ଯବାନଙ୍କ ମରଶରୀରକୁ ପଛ କରି ଫଟୋ ଉଠାଇ ବିବାଦରେ ମନ୍ତ୍ରୀ କେଜେ ଅଲଫୋସ

ନୂଆଦିଲ୍ଲୀ,୧୭।୨(ଏଜେନ୍ସି): ଶହୀଦ ଯବାନଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ମୋଦି ସରକାରଙ୍କ ଜଣେ ମନ୍ତ୍ରୀ ବିବାଦୀୟ ହୋଇପଡିଛନ୍ତି। ଶହୀଦଙ୍କ ମୃତଦେହକୁ ପଛ କରି ଫଟୋ ଉଠାଇ ଏବେ ମନ୍ତ୍ରୀଜଣକ ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି। ସେ ହେଉଛନ୍ତି କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର)କେଜେ ଅଲଫୋସ୍ । ସେ ଏହି ଫଟୋକୁ ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ। କିନ୍ତୁ ବିବାଦ ବଢୁଥିବାର ଦେଖି ମନ୍ତ୍ରୀ ନିଜର ଫଟୋକୁ ହଟାଇ ଦେଇଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଏହି ଫଟୋର ସ୍କ୍ରିନ୍ ସଟ୍ ନେଇଯାଇଛନ୍ତି।
କୁହାଯାଉଛି ଯେ, କେଜେ ଅଲଫୋସ୍ ଗତ ଶନିବାର ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନ ଭିଭି ବସନ୍ତକୁମାରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ କୋଝିକୋଡା ବିମାନବନ୍ଦର ପହଁଞ୍ଚିଥିଲେ। ସେଠାରୁ ଶହୀଦଙ୍କ ମୃତଦେହ ଭାୟନାଡ ନିଆଯାଇଥିଲା। ଏହି ସମୟରେ ଶହୀଦଙ୍କ ମରଶରୀରକୁ ପଛପଟ କରି ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ। ଏହା ସହ ପୋଷ୍ଟ କରିଥିଲେ ‘ଗୁଡ ବାୟ ଶହୀଦ ବସନ୍ତକୁମାର, ଆମେ ଆପଣଙ୍କ ପାଇଁ ଜୀବିତ ରହିଛୁ।’ ତାଙ୍କର ଏହି ଫଟୋ ଆସିବା ପରେ ସୋସିଆଲ ମିଡିଆରେ ସମାଲୋଚନା ଆରମ୍ଭ ହୋଇଯାଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ନିଜର ଫଟୋ ହଟାଇ ଦେଇଥିଲେ।। ପୂର୍ବରୁ ସେ ଆଉ ଏକ ଟ୍ବିଟରେ ଲେଖିଥିଲେ ’କୋଝିକୋଡା ବିମାନବନ୍ଦରରେ ଶହୀଦ ଭିଭି ବସନ୍ତକୁମାରଙ୍କ ପାର୍ଥିବ ଶରୀର ଅଣାଯାଇଛି। ଏବେ ଆମେ ଭାୟନଡରେ ଥିବା ତାଙ୍କ ଘରକୁ ଯିବୁ। ହଜାର ହଜାର ଲୋକ ରାସ୍ତାରେ ଠିଆ ହୋଇଛନ୍ତି।