ନୂଆଦିଲ୍ଲୀ: ଭାରତ ଅଗଷ୍ଟ ୨୦୨୫ ସୁଦ୍ଧା ଆମେରିକା ସହ ହୋଇଥିବା ଛଅଟି ଅତିରିକ୍ତ ବୋଇଙ୍ଗ ପି-୮ଆଇ ମାରିଟାଇମ୍ ପାଟ୍ରୋଲ ବିମାନ କ୍ରୟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ଆମେରିକା ସରକାରଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୨୫% ଅତିର୍କିତ ଟାରିଫ ଲଗାଇବା ପରେ ନିଆଯାଇଛି। ଏହା ସହିତ ଉଚ୍ଚ-ମୂଲ୍ୟ ପ୍ରତିରକ୍ଷା ଚୁକ୍ତିଗୁଡ଼ିକର ରଣନୀତିକ ସମୀକ୍ଷା ମଧ୍ୟ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଛି।
୨୦୨୧ରେ ଆମେରିକା ସରକାର ଏହି ଛଅଟି ପି-୮ଆଇ ବିମାନର ବିକ୍ରୟକୁ ୨.୪୨ ବିଲିୟନ ଡଲାରରେ ଅନୁମୋଦନ କରିଥିଲେ। କିନ୍ତୁ ସାପ୍ଲାଇ ଚେନ୍ ସମସ୍ୟା ଏବଂ ମୁଦ୍ରାସ୍ଫୀତି ଯୋଗୁଁ ୨୦୨୫ ଜୁଲାଇ ସୁଦ୍ଧା ଏହାର ମୂଲ୍ୟ ୩.୬ ବିଲିୟନ ଡଲାର (ପ୍ରାୟ ୩୧,୫୦୦ କୋଟି ଟଙ୍କା) ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ଭାରତୀୟ ପ୍ରତିରକ୍ଷା ବଜେଟ୍ ଉପରେ ଚାପ ସୃଷ୍ଟି କରିଛି। ଯେଉଁଠାରେ ଅନ୍ୟାନ୍ୟ ପ୍ରମୁଖ କ୍ରୟ ଯଥା ରାଫେଲ ଏମ୍ ଡିଲ (୭.୬ ବିଲିୟନ ଡଲାର) ଏବଂ ସ୍ୱଦେଶୀ ପ୍ରୋଗ୍ରାମ ଯେପରିକି ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମସିଏ) ପାଇଁ ଅର୍ଥ ବଣ୍ଟନ କରାଯାଉଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ସରକାରଙ୍କ “ଆମେରିକା ଫାର୍ଷ୍ଟ” ନୀତି ଅଧୀନରେ ଭାରତୀୟ ରପ୍ତାନୀ ଉପରେ ୨୫% ଟାରିଫ ଲଗାଇଛି। ଯାହା ଆସ୍ନତା ଅଗଷ୍ଟ ୭ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏହା ସହିତ ଭାରତକୁ ରୁଷିଆରୁ ତୈଳ କ୍ରୟ ବନ୍ଦ କରିବା ପାଇଁ ଆମେରିକା ଚାପ ସୃଷ୍ଟି କରୁଛି। ଯାହାକୁ ଭାରତ ଆମେରିକାର ଦୋମୁହାଁ ନୀତି ବୋଲି କହିଛି। ଭାରତୀୟ ଅଧିକାରୀମାନେ ଏହି ଟାରିଫକୁ “ଆଶ୍ଚର୍ଯ୍ୟଜନକ” ବୋଲି ଅଭିହିତ କରିଛନ୍ତି ଏବଂ ଜାତୀୟ ସୁରକ୍ଷା ଏବଂ ରଣନୀତିକ ଆବଶ୍ୟକତା ଆଧାରରେ ପ୍ରତିରକ୍ଷା କ୍ରୟ ନିଷ୍ପତ୍ତି ନିଆଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଭାରତୀୟ ନୌସେନା ବର୍ତ୍ତମାନ ୧୨ଟି ପି-୮ଆଇ ବିମାନ ପରିଚାଳନା କରୁଛି। ସୂଚନା ମୁତାବକ ୨୦୦୯ରେ ପ୍ରଥମେ ୮ଟି ଏବଂ ୨୦୧୬ରେ ଆମେରିକା ନିକଟରୁ ୪ଟି ପି-୮ଆଇ ବିମାନ କ୍ରୟ କରାଯାଇଥିଲା। ଏହି ବିମାନଗୁଡ଼ିକ ଭାରତୀୟ ମହାସାଗର ଅଞ୍ଚଳରେ ୫୦ଟି ନୌସେନା ଜାହାଜ ଏବଂ ୨୦,୦୦୦ ବ୍ୟାପାରିକ ଜାହାଜର ନିରୀକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରିଥାନ୍ତି। ଏହା ସହିତ ଏହି ବିମାନଗୁଡ଼ିକ ସ୍ୱଦେଶୀ ଏନଏଏସଏମ-ଏମଆର ମିସାଇଲ ସହିତ ସଜ୍ଜିତ, ଯାହାର ରେଞ୍ଜ ୩୫୦ କିଲୋମିଟର ରହିଛି। ନୌସେନା ଅତିରିକ୍ତ ବିମାନର ଆବଶ୍ୟକତା ଉପରେ ଜୋର ଦେଇଛି। କିନ୍ତୁ ଟାରିଫ ଏବଂ ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ଚୁକ୍ତିକୁ ସ୍ଥଗିତ ରଖାଯାଇଛି।
ଏହି ଚୁକ୍ତି ସ୍ଥଗିତ ହେବା ବୋଇଙ୍ଗ ପାଇଁ ଏକ ବଡ଼ ଝଟକା ହୋଇପାରେ। କାରଣ ବୋଇଂ ଭାରତରେ ପ୍ରାୟ ୫,୦୦୦ କର୍ମଚାରୀ ନିୟୋଜିତ କରିଛି ଏବଂ ଅର୍ଥନୀତିରେ ୧.୭ ବିଲିୟନ ଡଲାର ଯୋଗଦାନ କରୁଛି। ତଥାପି, ଭାରତ ସ୍ୱଦେଶୀ ବିକଳ୍ପ ଯେପରିକି ଡିଆରଡିଓ ଏବଂ ଏଚଏଏଲ ଦ୍ୱାରା ମାରିଟାଇମ ରେକନେସାଂସ ପ୍ଲାଟଫର୍ମ ଉପରେ କାମ କରୁଛି। ଯାହା ଭାରତର ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେଉଛି।
ସୂତ୍ର ଅନୁସାରେ, ଏହି ଚୁକ୍ତି “ସ୍ଥଗିତ” ହୋଇଛି କିନ୍ତୁ “ଚୂଡ଼ାନ୍ତ ଭାବେ ବାତିଲ” ହୋଇନାହିଁ। ଯଦି ଆମେରିକା ଅଧିକ ପ୍ରତିଯୋଗୀ ମୂଲ୍ୟ ବା ବାଣିଜ୍ୟ ରିହାତି ପ୍ରଦାନ କରେ, ତେବେ ଏହି ଡିଲ ପୁଣି ଥରେ କାର୍ଯ୍ୟକାରୀ ହୋଇପାରେ। ଚୀନର ବଢ଼ୁଥିବା ନୌସେନା ଉପସ୍ଥିତି ଏବଂ ଭାରତର ରଣନୀତିକ ଆବଶ୍ୟକତା ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଭାବିତ କରିପାରେ।