ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲେଙ୍ଗାନା କ୍ୟାବିନେଟରେ ସାମିଲ ହୋଇପାରନ୍ତି ।ସରକାର ତାଙ୍କୁ ରାଜ୍ୟପାଳ କୋଟାରୁ ବିଧାନ ପରିଷଦ (MLC) ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଟିକେ ଆଶ୍ଚର୍ଯ୍ୟଜନକ, କାରଣ କିଛି ସପ୍ତାହ ପୂର୍ବରୁ ଆଝାରୁଦ୍ଦିନ ଜୁବଲି ହିଲ୍ସ ବିଧାନସଭା ଆସନର ଉପନିର୍ବାଚନରେ ନିଜକୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ। ସେ ୨୦୨୩ ନିର୍ବାଚନରେ ଏହି ଆସନରେ ପରାସ୍ତ ହୋଇଥିଲେ, କିନ୍ତୁ ବର୍ତ୍ତମାନର ବିଧାୟକ ମାଗୋନି ଗୋପୀନାଥ (BRS)ଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି ଏବଂ ଆଝାର ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ଆଝାରୁଦ୍ଦିନ କହିଛନ୍ତି ଯେ, ମୋତେ MLC ଭାବରେ ମନୋନୀତ କରାଯାଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ଏବଂ କୃତଜ୍ଞ । ମୁଁ ସଚ୍ଚୋଟତା ଏବଂ ନିଷ୍ଠାର ସହିତ ରାଜ୍ୟ ସେବା କରିବି।
କଂଗ୍ରେସ ନେତାମାନେ ବିଶ୍ୱାସ କରନ୍ତି ଯେ ଆଝାରୁଦ୍ଦିନଙ୍କୁ MLC କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବା। ମୁସଲିମ ସମ୍ପ୍ରଦାୟ ଦୀର୍ଘ ସମୟ ଧରି କ୍ୟାବିନେଟରେ ପ୍ରତିନିଧିତ୍ୱ ଦାବି କରିଆସୁଛି, କିନ୍ତୁ କଂଗ୍ରେସ ସରକାର ଗଠନ ହେବାର ୨୦ ମାସରୁ ଅଧିକ ସମୟ ହୋଇଗଲାଣି ଏବଂ ଏପର୍ଯ୍ୟନ୍ତ କୌଣସି ମୁସଲିମ ନେତାଙ୍କୁ ମନ୍ତ୍ରୀ କରାଯାଇନାହିଁ। ୨୦୨୩ ବିଧାନସଭା ନିର୍ବାଚନରେ ଆଝାରୁଦ୍ଦିନ କଂଗ୍ରେସର ତିନି ମୁସଲିମ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଥିଲେ, କିନ୍ତୁ ତିନିଜଣ ହାରିଯାଇଥିଲେ । ସେ ଜୁବିଲି ହିଲ୍ସରୁ ପ୍ରାୟ ୧୬,୦୦୦ ଭୋଟରେ ହାରିଯାଇଥିଲେ। AIMIM ସେଠାରେ ମଧ୍ୟ ନିଜର ପ୍ରାର୍ଥୀ ଦେଇଥିଲା, ଯାହା ତାଙ୍କର ଖେଳକୁ ନଷ୍ଟ କରିଦେଇଥିଲା।
ଏହା ବିଶ୍ୱାସ କରାଯାଉଛି ଯେ, ଖୁବ୍ ଶୀଘ୍ର ହେବାକୁ ଥିବା କ୍ୟାବିନେଟ୍ ବିସ୍ତାରରେ ତାଙ୍କୁ ମନ୍ତ୍ରୀ କରାଯିବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ୧୪ ଜଣ ମନ୍ତ୍ରୀ ଅଛନ୍ତି ଏବଂ ତିନୋଟି ଆସନ ଖାଲି ଅଛି। ଆଝାରୁଦ୍ଦିନ ୨୦୦୯ ମସିହାରେ ଉତ୍ତର ପ୍ରଦେଶର ମୋରାଦାବାଦରୁ କଂଗ୍ରେସ ସାଂସଦ ଥିଲେ। ୨୦୧୮ ମସିହାରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି କରାଯାଇଥିଲା।