PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଭାରତରେ ବଢ଼ୁଛି ସମ୍ପତ୍ତି ବୈଷମ୍ୟ, ୬୮ କୋଟିଙ୍କ ଯେତିକି ୯ ଧନୀଙ୍କ ସେତିକି

ନୂଆଦିଲ୍ଲୀ,୨୧ା୧(ଏଜେନ୍ସି): ଭାରତରେ ବଢ଼ିଚାଲିଛି ଧନୀ-ଗରିବ ସମ୍ପତ୍ତି ବୈଷ୍ୟମ । ଦେଶର ୫୦% ଲୋକ (ସମ୍ପତ୍ତିଧାରୀ ଭାବେ ତଳ ଆଡ଼ୁ ୬୮ କୋଟି)ଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ୯ ଜଣ ଶୀର୍ଷ ଧନୀଙ୍କ ପାଖରେ ସେତିକି ସମ୍ପତ୍ତି ରହିଛି । ଅକ୍ସଫାମ୍‌ ପକ୍ଷରୁ ସୋମବାର ପ୍ରକାଶିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ମିଳିଛି ।
ସେହିଭଳି ଗତବର୍ଷ ଭାରତୀୟ ଅରବପତିଙ୍କ ସମ୍ପତ୍ତି ଦିନକୁ ୨,୨୦୦ କୋଟି ଟଙ୍କା ବଢ଼ିଛି । ୧% ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୩୯% ବୃଦ୍ଧି ଘଟିଛି । ଅପରପକ୍ଷରେ ଭାରତୀୟ ଜନସଂଖ୍ୟାର ଗରିବ ୫୦%ଙ୍କ ସମ୍ପତ୍ତି ମୂଲ୍ୟ କେବଳ ୩% ବଢ଼ିଛି ।
ଡାଭୋସ୍‌ରେ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ବାର୍ଷିକ ବୈଠକ ଆରମ୍ଭ ହେବା ପୂର୍ବରୁ ପ୍ରକାଶିତ ଏହି ସମ୍ପତ୍ତି ରିପୋର୍ଟ ମୁତାବକ, ୨୦୧୮ରେ ବିଶ୍ୱବ୍ୟାପୀ ସମସ୍ତ ଅରବପତିଙ୍କ ସମ୍ପତ୍ତି ଦିନକୁ ୧୨% ବା ୨୫୦ କୋଟି ଡଲାର (୧୭,୭୦୦ କୋଟି ଟଙ୍କା) ବଢ଼ିଛି । ଏପଟେ ବିଶ୍ୱର ଗରିବ ୫୦%ଙ୍କ ସମ୍ପତ୍ତି ମୂଲ୍ୟ ୧୧% ଖସିଛି ।
ଅକ୍ସଫାମ୍‌ ପୁନଶ୍ଚ ଦର୍ଶାଇଛି, ଦେଶର ଗରିବ ୧୦% ବା ୧୩.୬ କୋଟି ଭାରତୀୟ ୨୦୦୪ ପରଠାରୁ ଋଣ ବୋଝରେ ବୁଡ଼ି ରହିଛନ୍ତି ।
ସାରା ବିଶ୍ୱରେ ବଢ଼ିଚାଲିଥିବା ଏହି ଧନୀ-ଗରିବ ବୈଷମତା ସମସ୍ୟା ଦୂର ପାଇଁ ଡାଭୋସ୍‌ରେ ଏକତ୍ରୀତ ହେବାକୁ ଥିବା ରାଜନୈତିକ ଓ ବ୍ୟବସାୟିକ ନେତୃବୃନ୍ଦ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଅକ୍ସଫାମ୍‌ ନିଜ ରିପୋର୍ଟରେ ଆହ୍ୱାନ ଦେଇଛି ।
ଡବ୍ଲ୍ୟୁଇଏଫ୍‌ ବୈଠକରେ ଭାଗ ନେବାକୁ ଥିବା ଅକ୍ସଫାମ୍‌ ଆନ୍ତର୍ଜାତିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୱିନି ବୟାନିମା କହିଛନ୍ତି, ଭାରତର ବର୍ଦ୍ଧିତ ସମ୍ପତ୍ତିର ବୃହତ ଅଂଶ ଅଳ୍ପ କିଛି ଧନୀଙ୍କ ନିକଟରୁ ଯାଉଛି । କିନ୍ତୁ ଏପାଖେ ଗରିବ ଲୋକ ଖାଇବା ପାଇଁ ବା ନିଜ ଛୁଆର ଔଷଧ ଖର୍ଚ୍ଚ ତୁଲାଇବାକୁ ସଂଘର୍ଷ କରୁଛି ।
ଯଦି ଭାରତର ୧% ଧନୀ ବ୍ୟକ୍ତି ଓ ବଳକା ଭାରତୀୟଙ୍କ ମଧ୍ୟରେ ଏଭଳି ଅସମାନତା ବଢ଼ିଚାଲିବ, ତେବେ ଦେଶର ସାମାଜିକ ଓ ଗଣତାନ୍ତ୍ରିକ ଢାଞ୍ଚା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବ ବୋଲି ବୟାନିମା କହିଛନ୍ତି ।
ଅକ୍ସଫାମ୍‌ ନିଜ ରିପୋର୍ଟରେ ଦର୍ଶାଇଛି, ଧୀରେ ଧୀରେ ସମ୍ପତ୍ତି ଗୋଟିଏ ସ୍ଥାନରେ ଏକତ୍ରୀକରଣ ହେବାରେ ଲାଗିଛି । ୨୦୧୭ରେ ଧନୀ ୪୪ ଜଣଙ୍କ ପାଖରେ ଥିବା ସମ୍ପତ୍ତି ମୂଲ୍ୟ ବିଶ୍ୱର ଅଧା ଗରିବଙ୍କ ସମ୍ପତ୍ତି ସହ ସମାନ ଥିଲା । ୨୦୧୮ରେ ଶ୍ରେଷ୍ଠ ୨୬ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ମୂଲ୍ୟ ସହ ଅଧା ଗରିବଙ୍କ ସମ୍ପତ୍ତି ସମାନ ।
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ସମ୍ପତ୍ତି ମୂଲ୍ୟ ବୃଦ୍ଧି ଘଟି ୧୧,୨୦୦ କୋଟି ଡଲାର ହୋଇଛି । ତାଙ୍କ ସମ୍ପତ୍ତିର ୧% ଅର୍ଥରେ ୧୧.୫ କୋଟି ବାସ କରୁଥିବା ଇଥିଓପିଆର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବଜେଟ୍‌ ସହ ସମାନ ।
ଭାରତର ଶୀର୍ଷ ୧୦ ଭାଗ ଧନୀ ବ୍ୟକ୍ତିଙ୍କ ପାଖରେ ମୋଟ୍‌ ଜାତୀୟ ସମ୍ପତ୍ତିର ୭୭.୪% ସମ୍ପତ୍ତି ରହିଛି । ତେବେ ଶୀର୍ଷ ୧% ଲୋକଙ୍କ ନିକଟରେ ଜାତୀୟ ସମ୍ପତ୍ତିର ୫୧.୫୩% ରହିଛି । ଅପରପକ୍ଷରେ ଭାରତର ନିମ୍ନଭାଗରେ ଥିବା ୬୦% ଲୋକଙ୍କ ନିକଟରେ ଜାତୀୟ ସମ୍ପତ୍ତିର ମାତ୍ର ୪.୮% ଅଛି । ସେହିଭଳି ଶୀର୍ଷ ୯ ଜଣ ଅରବପତିଙ୍କ ସମ୍ପତ୍ତି ମୂଲ୍ୟ ସହ ଗରିବ ୫୦%ଙ୍କ ସମ୍ପତ୍ତି ସମାନ ବୋଲି ଅକ୍ସଫାମ୍‌ ରିପୋର୍ଟରେ କୁହାଯାଇଛି ।
୨୦୧୮ରୁ ୨୦୨୨ ମଧ୍ୟରେ ଭାରତରେ ପ୍ରତିଦିନ ୭୦ ନୂଆ କୋଟିପତି ସୃଷ୍ଟିହେବେ ବୋଲି ଅକ୍ସଫାମ୍‌ ଇଣ୍ଡିଆ ସିଇଓ ଅମିତାଭ ବେହର କହିଛନ୍ତି ।
ରିପୋର୍ଟ କହୁଛି, ଗତବର୍ଷ ଭାରତ ୧୮ ଜଣ ନୂଆ ଅରବପତିଙ୍କୁ ଯୋଡ଼ିଥିଲା । ଏଥିସହ ମୋଟ୍‌ ଅରବପତିଙ୍କ ସଂଖ୍ୟା ୧୧୯କୁ ବଢ଼ିଛି । ସେମାନଙ୍କ ସମ୍ପତ୍ତି ମୂଲ୍ୟ ୪୦,୦୦୦ କୋଟି ଡଲାର ବା ୨୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି ।

ସମ୍ବନ୍ଧିତ ଖବର