ଦିନିକିଆ କ୍ରିକେଟ୍ରେ ନୂଆ ବୋଲିଂ ବାଦଶାହ, ICC ରାଙ୍କିଂ ଶୀର୍ଷରେ ମହମ୍ମଦ ସିରାଜ

- ଅଷ୍ଟ୍ରେଲିଆର ହେଜେଲଉଡ ୭୨୭ ପଏଣ୍ଟ ସହ ୨ୟ କୁ ଖସିଛନ୍ତି
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ
- ଶ୍ରୀଲଙ୍କା ସିରିଜରେ ୯ଟି ଓ୍ବିକେଟ ନେଇଥିଲେ ସିରାଜ
ନୂଆଦିଲ୍ଲୀ ୨୫/ ୦୧: ମହମ୍ମଦ ସିରାଜ । ଭାରତୀୟ କ୍ରିକେଟରେ ଏବେ ଦୁର୍ଦ୍ଦଶ ବୋଲର । ବିଚକ୍ଷଣ ଦକ୍ଷତା ବଳରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢି ଚାଲିଛନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ବୋଲିଂ କରିଥିବା ଉଦୀୟମାନ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବେ ବିଶ୍ବର ନମ୍ବର ଓ୍ବାନ୍ ଦିନିକିଆ ବୋଲର ହୋଇଯାଇଛନ୍ତି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍ ହେଜେଲଉଡଙ୍କୁ ଟପି ସିରାଜ ଶୀର୍ଷକୁ ଉଠିଛନ୍ତି ।
ଗତ କିଛି ବର୍ଷ ହେଲା ମହମ୍ମଦ ସିରାଜ ଦିନିକିଆରେ ଭାରତ ପକ୍ଷରୁ ଜଣେ ନିର୍ଭରଯୋଗ୍ୟ ବୋଲର ଭାବେ ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଉଛନ୍ତି । ଏପରିକି ଦଳର ବୋଲିଂ ମୁଖ୍ୟ ଜସପ୍ରୀତ ବୁମରାହ ଆହତ କାରଣରୁ ଦଳରୁ ବାହାରେ ଥିବାବେଳେ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନାହାନ୍ତି ସିରାଜ । ୨୮ ବର୍ଷୀୟ ସିରାଜ ଗୋଟିଏ ପରେ ଗୋଟିଏ ସରିଜ ଖେଳୁଥିବା ବେଳେ ବୋଲିଂକୁ ଶାଣିତ କରିବାରେ ଲାଗିଛନ୍ତି । ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଗୋଟିଏ ମ୍ୟାଚ୍ରେ ୪ ଓ୍ବିକେଟ୍ ନେବାପରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ୪ ଓ୍ବିକେଟ୍ ନେଇଥିଲେ । ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ୯ଟି ଓ୍ବିକେଟ ନେଇଥିଲେ ସିରାଜ । ଭାରତ ଏହି ସିରିଜକୁ ୩-୦ରେ ଜିତିନେଇଥିଲା ।
ପଢନ୍ତୁ ଏହି ଖବର: ଚଳଚ୍ଚିତ୍ର ‘ପଠାନ’କୁ ବିରୋଧ କରିବନି ବିଶ୍ୱ ହିନ୍ଦୁ ପରିଷଦ, ଏମିତି କହିଲା ସଙ୍ଗଠନ…
ମହମ୍ମଦ ସିରାଜ ୭୨୯ ପଏଣ୍ଟ ସହ ଦିନିକିଆ ବୋଲିଂ ରାଙ୍କିଂ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆରେ ଜୋସ୍ ହେଜେଲଉଡ ୭୨୭ ପଏଣ୍ଟ ସହ ଦ୍ବିତୀୟକୁ ଖସିଆସିଛନ୍ତି । ସେହିଭଳି ନ୍ୟୁଜିଲାଣ୍ଡରେ ଟ୍ରେଷ୍ଟ ବୋଲ୍ଟ ୭୦୮ ପଏଣ୍ଟ ସହ ତୃତୀୟରେ ଥିବାବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୬୬୫ ପଏଣ୍ଟ ସହ ୪ର୍ଥ, ଆଫଗାନିସ୍ତାନର ରାସିଦ ଖାନ ୫ମ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା ୬ଷ୍ଠ, ବାଂଲାଦେଶର ସାକିବ ଅଲ ହାସନ, ପାକିସ୍ତାନର ଶାହିନ ଆଫ୍ରିଦି ୮ମ, ବାଂଲାଦେଶର ମୁସ୍ତଫିଜୁର ରେହମାନ ୯ମ ଓ ଆଫଗାନିସ୍ତାନର ମୁସ୍ତଫିଜୁର ରେହମାନ ୧୦ମ ସ୍ଥାନରେ ରହିଛନ୍ତି ।

ସେହିଭଳି ବ୍ୟାଟିଂ ରାଙ୍କିଂରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମୋଟ ୩୬୦ ରନ କରିଥିବା ଶୁବମାନ ଗିଲ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ରହିଛନ୍ତି । ସେହିଭଳି ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୭ମ ରେ ଥିବାବେଳେ ରୋହିତ ଶର୍ମା ୯ମ ସ୍ଥାନକୁ ଉଠିଛନ୍ତି । ପାକିସ୍ତାନର ବାବର ଆଜମ ୮୮୭ ପଏଣ୍ଟ ସହିତ ଦିନିକିଆ ରାଙ୍କିଂ ଶୀର୍ଷରେ ରହିଛନ୍ତି ।
