ନୂଆଦିଲ୍ଲୀ, ୧୧।୫: ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ପ୍ରଭୁ ଶିବ ହେଉଛନ୍ତି ସୃଷ୍ଟିର ସଂହାରକର୍ତ୍ତା ଏବଂ ସର୍ବଶକ୍ତିମାନ । ତାଙ୍କୁ ମହାଦେବ, ଶଙ୍କର, ଭୋଳାନାଥ ଆଦି ଅନେକ ନାମରେ ପୂଜା କରାଯାଏ । ସପ୍ତାହର ପ୍ରତି ସୋମବାର ଦିନଟି ପ୍ରଭୁ ଶିବଙ୍କୁ ସମର୍ପିତ । ବିଶ୍ୱାସ ରହିଛି ଯେ, ମହାଦେବ ଅତି ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି, ସେଥିପାଇଁ ତାଙ୍କୁ 'ଆଶୁତୋଷ' ମଧ୍ୟ କୁହାଯାଏ । ମାତ୍ର ଗୋଟିଏ ଲୋଟା ଜଳରେ ପ୍ରସନ୍ନ ହେଉଥିବା ଭୋଳାନାଥଙ୍କ ପୂଜାବିଧିରେ କିଛି ବିଶେଷ ନିୟମ ରହିଛି । ସୋମବାର ଦିନ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ କରିବା ଦ୍ୱାରା ଶିବ କ୍ରୋଧିତ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ସୋମବାର ଦିନ କେଉଁ ସବୁ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ ।

ଶିବ ପୂଜାରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍:

ଧର୍ମଶାସ୍ତ୍ର ଅନୁଯାୟୀ, ଶିବଙ୍କ ପୂଜା ସମୟରେ କିଛି ସାମଗ୍ରୀ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ:

ତୁଳସୀ ପତ୍ର: ଭଗବାନ ଶିବଙ୍କୁ କେବେ ବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ। ଏହା ଅଶୁଭ ବୋଲି ମାନାଯାଏ ।

ଫୁଲ ଚୟନ: ମହାଦେବଙ୍କୁ ନାଲି ରଙ୍ଗର ଫୁଲ, କେତକୀ କିମ୍ବା କେଉଡ଼ା ଫୁଲ ଚଢ଼ାନ୍ତୁ ନାହିଁ । ଏହା ଦ୍ୱାରା ପୂଜାର ଫଳ ମିଳିନଥାଏ ।

ସିନ୍ଦୂର ବର୍ଜନ: ମହାଦେବଙ୍କୁ କେବେ ବି ସିନ୍ଦୂର ଲଗାନ୍ତୁ ନାହିଁ । ଏହା ପରିବର୍ତ୍ତେ ଚନ୍ଦନ କିମ୍ବା ଭସ୍ମ ବ୍ୟବହାର କରନ୍ତୁ ।

ବସ୍ତ୍ର: ପୂଜା ସମୟରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭ ନୁହେଁ ।

ସୋମବାର ବ୍ରତ ରଖୁଥିଲେ ବା ପୂଜା କରୁଥିଲେ ଖାଦ୍ୟଶୈଳୀରେ ସଂଯମତା ରକ୍ଷା କରିବା ଜରୁରୀ:

ତାମସିକ ଖାଦ୍ୟ: ଏହି ଦିନ ଆମିଷ, ମଦ୍ୟପାନ ଏବଂ ରସୁଣ-ପିଆଜ ଭଳି ତାମସିକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ଶନି ସମ୍ବନ୍ଧୀୟ ଖାଦ୍ୟ: ସୋମବାର ଦିନ ବାଇଗଣ, କଖାରୁ, ସୋରିଷ ଶାଗ, କଳା ରାଶି ଏବଂ ବିରି ଖାଇବା ଅନୁଚିତ୍ । ଏହି ଜିନିଷଗୁଡ଼ିକ ଶନିଦେବଙ୍କ ସହ ଜଡ଼ିତ ହୋଇଥିବାରୁ ଏହା ଚନ୍ଦ୍ରଙ୍କ ଦିନରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୋମବାର ଦିନ କିଛି ନିର୍ଦ୍ଧିଷ୍ଟ ଦିଗକୁ ଯାତ୍ରା କରିବା ଅଶୁଭ ହୋଇଥାଏ । ଏହି ଦିନ ଉତ୍ତର, ପୂର୍ବ ଏବଂ ଆଗ୍ନେୟ ଦିଗକୁ ଯାତ୍ରା କରନ୍ତୁ ନାହିଁ । ବିଶେଷ କରି ସୋମବାର ଦିନ ପୂର୍ବ ଦିଗରେ 'ଦିଶାଶୂଳ' ଥାଏ । ଏହି ଦିଗରେ ଯାତ୍ରା କଲେ ଦୁର୍ଘଟଣା କିମ୍ବା କାର୍ଯ୍ୟରେ ବାଧା ଉପୁଜିବାର ଭୟ ଥାଏ । ଯଦି ଯାତ୍ରା ଅତି ଜରୁରୀ, ତେବେ ପୂର୍ବରୁ କିଛି ମିଶ୍ରି କିମ୍ବା ଦର୍ପଣ ଦେଖି ଘରୁ ବାହାରନ୍ତୁ ।

ଧଳା ବସ୍ତୁ ଦାନ କଲେ ଲାଗିପାରେ ଚନ୍ଦ୍ର ଦୋଷ:

ସୋମବାର ଚନ୍ଦ୍ରଦେବଙ୍କ ଦିନ ହୋଇଥିବାରୁ ଏହି ଦିନ ଧଳା ରଙ୍ଗର ସାମଗ୍ରୀ ଯଥା- ଚିନି, କ୍ଷୀର, ଦହି କିମ୍ବା ଧଳା ପୋଷାକ ଆଦି ଦାନ କରନ୍ତୁ ନାହିଁ । ବିଶ୍ୱାସ କରାଯାଏ ଯେ ଏହା କଲେ କୁଣ୍ଡଳୀରେ 'ଚନ୍ଦ୍ର ଦୋଷ' ଲାଗିଥାଏ, ଯାହା ମାନସିକ ଅଶାନ୍ତିର କାରଣ ସାଜେ । ସୋମବାର ଭକ୍ତିର ସହ ଶିବଙ୍କୁ ଆରାଧନା କଲେ ସମସ୍ତ କଷ୍ଟ ଦୂର ହୁଏ । ଏହିସବୁ କାର୍ଯ୍ୟ ପ୍ରତି ଧ୍ୟାନ ଦେଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଏ ।