ଚେନ୍ନାଇ,୨୭ ।୧(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁର ମଦୁରାଇ ଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ-ଏମ୍ସର ଶିଳାନ୍ୟାସ କରିଛନ୍ତି । ଏଥିସହିତ ମଦୁରାଇ ରାଜାଜୀ ମେଡିକାଲ କଲେଜ ଏବଂ ତାଞ୍ଜାଭୁର ଓ ତିରୁନେଲଭେଲି ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକକୁ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ଉଦ୍ଘାଟନ କରିଛନ୍ତି । ସେହିଭଳି ପ୍ରାୟ ୧୨ଟି ଡାକଘର ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଉଦ୍ବୋଦନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏମ୍ସ ଏକ ବ୍ରାଣ୍ଡ ନାମ ଯାହାକି କାଶ୍ମୀରଠାରୁ କନ୍ୟାକୁମାର ଓ ଗୁଜରାଟରୁ ଗୌହାଟୀ ପର୍ଯ୍ୟନ୍ତ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେଇପାରିଛି । ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଯୋଜନାର ଅଂଶବିଶେଷ । ୧୨୬୪ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଏମ୍ସରେ ୭୫୦ ଶଯ୍ୟା ରହିବ । ଦେଶର ପ୍ରତ୍ୟେକ ଲୋକ ଯେଭଳି ସୁବିଧାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ ସେଥିପାଇଁ କେନ୍ଦ୍ରର ଏନ୍ଡିଏ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆୟୁଷ୍ମାନ ଭାରତ, ମିଶନ ଇନ୍ଦ୍ରଧନୁଷ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବେ ଗଣ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ କହିଲେ ବଙ୍ଗୋପସାଗର ଭିତରେ ଥିବା ଧନୁଷକୋଟି ଦ୍ୱୀପକୁ ୨୧ ହଜାର କୋଟି ଟଙ୍କା ବ୍ୟୟରେ ତାମିଲନାଡୁ ସହ ସଂଯୋଗ କରାଯିବ । କେନ୍ଦ୍ର ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନାରେ ତାମିଲନାଡୁକୁ ଅଗ୍ରାଧିକାର ଦିଆଯିବ । ଏହାକୁ ପ୍ରତିରକ୍ଷା ଓ ମହାକାଶ ଗବେଷଣାର କେନ୍ଦ୍ର କରାଯିବ । ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସାଧାରଣ ବର୍ଗର ଗରିବଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବିଷୟ ଉଲ୍ଲେଖ କରି ସେ କହିଲେ ଏହା କାର୍ଯ୍ୟକାରୀ ହେବା ଯୋଗୁ ସଂରକ୍ଷଣ ସୁବିଧା ପାଉଥିବା ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ଆଦୌ ପ୍ରଭାବିତ ହେବେ ନାହିଁ । ତାମିଲନାଡୁର ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବା ଲାଗି କିଛି ଗୋଷ୍ଠୀ ଯୋଜନା କରୁଛନ୍ତି । ସେମାନଙ୍କ ଠାରୁ ଦୂରେଇ ରହିବା ଲାଗି ସେ ପରାମର୍ଶ ଦେଇଥିଲେ । ମହାମେଣ୍ଟ ଉପରେ ମତଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ କେବଳ ଏହି ଚୌକିଦାରଙ୍କୁ (ତାଙ୍କୁ) ହଟାଇବା ଲାଗି ବିରୋଧୀ ଦଳମାନେ ନିଜ ନିଜର ଆଦର୍ଶ ଭୁଲି ଏକାଠି ହୋଇଛନ୍ତି । ତାଙ୍କ ସରକାର ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିପାରିଛି । ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କୁ ଆଇନ ପରିସରକୁ ଅଣାଯିବ । ଏପରିକି ଦେଶ ବାହାରେ ରହିଥିଲେ ମଧ୍ୟ ସେମାନଙ୍କୁ ତାଙ୍କ ସରକାର ଛାଡିବେ ନାହିଁ । କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱରି ଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ ପ୍ରମୁଖ ଉପସ୍ଥିତ ଥିଲେ ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...