ଭୁବନେଶ୍ୱର,୦୪/୦୯: ଦିନ ଗଡ଼ୁଛି । ଅଙ୍କ ଛିଣ୍ଡୁନି । ବିଜେପିରେ ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦଳ କାହାମୁଣ୍ଡରେ ସୁନା କଳସ ଢାଳିବ ତାହାକୁ ନେଇ  ଦ୍ୱନ୍ଦ୍ୱରେ । ବୋର୍ଡ ଓ ନିଗମ ପାଇଁ ଚାତକ ଭଳି ଅପେକ୍ଷା କରିଥିବା ନେତା ଏବେ  ଉତ୍ସୁକତାର ସହ ଦିଲ୍ଲୀକୁ ଚାହିଁ ବସିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ  ଗସ୍ତରେ ଅଛନ୍ତି । ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ  ଯାଇଛନ୍ତି । ମୋହନ-ମନମୋହନ ଦିଲ୍ଲୀରେ ଦଳୀୟ ଶୀର୍ଷ ନେତାଙ୍କ ସହ ବୈଠକ  କରିବେ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ନିଗମ, ବୋର୍ଡ ନିଯୁକ୍ତି ସହ ଦଳର ଛାମୁଆ ସଂଗଠନ  ପାଇଁ ନିଯୁକ୍ତି ଚୂଡ଼ାନ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ସରକାରକୁ ୧୫ ମାସ ହେଲାଣି । ହେଲେ ଏଯାଏଁ ନିଗମ କିମ୍ବା ବୋର୍ଡରେ  ଦଳୀୟ ନେତାଙ୍କୁ ଥଇଥାନ କରାଯାଇପାରୁନି । ମନ୍ତ୍ରିମଣ୍ଡଳରେ ୬ଟି ପଦବି ଖାଲି ପଡ଼ିଛି ।  ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳର ବିଭିନ୍ନ ସଂଗଠନ ଓ କମିଟି ପାଇଁ  ମଧ୍ୟ ନେତା ବାଛିବେ । ତେବେ ଏଥିପାଇଁ ତାଲିକା ଚୂଡ଼ାନ୍ତ ହୋଇପାରୁନି । ଯେତିକି  ଦିନ ଗଡ଼ି ଚାଲିଛି, ଆଶାୟୀଙ୍କ ସଂଖ୍ୟା ସେତିକି ବଢୁଛି । ନିକଟରେ କେବଳ ମହିଳା  କମିଶନ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ନିଯୁକ୍ତି ମିଳିଛି । ମନ୍ତ୍ରୀ ଓ ନିଗମ  ବୋର୍ଡ ନିଯୁକ୍ତି ପାଇଁ ମୋହନ-ମନମୋହନ ଏକାଧିକ ବାର ରାଜ୍ୟ କୋର କମିଟି ଏବଂ  କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ମାତ୍ର ତାଲିକାରେ ମୋହର ବାଜିନି ।  ମୁଖ୍ୟମନ୍ତ୍ରୀ- ରାଜ୍ୟ ବିଜେପି ସଭାପତିଙ୍କ ଏ ଦିଲ୍ଲୀ ଗସ୍ତରୁ ଖୁସି ଖବର ମିଳିବ ବୋଲି  ଆଶା ବାନ୍ଧି ଅପେକ୍ଷା କରିଛନ୍ତି ବିଜେପି ନେତା ଓ ବିଧାୟକ ।