୧୧ ଦେଶରେ ବ୍ୟାପିଲାଣି ମଙ୍କି ପକ୍ସ ଭାଇରସ୍, ଭାରତରେ ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ…

ନୂଆଦିଲ୍ଲୀ: କରୋନା ଭାଇରସ୍ ପରେ ବିଶ୍ବକୁ ଏବେ ମଙ୍କି ପକ୍ସ ଭୟ । ୧୧ ଟି ଦେଶରେ ଏହି ଭାଇରସ୍ ବ୍ୟାପିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି । ଏଥି ପାଇଁ ୫୦ ଟି ଅନୁସନ୍ଧାନ ଚାଲିଛି । WHO ଦେଇଥିବା ରିପୋର୍ଟ ଅନୁଯାୟୀ, ମଙ୍କି ପକ୍ସର ପ୍ରଥମ ମାମଲା ମେ ୫ରେ ଲଣ୍ଡନରେ ଆସିଥିଲା । ଏଥିରେ ସମାନ ପରିବାର ୩ ଜଣଙ୍କ ମଧ୍ୟରେ ଏହି ସଂକ୍ରମଣ ଦେଖାଯାଇଥିଲା । ମେ ୧୩ ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ରିପୋର୍ଟ କରାଯାଇଥିଲା ।
ୟୁରୋପ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ ଏବଂ ବ୍ରିଟେନର ଅନେକ ଦେଶରେ ମଙ୍କି ପକ୍ସ ଭାଇରସ୍ ବ୍ୟାପିଛି । ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଏବଂ କାନାଡାରେ ମଙ୍କି ପକ୍ସର ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଯଦିଓ WHO ଏପର୍ଯ୍ୟନ୍ତ ଏହି ରୋଗକୁ ମହାମାରୀ ଘୋଷଣା କରି ନାହିଁ, ଏହା ଏକ ସଂକ୍ରାମକ ରୋଗ । ହେଲେ କରୋନା ଭାଇରସ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ବର୍ତ୍ତମାନ ଏହାର ବିସ୍ତାର ହେବାର ସମ୍ଭାବନା କମ୍ ।
ତେବେ ଗତକାଲି ଏହି ରୋଗ ସମ୍ପର୍କରେ WHO ରେ ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା । ଏହାର ଅଧିକାଂଶ ମାମଲା ଆଫ୍ରିକୀୟ ଦେଶରୁ ଆସିଥାଏ, ଯେଉଁଠାରେ ବର୍ଷା ହୁଏ କିମ୍ବା ଅଧିକ ଘନ ଜଙ୍ଗଲ ଅଛି, ସେଠାରେ ମଙ୍କି ପକ୍ସର ଅନେକ ଘଟଣା ଘଟିଛି । ୧୯୭୦ ରେ ଘାନାରେ ମଙ୍କି ପକ୍ସର ପ୍ରଥମ ମାମଲା ମିଳିଥିଲା, ଏଥର ମଧ୍ୟ ଲଣ୍ଡନରେ ମାମଲା ରିପୋର୍ଟ ହୋଇଥିଲା ।
ଯଦିଓ ଏପର୍ଯ୍ୟନ୍ତ ଭାରତରେ କୌଣସି ମାମଲା ରୁଜୁ ହୋଇନାହିଁ, କିନ୍ତୁ କେନ୍ଦ୍ର ସରକାର ଏଥି ପାଇଁ ସତର୍କ ଅଛନ୍ତି, ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ନଜର ରଖାଯାଉଛି, ଯଦି ଆବଶ୍ୟକ ହୁଏ, ତେବେ ସେମାନଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଯାଞ୍ଚ ପାଇଁ ପଠାଯାଇପାରିବ ।