ନୂଆଦିଲ୍ଲୀ, ୨୪।୪: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ଏବେ ତାଙ୍କ ପୁଅ ମୋଜତବା ଖାମେନେଇଙ୍କ ହାତରେ ରହିଛି । କିନ୍ତୁ, କ୍ଷମତା ହାସଲ କରିବା ପରଠାରୁ ସେ ଥରଟିଏ ବି ସାର୍ବଜନୀନ ଭାବେ ସାମ୍ନାକୁ ଆସିନାହାନ୍ତି । ଏବେ ଏକ ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆମେରିକା ଓ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକରେ ମୋଜତବା ଏତେ ଗୁରୁତର ଭାବେ ଆହତ ହୋଇଛନ୍ତି ଯେ, ଦୁଇ ମାସ ପରେ ମଧ୍ୟ ସେ ସଂଘର୍ଷ ଜାରି ରଖିଛନ୍ତି । ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ସେନା ପକ୍ଷରୁ ଅୟାତୁଲ୍ଲା ଅଲି ଖାମେନେଇଙ୍କ ବାସଭବନ ଓ କାର୍ଯ୍ୟାଳୟ ପରିସର ଉପରେ ପ୍ରବଳ ବୋମାମାଡ଼ କରାଯାଇଥିଲା । 'ନ୍ୟୁୟର୍କ ଟାଇମ୍ସ' ରିପୋର୍ଟ ମୁତାବକ, ଏହି ଆକ୍ରମଣ ସମୟରେ ମୋଜତବା ଖାମେନେଇ ସେଠାରେ ଉପସ୍ଥିତ ଥିଲେ ଏବଂ ବିସ୍ଫୋରଣର ଶିକାର ହୋଇଥିଲେ । ବର୍ତ୍ତମାନ ସେ ଏକ ଗୁପ୍ତ ସ୍ଥାନରେ ଲୁଚି ରହି ଚିକିତ୍ସିତ ହେଉଛନ୍ତି ।
କଟାଗଲା ଗୋଡ଼, ଚେହେରା ଚିହ୍ନିବା ମୁସକିଲ୍:
ମୋଜତବାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ତଥ୍ୟ ଆସିଛି ତାହା ସ୍ତବ୍ଧ କରିଦେଲା ଭଳି । ଆକ୍ରମଣରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେହି ଗୋଡ଼ର ତିନିଥର ଅପରେସନ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଏକ ଆର୍ଟିଫିସିଆଲ୍ ଲେଗ୍ ଅର୍ଥାତ୍ କୃତ୍ରିମ ଗୋଡ଼ ଲଗାଯିବାର ଯୋଜନା ରହିଛି । ବିସ୍ଫୋରଣର ନିଆଁରେ ତାଙ୍କ ଚେହେରା ଏବଂ ଓଠ ଗୁରୁତର ଭାବେ ପୋଡ଼ି ଯାଇଛି । ସେ କଥା କହିବାରେ ମଧ୍ୟ ଅସମର୍ଥ ହେଉଛନ୍ତି । ଡାକ୍ତରୀ ଦଳ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତାଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଥିଲା, ଯାହାର ସର୍ଜରୀ ଶେଷ ହୋଇଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।
ଗୁପ୍ତ ସ୍ଥାନରେ ଚିକିତ୍ସା, ଦାୟିତ୍ୱରେ ନିଜେ ରାଷ୍ଟ୍ରପତି:
ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ଭୟରେ ମୋଜତବାଙ୍କୁ କେଉଁଠାରେ ରଖାଯାଇଛି, ତାହା କେବଳ କିଛି ବିଶ୍ୱସ୍ତ ଅଧିକାରୀ ଜାଣିଛନ୍ତି । ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନ, ଯିଏ କି ଜଣେ ପ୍ରତିଷ୍ଠିତ ହାର୍ଟ ସର୍ଜନ, ସେ ନିଜେ ଏବଂ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମୋଜତବାଙ୍କ ଚିକିତ୍ସାର ତଦାରଖ କରୁଛନ୍ତି । ମୋଜତବା ଅସୁସ୍ଥ ଥିବାରୁ ଏବେ ଇରାନର ଅସଲ କ୍ଷମତା ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ (IRGC) ହାତକୁ ଚାଲିଯାଇଛି । "ମୋଜତବା ବର୍ତ୍ତମାନ ଏକ କମ୍ପାନୀର ନିର୍ଦ୍ଦେଶକ ଭଳି କାମ କରୁଛନ୍ତି । ସେ କେବଳ ସେନା ଜେନେରାଲମାନଙ୍କ ପରାମର୍ଶ ଉପରେ ନିର୍ଭରଶୀଳ ଏବଂ ସମୂହ ନିଷ୍ପତ୍ତି ନିଆଯାଉଛି," ବୋଲି ପୂର୍ବତନ ରାଷ୍ଟ୍ରପତି ଅହମ୍ମଦିନେଜାଦଙ୍କ ପରାମର୍ଶଦାତା ଅବଦୁଲରେଜା ଦାୱାରୀ ପ୍ରକାଶ କରିଛନ୍ତି ।
ଚିଠି ମାଧ୍ୟମରେ ଶାସନ, ମୋଟରସାଇକେଲରେ ଯାଉଛି ବାର୍ତ୍ତା:
ଆଧୁନିକ ଯୁଗରେ ମଧ୍ୟ ମୋଜତବା ଅତି ପୁରୁଣା ଶୈଳୀରେ ଶାସନ କରୁଛନ୍ତି । ସେ କୌଣସି ଅଡିଓ ବା ଭିଡିଓ ବାର୍ତ୍ତା ଜାରି କରୁନାହାନ୍ତି । ସେ କେବଳ ହାତଲେଖା ଚିଠି ଜରିଆରେ ନିର୍ଦ୍ଦେଶ ଦେଉଛନ୍ତି । ଏହି ଚିଠିଗୁଡ଼ିକୁ ବନ୍ଦ ଲଫାପାରେ ବିଶ୍ୱସ୍ତ କୋରିୟରଙ୍କ ଜରିଆରେ ମୋଟରସାଇକେଲ ଏବଂ କାର୍ ସାହାଯ୍ୟରେ ଗୁପ୍ତ ରାସ୍ତା ଦେଇ ପହଞ୍ଚାଯାଉଛି, ଯେପରି କୌଣସି ଡିଜିଟାଲ ଟ୍ରାକିଂ ହୋଇପାରିବ ନାହିଁ । ଇରାନର ଏହି ଅସ୍ଥିରତା ଏବଂ ମୋଜତବାଙ୍କ ଗୁରୁତର ସ୍ୱାସ୍ଥ୍ୟବସ୍ଥା ଆଗାମୀ ଦିନରେ ମଧ୍ୟପ୍ରାଚ୍ୟର ରାଜନୀତିକୁ କେଉଁ ଆଡ଼କୁ ନେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।
ଆହୁରି ପଢ଼ନ୍ତୁ... Israel and Lebanon ceasefire; ଇସ୍ରାଏଲ-ଲେବାନନ୍ରେ ୩ ସପ୍ତାହ ପାଇଁ ଅସ୍ତ୍ରବିରତି, ଘୋଷଣା କଲେ ଟ୍ରମ୍ପ