼, ଜଗତସିଂପୁର, କେନ୍ଦ୍ରାପଡ଼ା, ଫୁଲବାଣୀ ଏବଂ ପୁରୀରେ 5ଟି ନୂଆ ପାସପୋର୍ଟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିବେ। ପରେ ସୋନପୁରଠାରେ 15.81କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ।
ଏହି ଗସ୍ତ ଅବସରରେ ପଶ୍ଚିମ ଓଡ଼ିଶାର ଐତିହାସିକ କୀର୍ତ୍ତିରାଜିକୁ ନେଇ ମୋଦି ମାଷ୍ଟରଷ୍ଟ୍ରୋକ୍ ମାରିବାକୁ ଯାଉଛନ୍ତି। ଲୋକଙ୍କ ଭାବାବେଗ ସହ ଜଡ଼ିତ ବଲାଙ୍ଗୀରର ରାଣୀପୁର-ଝରିଆଲସ୍ଥିତ ପ୍ରସିଦ୍ଧ 64 ଯୋଗିନୀ ପୀଠର ବିକାଶ, କଳାହାଣ୍ଡିର ପ୍ରାଚୀନ ଅସୁରଗଡ଼ ଦୁର୍ଗ ଓ ବୌଦ୍ଧ ଅନ୍ତର୍ଗତ ଗନ୍ଧରାଡ଼ିର ନୀଳମାଧବ ଏବଂ ସିଦ୍ଧେଶ୍ବର ମନ୍ଦିର ତଥା ପଶ୍ଚିମ ସୋମନାଥ ମନ୍ଦିର ସମୂହ ପାଇଁ 12.30 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବେ। ମୋଟୋମୋଟି ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 1545 କୋଟି ଅଟକଳରେ ହେବାକୁଥିବା ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏନେଇ ଆଜି ସ୍ଥାନୀୟ ରେଲବେ ଷ୍ଟେସନ ପରିସରରେ ରେଳ, ମାନସମ୍ବଳ, ସଂସ୍କୃତି, ସଞ୍ଚାର ଏବଂ ବୈଦଶିକ ବିଭାଗ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି।
ଅପରପକ୍ଷେ ଆଜି ଅପରାହ୍ନ 3ଟାରେ ପୁଲିସ ଏଡିଜି ସୁଧାଂଶୁ ଷଡ଼ଙ୍ଗୀ ବଲାଙ୍ଗୀର ଆସି ସମାବେଶ ସ୍ଥଳର ସୁରକ୍ଷା ବ୍ୟବସ୍ଥା ତଦାରଖ ସହ ବିଜେପି ନେତା ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ଭାରତୀୟ ବାୟୁସେନା ପକ୍ଷରୁ ବଲାଙ୍ଗୀର ରେଲବେ ଷ୍ଟେସନ ଏବଂ ପଥରଚେପାସ୍ଥିତ ସମାବେଶ ସ୍ଥଳରେ ନିର୍ମିତ ହୋଇଥିବା ହେଲିପ୍ୟାଡ଼ରେ 2ଟି ଲେଖାଏଁ ହେଲିକପ୍ଟର ଟ୍ରାଏଲ୍ ଲାଣ୍ଡିଂ କରିବା ସହ ପ୍ରସ୍ତୁତି ନେଇ ମକ୍ ଡ୍ରିଲ କରି ଫେରିଯାଇଛି।