ଭୁବନେଶ୍ଵର, ୧୫/୧୨ : କଂଗ୍ରେସରୁ ବିଦା ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ। କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି। କଂଗ୍ରେସ ସହ ଅଛି, ଥିଲି ଏବଂ ରହିବି। ଦଳକୁ ଆଇନା ଦେଖାଇବାର ସାହସ ରଖିଛି। ରାହୁଲ ଗାନ୍ଧି ଆମର ସର୍ବୋଚ୍ଚ ନେତା, ସେ ଭୁଲ୍ କଲେ ବି କହିବାର ଅଧିକାର ଅଛି। 

ମୋକିମ କହିଛନ୍ତି ଯେ, ମୁଁ କିଛି ଭୁଲ୍ କରିନି। ସୋଫିଆଙ୍କ ସହ ଏସବୁର କୌଣସି ସମ୍ପର୍କ ନାହିଁ। ସେ କଂଗ୍ରେସ ସହ ଅଛି। ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ସେମିତି କିଛି ହେଲାନି। ଓଲଟା ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି। ଦଳକୁ ଆଇନା ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି। ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି। ରାଜନୀତି ଗୋଟିଏ ପ୍ଲାଟଫର୍ମ। ଆଗକୁ ବି ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ। ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି। ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନ୍ତିନି। ତେଣୁ ମୁଁ କାହାକୁ ନ ଡ଼ରି ଚିଠି ଲେଖିଲି। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ। ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି। ଶେଷ ନିଶ୍ଵାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ସେବା କରିବି।

ସୂଚନା ଥାଉକି,  ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣିଥିଲେ। ଯାହା ଫଳରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯାଇଛି। 

ଏହି ଖବରଟିକୁ ପଢନ୍ତୁ- କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ୍, ଦଳରୁ ବହିଷ୍କୃତ କଲେ ପିସିସି ସଭାପତି

​​​​​​​