ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭି ଏକଛତ୍ରବାଦୀ ନୀତି ଅବଲମ୍ବନ କରିଛନ୍ତି। ସେ ବିଦେଶୀ ଟି-୨୦ ଲିଗରେ ଖେଳିବା ପାଇଁ ପାକିସ୍ତାନୀ ଖେଳାଳିମାନଙ୍କୁ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ଦେବାକୁ ମନା କରିଛନ୍ତି। ଇଏସପିଏନ୍ କ୍ରିକଇନଫୋ ଅନୁଯାୟୀ, ବିଦେଶୀ ଟି-୨୦ ଲିଗ ଏବଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ଖେଳାଳିଙ୍କ ଏନଓସିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଏସିଆ କପ୍ ଫାଇନାଲରେ ଭାରତଠାରୁ ପାକିସ୍ତାନ ପରାସ୍ତ ହେବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ESPN Cricinfo ରିପୋର୍ଟ ଅନୁସାରେ, ବାବର ଆଜମ, ମହମ୍ମଦ ରିଜୱାନ ଏବଂ ଶାହିନ ଆଫ୍ରିଦିଙ୍କ ସମେତ ୭ ଜଣ ପ୍ରମୁଖ ଖେଳାଳି ବିଦେଶୀ ଲିଗରେ ଖେଳିବା ପାଇଁ ଏନଓସି ପାଇଥିଲେ । କିନ୍ତୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବର ୩୦ ରେ ଆଇଏଲ ଟି୨୦ ନିଲାମୀରେ ୩ ଜଣ ପାକିସ୍ତାନୀ ଖେଳାଳି ସାମିଲ ହେବାର ଥିଲା । କିନ୍ତୁ ପିସିବିର ନିର୍ଦ୍ଦେଶ ଅନୁଯାୟୀ, ପାକିସ୍ତାନୀ ଖେଳାଳିମାନେ ବର୍ତ୍ତମାନ ପାଇଁ ବିଦେଶୀ ଲିଗରେ ଖେଳିପାରିବେ ନାହିଁ।

ସେପଟେ ପିସିବିର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଥିବା ଖେଳାଳିମାନେ ପ୍ରତିବର୍ଷ କେବଳ ଦୁଇଟି ବିଦେଶୀ ଲିଗରେ ଖେଳିପାରିବେ । ବାବର ଆଜମ ପୂର୍ବରୁ ସିଡନୀ ସିକ୍ସର୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି। ମହମ୍ମଦ ରିଜୱାନ ବିଗ୍ ବ୍ୟାସ୍ ଲିଗରେ ମେଲବର୍ଣ୍ଣ ରେନେଗେଡ୍ସ ପାଇଁ ଖେଳିବାକୁ ଯାଉଛନ୍ତି । ବିବିଏଲର ପରବର୍ତ୍ତୀ ସିଜିନ୍ ଡିସେମ୍ବର ୧୪ରେ ଆରମ୍ଭ ହେବ ।

ବାବର ଏବଂ ରିଜୱାନଙ୍କ ବ୍ୟତୀତ ଶାହିନ ଆଫ୍ରିଦି, ହାରିସ ରୌଫ, ଶାଦାବ ଖାନ ଏବଂ ହାସନ ଅଲିଙ୍କୁ ମଧ୍ୟ ବିବିଏଲ ଡ୍ରାଫ୍ଟରେ ଚୟନ କରାଯାଇଥିଲା। ଏହାର ଅର୍ଥ ହେଉଛି ବିବିଏଲର ପରବର୍ତ୍ତୀ ସିଜିନରେ ମୋଟ ୭ ଜଣ ପାକିସ୍ତାନୀ ଖେଳାଳି ଖେଳିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପିସିବି ମୁଖ୍ୟ ମୋହସିନ ନକଭିଙ୍କ ନୂତନ ନିଷ୍ପତ୍ତି ଯୋଗୁଁ ଏହା ହୋଇ ନପାରେ।

ସୂଚନାଯୋଗ୍ୟ, ଏସିଆ କପ୍ ଫାଇନାଲ ପରେ ମୋହସିନ୍ ନକଭି ଟ୍ରଫିକୁ ସାଙ୍ଗରେ ନେଇ ଯାଇଥିଲେ। ସେହି ଘଟଣା ପରେ, ନକଭିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ କରାଯାଉଛି। ଏପରିକି ତାଙ୍କୁ ‘ଟ୍ରଫି ଚୋର’ ବୋଲି ମଧ୍ୟ କୁହାଯାଉଛି।